Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାଂସଦ ଚିକିତ୍ସା ଶିବିର ମୋତେ ଦିଏ ଆତ୍ମସନ୍ତୋଷ:ଅପରାଜିତା

    Share on :
    ajab-Image
    Date: Jun 22, 2026    Views: 2688

    ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରୟାସ ରେ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଥିବା ସାଂସଦ ଚିକିତ୍ସା ଶିବିର ଧୀରେ ଧୀରେ ହେବାକୁ ଲାଗିଛି ବେଶ୍ ଲୋକପ୍ରିୟ।ସେବା ଓ ବିକାଶ ର ମୂଳ ମନ୍ତ୍ର କୁ ପାଥେୟ କରି ରାଜନୀତି କରିବାକୁ ଗୁରୁତ୍ୱ ଦେଉଥିବା ନେଇ ପୁନର୍ବାର କହିବା ସହିତ, ବାଲିପାଟଣାରେ ଷଷ୍ଠ ସାଂସଦ ଚିକିତ୍ସା ଶିବିର ଆୟୋଜନ ଅବସରରେ ଏହା ତାଙ୍କୁ ଆତ୍ମ ସନ୍ତୋଷ ଦେଉଥିବା ନେଇ କହିଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିସହିତ ଏଭଳି ଲୋକ ହିତକର କାମରେ ସରକାରଙ୍କ ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ସାଂସଦ।
     ଗତ ଜାନୁଆରୀ ୭ତାରିଖ  ୨୦୨୬ ରେ ଦେଘୁଣିଆରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ପ୍ରତ୍ୟେକ ମାସର ତୃତୀୟ ରବିବାର ରେ ,ବାଲିଅନ୍ତା, ଚନ୍ଦକା, କୁହୁଡ଼ି ଏବଂ ବୋଲଗଡ଼ରେ ସଫଳତାର ସହ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା।ଯେଉଁଠାରେ ହଜାର ହଜାର ଲୋକ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଔଷଧ ପାଇ ଉପକୃତ ହୋଇଥିଲେ।ଚଳିତ ଜୁନ ମାସରେ ଏହି ଷଷ୍ଠ ସାଂସଦ ଚିକିତ୍ସା ଶିବିର ବାଲିପାଟଣା ବ୍ଲକ ଅନ୍ତର୍ଗତ ଭାପୁର ଗ୍ରାମ ପଞ୍ଚାୟତର ପି.ଏମ୍. ଶ୍ରୀ ବନମାଳୀପୁର ହାଇସ୍କୁଲ ପରିସରରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।ଏହି ଅବସରରେ ସାଂସଦ କହିଥିଲେ ଯେ, ୨୦୧୯ ମସିହାରେ ଭୁବନେଶ୍ୱରବାସୀଙ୍କ ଆଶୀର୍ବାଦରେ ସାଂସଦ ଭାବେ ନିର୍ବାଚିତ ହେବା ପରଠାରୁ ତାଙ୍କର ଲକ୍ଷ୍ୟ ଥିଲା ସମସ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବା। ପ୍ରତ୍ୟେକ ପରିବାର କିପରି ବାସଗୃହ, ସଡ଼କ, ବିଦ୍ୟୁତ୍ ସୁବିଧା ପାଇବେ ଏବଂ ସମସ୍ତେ କିପରି ସୁସ୍ଥ ଓ ନିରାମୟ ଜୀବନ ବିତାଇବେ, ସେଥିପାଇଁ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି।ସେ କହିଥିଲେ ଯେ, ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଚଳିତ ବର୍ଷରୁ “ସାଂସଦ ଚିକିତ୍ସା ଶିବିର” ଆରମ୍ଭ କରାଯାଇଛି ଏବଂ ଏହାକୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରତ୍ୟେକ ବ୍ଲକରେ ପର୍ଯ୍ୟାୟକ୍ରମେ ଆୟୋଜନ କରାଯିବ।
    ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହୁରି କହିଥିଲେ, “ମୋର ସାଂସଦୀୟ କ୍ଷେତ୍ରରେ ବସବାସ କରୁଥିବା ଭାଇ, ଭଉଣୀ, ମା’ ଓ ମାଉସୀମାନେ କିପରି ସୁସ୍ଥ, ସଚେତନ ଏବଂ ନିରାମୟ ଜୀବନ ବିତାଇବେ, ତାହା ହିଁ ମୋର ପ୍ରମୁଖ ଲକ୍ଷ୍ୟ।” ସ୍ୱାସ୍ଥ୍ୟ ସେବାକୁ ଗାଁ ଗାଁରେ ପହଞ୍ଚାଇବା ଏବଂ ଲୋକଙ୍କୁ ନିଶୁଳ୍କ ଚିକିତ୍ସା ପରାମର୍ଶ ଓ ସେବା ଯୋଗାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ।ଏହି ଷଷ୍ଠ ସାଂସଦ ଚିକିତ୍ସା ଶିବିର ରେ ମୋଟ ୬୯୧ ଜଣଙ୍କର ମେଡିସିନ ବିଭାଗ ,ଶିଶୁ ରୋଗ ବିଭାଗ ,ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ,କର୍ଣ୍ଣ, ନାସା ଓ କଣ୍ଠ ବିଭାଗ ,ଦନ୍ତ ଚିକିତ୍ସା ବିଭାଗ ,ଅସ୍ଥି ରୋଗ ବିଭାଗ ଓ ଚକ୍ଷୁ ରୋଗ ବିଭାଗ ଅଧିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଆବଶ୍ୟକୀୟ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।
     ସାଂସଦ ଚିକିତ୍ସା ଶିବିରରେ ସମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲିପାଟଣା ବ୍ଲକ୍‌ର ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ବେହେରା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବନମାଳୀପୁରର ସମସ୍ତ ଅଧିକାରୀ ସହଯୋଗ କରିଥିଲେ। ଶିବିରରେ ଗ୍ରାମାଞ୍ଚଳର ବହୁ ସଂଖ୍ୟକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଡାକ୍ତରମାନଙ୍କ ସମେତ ପ୍ରାୟ ସାତଟି ବିଭାଗର ବିଶେଷଜ୍ଞ ଡାକ୍ତର ଏହି ଶିବିରରେ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଟେଷ୍ଟ ମଧ୍ୟ କରାଯାଇଥିଲା। ପରୀକ୍ଷା ପରେ ରୋଗୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।
    ଏହି ଚିକିତ୍ସା ଶିବିରର ସଫଳ ଆୟୋଜନ ପାଇଁ ସାଂସଦଙ୍କ ପ୍ରତିନିଧି ବାବି ଚୌଧୁରୀ,ଜଟଣୀ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କ ପ୍ରତିନିଧି ଅଶୋକ ପଟ୍ଟନାୟକ,, ବନମାଳୀପୁର ପିଏମ୍‌ଶ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅର୍ଣ୍ଣବ କୁମାର ବେଉରା,ସାଂସଦଙ୍କ ପ୍ରତିନିଧି ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଭାବପୁର ସରପଞ୍ଚ ଲିଲିପ୍ରିୟା ସାହୁ, ସାଂସଦ ଚିକିତ୍ସା ଶିବିରର ପ୍ରତିନିଧି ସୁଧୀର ପଣ୍ଡା, ବାଲିପାଟଣା ବ୍ଲକରେ ସାଂସଦଙ୍କ ପ୍ରତିନିଧି ଶଶିଭୂଷଣ ପାତ୍ର,  ଶସ୍ମିତା ପଣ୍ଡା, ସୁଜାତା ସ୍ୱାଇଁ ଏବଂ ବିଣାପାଣି ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook