ମୁଖ୍ୟ ଖବର
ଭୁବନେଶ୍ୱର: ଅପେକ୍ଷା ବହୁତ ଲମ୍ବା ହେଲାଣି । ଦେଶର ମହିଳାମାନେ ନିଜ ଅଧିକାର ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି । ଏହା ହେଉଛି ଠିକ୍ ସମୟ । ଆମେ ଆଜି ଏକ ନୂଆ ଭାରତରେ ପ୍ରବେଶ କରିଛୁ । ବିରୋଧୀ ଦଳ ବାଧା ନ ଦେଇ ମହିଳା ସଂରକ୍ଷଣ ବିଲ୍କୁ କାର୍ଯ୍ୟକାରୀ କରିବାରେ ସହଯୋଗ କରନ୍ତୁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏଭଳି ଆହ୍ୱାନ ଦେଇଛନ୍ତି ।
ଅପରାଜିତା କହିଛନ୍ତି, ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ କ୍ଷେତ୍ରରେ ଭାରତ ବହୁତ ପଛରେ । ବର୍ତ୍ତମାନ ଲୋକସଭାରେ ମାତ୍ର ୧୩.୬ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ ରହିଛି । ବିଧାନସଭା ଗୁଡି଼କରେ ଏହି ହାର ପ୍ରାୟ ୧୦ ପ୍ରତିଶତ । ବିଶ୍ୱରେ ବିଭିନ୍ନ ଦେଶରେ ମହିଳାଙ୍କ ପ୍ରତିନିଧିତ୍ୱ ହାର ଭାରତଠାରୁ ଢ଼େର ଅଧିକ । ଆମେ କାହିଁକି ପଛରେ ରହିବା? ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ ପାଇଁ ୨୭ ବର୍ଷ ଧରି ମହିଳାମାନେ ଅପେକ୍ଷାରେ ଅଛନ୍ତି । ଅତୀତର ସରକାର ଏହାକୁ କାର୍ଯ୍ୟକାରୀ କରିପାରିନଥିଲେ । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମହିଳାଙ୍କୁ ତାଙ୍କ ଅଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ତତ୍ପର। ତାଙ୍କ ନେତୃତ୍ୱରେ ଦେଶରେ ଏକ ନାରୀ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି । ୨୭ ବର୍ଷର ପ୍ରତୀକ୍ଷା ଆଜି ଫଳପ୍ରଦ ହେବାକୁ ଯାଉଛି । ଏହା ଏକ ଐତିହାସିକ ଅଧିବେଶନ । ଦେଶର ଅଧା ଜନସଂଖ୍ୟାଙ୍କ ସମ୍ମାନ, ମର୍ଯ୍ୟାଦା ଓ ଉଜ୍ଜଳ ଭବିଷ୍ୟତ ନେଇ ୩ଟି ବିଲ୍ ଆସିଛି ।
ସ୍ୱାମୀ ବିବେକାନନ୍ଦ କହିଥିଲେ, କୌଣସି ସମାଜର ବାସ୍ତବିକ ପ୍ରଗତିର ଆକଳନ କରିବାକୁ ହେଲେ, ସେହି ସମାଜର ମହିଳାଙ୍କ ସ୍ଥିତିକୁ ପରଖିବାକୁ ପଡ଼ିବ । ଆଜି ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ସରକାର ଅଣ୍ଟା ଭିଡି଼ଛନ୍ତି । ହେଲେ, ବିରୋଧୀ ଦଳ ଭିନ୍ନ ଭିନ୍ନ କଥା କହି ବିଭ୍ରାନ୍ତ କରୁଛନ୍ତି । ଅତୀତରେ ବି ସେମାନେ ବାଧା ଦେଇଥିଲେ। ହେଲେ, ଆଉ ବାଧା ଦିଅନ୍ତୁ ନାହିଁ । ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି ଅପରାଜିତା ନିବେଦନ କରିଛନ୍ତି ।
Comments ସମସ୍ତ ମତାମତ