ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ । ଏକ ଡବଲ ମର୍ଡର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ୨୦୧୬ରେ ମା ଓ ଝିଅଙ୍କ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଓଡ଼ିଶା ପୁଲିସ ନୁହେଁ । ଛତିଶଗଡ଼ର ଚକ୍ରଧରନଗର ଥାନା ପୁଲିସ ତାଙ୍କୁ ଗିରଫ କରିଛି । ୨୦୧୬ ମସିହାରେ ୩୨ ବର୍ଷିୟା କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷିଆ ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା । ଉଭୟଙ୍କୁ ବୀଭତ୍ସ ହତ୍ୟା ପରେ ଛତିଶଗଡ଼ ସୀମାରେ ଫିଙ୍ଗି ଦିଆଯାଇଥିଲା । ଛତିଶଗଡ଼ର ରାୟଗଡ଼ା ଜିଲ୍ଲାର ଏକ ଜଙ୍ଗଲରେ ପୁଲିସ୍ ଉଭୟଙ୍କର ଶବ ଜବତ କରିଥିଲା। ଏହାପରେ ତତକାଳୀନ ସ୍ଥାନୀୟ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ବି ଏହି ଘଟଣାରେ ଅନୁପ କୁମାର ସାଏ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କର ଗିରଫ ଦାବି କରିଥିଲେ।
ଗତକାଲି ରାତିରେ ଛତିଶଗଡ଼ ପୋଲିସ ଅନୁପଙ୍କୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଝାରସୁଗୁଡ଼ାରୁ ଉଠାଇ ନେଇଥିଲା । ଛତିଶଗଡ଼ ପୋଲିସ ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି । ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ। ପରେ କଂଗ୍ରେସ ଦଳ ଛାଡି ୨୦୧୪ ରେ ବିଜେଡି ଯୋଗଦେଇ ଥିଲେ । ବର୍ତ୍ତମାନ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଭାବେ କାର୍ୟ୍ୟଭାର ସମ୍ଭାଳୁଛନ୍ତି ଅନୁପ କୁମାର ସାଏ।
ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଅନୁପ ସାଏଙ୍କ ବିରୋଧରେ ଆମେ ପୂର୍ବରୁ ବି ଅଭିଯୋଗ କରିଥିଲୁ । ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ବିଜେଡି କିନ୍ତୁ ଆଦୌ ଶୁଣୁନଥିଲା । ଛତିଶଗଡ଼ ପୁଲିସ ହାତରେ ଗିରଫ ପରେ ଏବେ ବିଜେଡିର ଅସଲମୁଖା ଖୋଲିଛି । ଏବେ ଅନୁପଙ୍କୁ ଦଳରୁ ଓ ପଦବୀରୁ କେବେ ବହିଷ୍କାର କରାଯାଉଛି ତାକୁ କେବଳ ଅପେକ୍ଷା ରହିଛି ।
Comments ସମସ୍ତ ମତାମତ