Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପରାଜୟର ଦୋଷ ନିର୍ବାଚନ କମିସନଙ୍କ ଉପରେ ଲଦିବାକୁ ଚାହୁଁଛନ୍ତି ରାହୁଲ : ଶାହା

    Share on :
    ajab-Image
    Date: Nov 6, 2026    Views: 2510

    ନୂଆଦିଲ୍ଲୀ : ଦେଶବାସୀ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଛନ୍ତି। ୨୦୨୪ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ଅନବରତ ପରାଜୟର ସମ୍ମୁଖୀନ ହେଉଛି। ଆଉ ପରାଜୟର ଦୋଷ ନିର୍ବାଚନ କମିସନଙ୍କ ଉପରେ ଲଦିବାକୁ ଚାହୁଁଛନ୍ତି। ତେଣୁ ସେ ସଡ଼କରେ ଅରାଜକତା ସୃଷ୍ଟି କରୁଛନ୍ତି। ରାହୁଲ ସଂସଦ ବି ଚାଲିବାକୁ ଦେଉନାହାନ୍ତି। କୌଣସି ପ୍ରସଙ୍ଗ ଉପରେ ଚର୍ଚ୍ଚା କରୁନାହାନ୍ତି। ସଂସଦରେ ହଟ୍ଟଗୋଳକୁ କଂଗ୍ରେସ ନିଜର ସଂସ୍କୃତି କରିନେଇଛି। ହରିୟାଣାର କରନାଲରେ ଏକ ପଦଯାତ୍ରାରେ ସାମିଲ ହୋଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଏହି ଟିପ୍ପଣୀ ଦେଇଛନ୍ତି। ଏହା ସହିତ ସେ ରାହୁଲଙ୍କୁ ହରିୟାଣାର ଯେ କୌଣସି ଛକ ଉପରେ ବିତର୍କ କରିବାକୁ ଆହ୍ବାନ ଦେଇଛନ୍ତି। ଅନୁପ୍ରବେଶକାରୀଙ୍କ ନାମ ଭୋଟର ତାଲିକାରୁ ହଟାଇବାକୁ ରାହୁଲ ବିରୋଧ କରୁୁଥିବା ଶାହା ଅଭିଯୋଗ କରିଛନ୍ତି। ତାଙ୍କ ନେତୃତ୍ବରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇ ଚାଲିଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
    ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୭ ପରାମର୍ଶ ଦେଇଛନ୍ତି। ସେଗୁଡିକ ହେଲା ଭାରତରେ ଅଧିକ ସମୟ କଟାଇବା, ବଡ଼ଙ୍କୁ ସମ୍ମାନ ଦେବା, ଭାରତ ବିରୋଧୀଙ୍କଠାରୁ ଦୂରରେ ରହିବା, ବିଜେପିକୁ ଘୃଣା କମ୍ କରିବା, ସଂସଦକୁ ଗୁରୁତ୍ବର ସହ ନେବା, ସମ୍ବିଧାନକୁ ସମ୍ମାନ କରିବା ଓ କଂଗ୍ରେସରୁ ପରିବାରବାଦ ଶେଷ କରିବା। ଯଦି ରାହୁଲ ଏ ସବୁ ପରାମର୍ଶ ପାଳନ କରନ୍ତି, ତେବେ କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଉଲ୍ଲେଖ କରିଛନ୍ତି। ରିଜିଜୁ କହିଛନ୍ତି ଯେ ରାହୁଲ ବିଜେପିକୁ ଶତ୍ରୁ ପରିବର୍ତ୍ତେ ରାଜନୈତିକ ବିରୋଧୀ ଭାବିବା ଉଚିତ। ସେ ବିଜେପି, ଆରଏସଏସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘୃଣା କରିବା ଛାଡ଼ି ସଂସଦ କାର୍ଯ୍ୟରେ ସାମିଲ ହେବା ଉଚିତ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁହାଁମୁହିଁ ବିତର୍କ ପାଇଁ ରାହୁଲ ଆହ୍ବାନ ଦେଇଥିଲେ। ଗତ ତିନି ଦିନ ମଧ୍ୟରେ ରାହୁଲ ଏ ନେଇ ଚାରି ଥର ଆହ୍ବାନ ଦେବା ପରେ ରିଜିଜୁ ଏହି ବୟାନ ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook