ପ୍ୟାରିସ : ଅଲିମ୍ପିକ୍ସର ପୁରୁଷ ହକିରେ ଗ୍ରେଟ୍ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ମ୍ୟାଚରେ ଫାଉଲ୍ ମାରିବା ଭାରତୀୟ ତଥା ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଫାଉଲ୍ ଲାଗି ତାଙ୍କୁ ରେଡ୍ କାର୍ଡ ମିଳିଥିଲା। ଯେଉଁଥି ପାଇଁ ସେ ଗ୍ରେଟ୍ ବ୍ରିଟେଟ ବିପକ୍ଷରେ ୧୭ ମିନିଟ୍ ପରେ ବଳକା ୪୩ ମିନିଟ୍ ପଡ଼ିଆ ବାହାରେ ବସିଥିଲେ।ଏବେ ସେ ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରୁ ମଧ୍ୟ ବ୍ୟାନ ହୋଇଛନ୍ତି। ବିଶ୍ୱ ହକିର ସର୍ବୋଚ୍ଚ ସଂସ୍ଥା ଏଫ୍ଆଇଏଚ୍ ପକ୍ଷରୁ ଅମିତ୍ଙ୍କୁ ସେମିଫାଇନାଲରୁ ମଧ୍ୟ ବାସନ୍ଦ କରାଯାଇଛି। ଫଳରେ ଭାରତକୁ ବଡ଼ ଝଟ୍କା ଲାଗିଛି। ଭାରତ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବ ବୋଲି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି।
ରବିବାର ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲା ବେଶ ରୋମାଞ୍ଚକ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା। କିନ୍ତୁ ଖେଳର ୧୭ତମ ମିନିଟ୍ରେ ଏକ ଘଟଣା ଭାରତକୁ ବ୍ୟାକ୍ଫୁଟକୁ ଠେଲିଦେଇଥିଲା। ଭାରତର ଅମିତ ରୋହିଦାସ ତାଙ୍କର ଷ୍ଟିକ୍ ଜୋରରେ ବୁଲାଇବା ଫଳରେ ପ୍ରତିପକ୍ଷ ବ୍ରିଟେନ ଖେଳାଳି ୱିଲିୟମ କାଇନାନଙ୍କ ମୁଣ୍ଡରେ ବାଜିଥିଲା। ଯାହା ଫଳରେ ଅମ୍ପାୟାର ତାଙ୍କୁ ରେଡକାର୍ଡ ଦେଇଥିଲେ। ରେଡ୍କାର୍ଡ ଯୋଗୁଁ ତାଙ୍କୁ ମ୍ୟାଚ୍ର ଅବଶିଷ୍ଟ ସମୟ ଖେଳିବାକୁ ବଞ୍ଚିତ ହେବାକୁ ପଡ଼ିଥିଲା। ଅଭିଜ୍ଞ ଓଡ଼ିଆ ଖେଳାଳି ଦଳରେ ଜଣେ ଡିଫେଣ୍ଡର, ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଓ ସ୍କୋରର ଭାବେ ଖେଳୁଥିଲେ। ତାଙ୍କ ଅନୁପସ୍ଥିତି ଅନ୍ୟ ଭାରତୀୟ ଖେଳାଳିଙ୍କୁ ଅଧିକ ଚାପରେ ରଖିଥିଲା। ରୋହିଦାସ୍ଙ୍କ ସ୍ଥାନରେ ମନ୍ପ୍ରୀତ ରକ୍ଷଣଭାଗ ସମ୍ଭାଳିଥିଲେ।
ଏହି ମ୍ୟାଚ୍ରେ ଭାରତୀୟ ଗୋଲରକ୍ଷକ ପିଆର ଶ୍ରୀଜେଶ ବ୍ରିଟେନ ଖେଳାଳିଙ୍କ ୧୧ଟି ସଟ୍ ଓ ୪ଟି ପେନାଲ୍ଟି କର୍ଣ୍ଣରକୁ ଅଟକାଇଥିବାରୁ ତାଙ୍କ ଉପରେ ଭାରତୀୟଙ୍କ ଭରସା ରହିଥିଲା। ସୁଟ୍ଆଉଟରେ ପ୍ରଥମ ଦୁଇଟି ସଟ୍ରେ ଉଭୟ ଦଳ ଗୋଲ ସ୍କୋର କରିଥିଲେ। ବ୍ରିଟେନ ପକ୍ଷରୁ ତୃତୀୟ ସଟ୍ ମାରିଥିବା କନ୍ନର ୱିଲିୟମସନ ପୋଷ୍ଟ ବାହାରକୁ ମାରିଦେଇଥିଲେ। ପରେ ଲଳିତ ଉପାଧ୍ୟାୟ ଗୋଲ ସ୍କୋର କରିଥିଲେ। ଭାରତ ୩-୨ରେ ଆଗୁଆ ଥିଲାବେଳେ ବ୍ରିଟେନ ପକ୍ଷରୁ ଫିଲିପ ରୋପର ମାରିଥିବା ଚତୁର୍ଥ ସଟ୍କୁ ଶ୍ରୀଜେଶ ଅଟକାଇଦେଇଥିଲେ। ଭାରତ ପକ୍ଷରୁ ରାଜକୁମାର ପାଲ ଚତୁର୍ଥ ସଟ୍କୁ ଗୋଲରେ ପରିଣତ କରିବା ଫଳରେ ଖେଳାଳି ଆନନ୍ଦରେ ମାତିଯାଇଥିଲେ। ଭାରତ ଏହି ପେନାଲ୍ଟି ସୁଟ୍ଆଉଟକୁ ୪-୨ରେ ଜିତି ସେମିଫାଇନାଲକୁ ଉନ୍ନିତ ହୋଇଥିଲା।
Comments ସମସ୍ତ ମତାମତ