ମୁଖ୍ୟ ଖବର
ନୂଆଦିଲ୍ଲୀ: ସିରିଆରେ ଏକ ବଡ଼ ବିମାନ ଆକ୍ରମଣ କରିଛି ଆମେରିକା । ଆମେରିକୀୟ ସେନା ସିରିଆର ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୁଦ୍ଧରେ “ହକ୍ ଆଇ ଷ୍ଟ୍ରାଇକ୍” ଅପରେସନ୍ ଆରମ୍ଭ କରିଛି । ଯେଉଁଥିରେ ୭୦ ରୁ ଅଧିକ ଇସଲାମିକ୍ ଷ୍ଟେଟ୍ ଅଫ୍ ସିରିଆ ଆଣ୍ଡ୍ ଇରାକ୍ (ଆଇଏସଆଇଏସ) ଆଡ୍ଡା ସ୍ଥଳକୁ ଲକ୍ଷ୍ୟ କରି ବୋମା ମାଡ଼ କରିଛି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ଏବଂ ସମସ୍ତ ଲକ୍ଷ୍ୟସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।
ଡିସେମ୍ବର ୧୩ ତାରିଖରେ ସିରିଆର ପାଲମିରା ସହରଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଆମେରିକୀୟ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକା ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ନିଜେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ପ୍ରତିରକ୍ଷା ସଚିବ ହେଗସେଥ୍ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ କେନ୍ଦ୍ରୀୟ ସିରିଆରେ ଆମେରିକୀୟ ସେନାର ହକ୍ ଆଇ ଅଭିଯାନ ବିଷୟରେ ସୂଚନା ସେୟାର କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ହେଗସେଥ୍ କହିଛନ୍ତି ଯେ ସିରିଆରେ ISIS ଟାର୍ଗେଟ ଏବଂ ଲଢ଼ୁଆମାନଙ୍କ ବିରୁଦ୍ଧରେ ଅପରେସନ୍ ହକ୍ ଆଇ ଷ୍ଟ୍ରାଇକ୍ ଆରମ୍ଭ କରାଯାଇଛି। ଯେଉଁଦିନ ଆମେରିକୀୟ ସାମରିକ କର୍ମଚାରୀଙ୍କ ଉପରେ ଆମ୍ବୁସ୍ କରାଯାଇଥିଲା, ସେହି ଦିନ ଏକ ଚେତାବନୀ ଜାରି କରାଯାଇଥିଲା ଯେ ବର୍ବର ଆକ୍ରମଣର ପ୍ରତିଶୋଧ ନିଆଯିବ। “ଆକ୍ରମଣକାରୀ ବିଶ୍ୱର ଯେକୌଣସି ସ୍ଥାନରେ ଲୁଚି ରହିଥିବେ ସେଠାରେ ଆକ୍ରମଣ କରି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେଇ ଆମେ ପ୍ରତିଶୋଧ ନେବୁ,” ବୋଲି ସେ କହିଛନ୍ତି। ଆମେରିକା ତାର କୌଣସି ଶତ୍ରୁକୁ ଛାଡିବ ନାହିଁ। ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ ସେମାନଙ୍କୁ ଆମେରିକା ଶିକ୍ଷା ଦେବ ଏବଂ ପୃଥିବୀ ପୃଷ୍ଠରୁ ସେମାନଙ୍କ ନାମ ପୋଛି ଦେବ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ଆକାଉଣ୍ଟରେ ଲେଖିଛନ୍ତି, “ଆଇଏସ୍ଆଇଏସ୍ ସିରିଆରେ ଆମେରିକୀୟ ଦେଶଭକ୍ତମାନଙ୍କୁ ଆକ୍ରମଣ କରି ହତ୍ୟା କରିଛି। ଆଜି, ମୁଁ ମୋର ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ, ପ୍ରତିଶ୍ରୁତି ଅନୁଯାୟୀ, ଆମେରିକା ସେମାନଙ୍କ ହତ୍ୟାକାରୀଙ୍କ ବିରୁଦ୍ଧରେ କଡ଼ା ପ୍ରତିଶୋଧ ନେଇଛି। ଆମେରିକାର ସେନା ସିରିଆରେ ଆଇଏସ୍ଆଇଏସ୍ ଟାର୍ଗେଟ ଉପରେ ଦ୍ରୁତ ଏବଂ ତ୍ୱରିତ ଆକ୍ରମଣ କରୁଛି।”
Comments ସମସ୍ତ ମତାମତ