ମୁଖ୍ୟ ଖବର
କୋଲକାତା: ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଆଜିଠାରୁ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଆମେରିକୀୟ ବୈଦେଶିକ ସଚିବ । ଦୀର୍ଘ 14 ବର୍ଷ ପରେ ଆମେରିକା ବୈଦେଶିକ ସଚିବ କୋଲକାତା ଗସ୍ତରେ ଆସିଛନ୍ତି ।
ଏକ ପୋଷ୍ଟରେ ଭାରତରେ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି, "ସଚିବ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିଛନ୍ତି । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ଆଜି ଆମେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବୁ । ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, QUAD ଏବଂ ଅନ୍ୟାନ୍ୟ ଅନେକ ବିଷୟ ଉପରେ ଆଗାମୀ କିଛି ଦିନ ମଧ୍ୟରେ ଆଲୋଚନା ହେବ ।"
ଏହା ପରେ ଅନ୍ୟ ଏକ X ପୋଷ୍ଟରେ ଆମେରିକା ରାଷ୍ଟ୍ରଦୂତ କହିଛନ୍ତି, "ମୋ ବନ୍ଧୁ ମାର୍କୋ ରୁବିଓଙ୍କୁ ଭାରତରେ ସ୍ୱାଗତ କରି ସମ୍ମାନିତ ଅନୁଭବ କରୁଛି । ଆମର ଆଗକୁ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ଅଛି । ଯେଉଁଥିରେ QUAD ବୈଦେଶିକ ମନ୍ତ୍ରୀ ବୈଠକ ମଧ୍ୟ ସାମିଲ ଅଛି ।"ଆମେରିକା ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ 2012 ମସିହାରେ କୋଲକାତା ଗସ୍ତରେ ଆସିଥିଲେ । ଏହାର ଦୀର୍ଘ 14 ବର୍ଷ ପରେ ବର୍ତ୍ତମାନ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କୋଲକତା ଗସ୍ତରେ ଆସିଛନ୍ତି । କୋଲକାତାରେ ସେ ସେଣ୍ଟ ଟେରେସାଙ୍କ ମିଶନାରିଜ୍ ଅଫ୍ ଚ୍ୟାରିଟିର ହେଡ୍ କ୍ବାଟର ମଦର ହାଉସ ଓ ଚିଲଡ୍ରେନ୍ ହୋମ ଗସ୍ତରେ ଯିବେ ।
ରୁବିଓଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ:
ମାର୍କୋ ରୁବିଓ 4 ଦିନିଆ ଗସ୍ତରେ ମେ' 23 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଆଗ୍ରା, ଜୟପୁର ଓ ନୂଆଦିଲ୍ଲୀ ଗସ୍ତରେ ଯିବେ । ଏହା ସହିତ Quad ଦେଶଙ୍କ ସହିତ ଶକ୍ତି ସମ୍ପର୍କରେ ଆଲୋଚନା କରିବେ । କୂଟନୈତିକ ଦୃଷ୍ଟିରୁ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ।
Comments ସମସ୍ତ ମତାମତ