ମୁଖ୍ୟ ଖବର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । କୋଲକାତାସ୍ଥିତ ମମତାଙ୍କ ବାସଭବନରେ ଭେଟିଛନ୍ତି ଅଖିଳେଶ । ପରାଜୟ ପରେ ମମତାଙ୍କ ପାଖରେ ପହଞ୍ଚି ସାହସ ଦେଇଛନ୍ତି ଅଖିଳେଶ । ଏହି ସମୟରେ ମମତାଙ୍କ ପୁତୁରା ଅଭିଶେକ ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ । ଯାହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭେଟଘାଟ ସମୟରେ ବିଜେପି ଉପରେ ବର୍ଷିଛନ୍ତି ଅଖିଳେଶ ।
ଅଖିଳେଶ ଯାଦବ କହିଛନ୍ତି ଯେ, ବିଜେପି ବଙ୍ଗଳାରେ ଯାହା ବି କଲା ପ୍ରଥମେ ଉତ୍ତର ପ୍ରଦେଶରେ ଚେଷ୍ଟା କରିଥିଲା । ପରେ ବଙ୍ଗଳାରେ ଏହାକୁ ବଡ଼ ସ୍ତରରେ କାର୍ୟ୍ୟକାରୀ କରିଥିଲା । ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶ ଉପନିର୍ବାଚନ ଅପେକ୍ଷା ବଙ୍ଗଳାରେ ଘଟିଥିବା ଘଟଣାର ଅଧିକ ଚିତ୍ର ସାମ୍ନାକୁ ଆସିଥିବ ଏବଂ ବଙ୍ଗଳାରେ ଯାହା ଘଟିଲା ତାହା ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇଛି । ଦିଦିଙ୍କ ଉପରେ ବିଜେପିର ରାଗ ଅଧିକ ରହିଛି । ମହିଳା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତାହା ବିଜେପି ଚାହେଁନି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅଧା ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅଖିଳେଶ ।
ଅଖିଳେଶ ଯାଦବ କହିଛନ୍ତି ଯେ ବିଜେପି ଅରାଜକତା ବିସ୍ତାର କରିବା ପାଇଁ କାମ କରେ। ଟିଏମସି କାର୍ୟ୍ୟାଳୟ ପୋଡ଼ିବା ସମ୍ପର୍କରେ ସେ ପ୍ରଶ୍ନ ଉଠାଇଥିଲେ ଯେ, ସୁରକ୍ଷା ଯୋଗାଇବା କାହାର ଦାୟିତ୍ୱ ? ନିର୍ବାଚନ କମିଶନ ଏବଂ ଗୃହମନ୍ତ୍ରୀଙ୍କ ଏହା ବଡ଼ ଦାୟିତ୍ବ କିନ୍ତୁ ସେମାନେ କଣ କରୁଛନ୍ତି । ଏହାସହ ସେ କହିଛନ୍ତି କି, ପଶ୍ଚିମବଙ୍ଗରେ ରହିଥିବା ଅଧିକ ବାହିନୀ ଉତ୍ତରପ୍ରଦେଶରେ ନିୟୋଜିତ ହୋଇଥିଲେ । ଯେତେବେଳେ ଉତ୍ତର ପ୍ରଦେଶରେ ନିର୍ବାଚନ ହେବ, ନାଗାଲାଣ୍ଡ, ମେଘାଳୟ ଏବଂ ଆସାମରୁ ବାହିନୀ ଆସିବେ । ବିଜେପି ଏବଂ ନିର୍ବାଚନ କମିଶନ ଗଣତନ୍ତ୍ରକୁ ଲୁଟ କରିଛନ୍ତି । ଅଖିଳେଶ ଦାବି କରିଥିଲେ ଯେ, ଯେଉଁଠାରେ ସର୍ବାଧିକ ଭୋଟ ବିଭାଜିତ ହୋଇଥିଲା ସେଠାରେ ବିଜେପି ଜିତିଥିଲା।
Comments ସମସ୍ତ ମତାମତ