Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଜିତ୍‌ଙ୍କ ପତ୍ନୀ ସୁନେତ୍ରା ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jan 30, 2026    Views: 3015

    ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ବିରାଟ ଶୂନ୍ୟତା । ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଦେହାନ୍ତ ପରେ ମଉନ ମହାରାଷ୍ଟ୍ର । କାନ୍ଦୁଛନ୍ତି ଜନତା, ଝୁୁରୁଛନ୍ତି ନେତା-ମନ୍ତ୍ରୀ ସହକର୍ମୀ । ଗତକାଲି ଅଜିତ୍‌ଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଛି । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏବେ କିଏ ହେବ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହାରାଷ୍ଟ୍ର ରାଜନୀତି ପୁଣି ଚଳଞ୍ଚଳ ହୋଇପଡିଛି । ଅଜିତ୍‌ଙ୍କ ବିୟୋଗ ଏନସିପିକୁ ସଙ୍କଟଙ୍କୁ ଠେଲି ଦେଇଛି । ତାଙ୍କ ପରେ ଦଳର ମଙ୍ଗ କିଏ ଧରିବେ ଦଳ ଭିତରେ ବିଚାର ବିମର୍ଶ ଆରମ୍ଭ ହୋଇଛି । ଅଜିତ୍ ପାୱାରଙ୍କ ନିଧନ ପରେ ତାଙ୍କ ପତ୍ନୀ ସୁନେତ୍ରାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଫୁଲ ପଟେଲ ଦଳର ମୁଖ୍ୟ ହେବାର ସମ୍ଭାବନା ରହିଛି 

    ସୂଚନା ଅନୁସାରେ, ଗୁରୁବାର ଅଜିତଙ୍କ ଅନ୍ତିମ ସଂସ୍କାର ଶେଷ ହେବା ପରେ ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ସୁନୀଲ ତଟକରେଙ୍କ ଭଳି ବରିଷ୍ଠ ଏନ୍‌ସିପି ନେତା ସୁନେତ୍ରାଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଛନ୍ତି । ଏହି ପ୍ରସ୍ତାବକୁ ନେଇ ସେମାନେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ମଧ୍ୟ ସାକ୍ଷାତ କରିବେ । ଯଦି ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଏ ତେବେ ତାଙ୍କୁ ଅଜିତଙ୍କ ନିଧନ ପରେ ଖାଲି ହୋଇଥିବା ବାରାମତୀ ଆସନରୁ ଉପନିର୍ବାଚନରେ ଜିତିବାକୁ ପଡି଼ବ । ବର୍ତ୍ତମାନ ସୁନେତ୍ରା ରାଜ୍ୟସଭା ସାଂସଦ ଅଛନ୍ତି । ପୂର୍ବରୁ ଗୁରୁବାର ଅଜିତଙ୍କ ସହ ଘନିଷ୍ଠ ଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନରହରି ଜିରୱାଲ ମଧ୍ୟ ଏହି ଚର୍ଚ୍ଚା ସପକ୍ଷରେ ଟିପ୍ପଣୀ ଦେଇଥିଲେ । ଲୋକେ ସୁନେତ୍ରାଙ୍କୁ ମନ୍ତ୍ରଣାଳୟରେ ସାମିଲ କରାଯିବାକୁ ଚାହୁଁଥିବା ସେ ପ୍ରକାଶ କରିଥିଲେ ।
    ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ସଂପର୍କରେ ଜିରୱାଲ କହିଥିଲେ ଯେ, ଦୁଇ ଗୋଷ୍ଠୀ ଏକାଠି ଅଛନ୍ତି । ବିକ୍ଷିପ୍ତ ହୋଇ ରହିବାର କିଛି ଅର୍ଥ ନାହିଁ ବୋଲି ସମସ୍ତେ ବୁଝିଯାଇଛନ୍ତି । ଇତିମଧ୍ୟରେ ବରିଷ୍ଠ ନେତା ପ୍ରଫୁଲ ପଟେଲଙ୍କୁ ଦଳର ମୁଖ୍ୟ କରାଯିବା ନେଇ ଚର୍ଚ୍ଚା ଚାଲିଛି । ସୂଚନାଥାଉକି, ଅଜିତ ପାୱାରଙ୍କ ଏନ୍ସିପି ଏବେ ରାଜ୍ୟରେ ଶାସକ ମହାୟୁତି ମେଣ୍ଟର ଅଂଶବିଶେଷ ରହିଛି । ୨୦୨୪ ବିଧାନସଭା ନିର୍ବାଚନରେ ଦଳ ୪୧ଟି ଆସନ ପାଇଥିଲା ।

    ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କ ନିଧନ ହୋଇଥିଲା । ତା’ର ଦିନକ ପରେ ସେ ଯେଉଁ ଚାର୍ଟାର୍ଡ ବିମାନରେ ଯାତ୍ରା କରୁଥିଲେ ତାର ବ୍ଲାକ୍‌ବକ୍ସ ଉଦ୍ଧାର ହୋଇଛି । ଦୁର୍ଘଟଣାର କାରଣ ସଂପର୍କରେ ଜାଣିବାକୁ ତାର ଯାଞ୍ଚ କରାଯିବ । ଏଥିଲାଗି ଦିଲ୍ଲୀରୁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋ(ଏଏଆଇବି) ଏବଂ ମୁମ୍ବାଇସ୍ଥିତ ଡିଜିସିଏର ଟିମ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରକାଶ କରିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook