ମୁଖ୍ୟ ଖବର
ମୁମ୍ଵାଇ : ଅନ୍ତିମ ଯାତ୍ରାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ। ମୁଖାଗ୍ନୀ ଦେଲେ ପୁଅ ପାର୍ଥ। ନିଜ ପ୍ରିୟର ନେତାଙ୍କୁ ଶେଷ ବିଦାୟ ଦେବାକୁ ବାରାମତୀ ବିଦ୍ୟା ପ୍ରତିଷ୍ଠାନ ମଇଦାନରେ ହଜାର ହଜାର ସମର୍ଥକଙ୍କ ଭିଡ଼। ଅମିତ ଶାହ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀସ୍ ଏବଂ ନୀତିନ ଗଡ଼କରୀ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ।
ବୁଧବାର ସକାଳ ୮ଟା ୪୫ରେ ମହାରାଷ୍ଟ୍ରର ବାରାମତୀରେ ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଜିତ ପାୱାର । ମୁମ୍ବାଇରୁ ବାରାମତୀ ଯାତ୍ରା କରୁଥିବା ବେଳେ ତାଙ୍କର ଚାର୍ଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତ୍ୟୁ ବେଳକୁ ଅଜିତଙ୍କୁ ୬୬ ବର୍ଷ ହୋଇଥିଲା । ଦୁର୍ଘଟଣାରେ ଅଜିତଙ୍କ ସହ ସୁରକ୍ଷା କର୍ମୀ, ଦୁଇଜଣ ପାଇଲଟ୍ ଏବଂ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ମୃତକମାନେ ହେଲେ ବିଦିପ ଯାଦବ, ପିଙ୍କି ମାଲି,ମୁଖ୍ୟ ପାଇଲଟ୍ ସୁମିତ କପୁର ଏବଂ କୋ- ପାଇଲଟ୍ ସାମ୍ଭବୀ ପାଠକ । ଅଜିତ ଆସନ୍ତା ୫ ତାରିଖରେ ପୁନେରେ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪ଟି ଜନସଭାରେ ଉଦ୍ବୋଧନ ଦେଇଥାନ୍ତେ । ସେ ବୁଧବାର ସକାଳ ପ୍ରାୟ ୮ଟା ୧୦ରେ ମୁମ୍ବାଇରୁ ଯାତ୍ରା ଆରମ୍ଭ କରିଥିଲେ । ବାରାମତୀ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଇଲଟ୍ ରନ୍କୁ ଠିକ୍ ଭାବେ ଦେଖିପାରି ନ ଥିଲେ । ପ୍ରଥମ ଥର ବିଫଳ ହେବା ପରେ ସେ ବିମାନକୁ ପୁଣି ଉପରକୁ ନେଇଯାଇଥିଲେ ।
ପୁନର୍ବାର ଅବତରଣ ପାଇଁ ପାଇଲଟ୍ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ପ୍ରଚଣ୍ଡ ବିସ୍ଫୋରଣ ହୋଇ ବିମାନଟି ଜଳିଯାଇଥିଲା । ଏଥିରେ ସମସ୍ତ ୫ ଜଣ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି । ପାଇଲଟ୍ କୌଣସି ଏମର୍ଜେନ୍ସି ସିଗ୍ନାଲ ଦେଇ ନ ଥିଲେ କି ‘ମେ ଡେ’ କଲ୍ ବି କରି ନ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଜିତ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ତାଙ୍କ ହାତ ଘଣ୍ଟାରୁ ତାଙ୍କୁ ଚିହ୍ନଟ କରାଯାଇଥିଲା । ଅଜିତଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
Comments ସମସ୍ତ ମତାମତ