ମୁଖ୍ୟ ଖବର
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ତଥା ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଆଉ ନାହାନ୍ତି। ବୁଧବାର ସକାଳେ ପୁଣେର ବାରାମତି ବିମାନବନ୍ଦରରେ ଅବତରଣ ସମୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଘଟଣାରେ ଅଜିତ୍ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ୬୬ ବର୍ଷ ବୟସରେ ତାଙ୍କର ଏହି ଅକାଳ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି।
ଅଜିତ୍ ପାୱାରଙ୍କ ରାଜନୈତିକ ଜୀବନ ଅନେକ ରୋମାଞ୍ଚକର କାହାଣୀରେ ଭରପୂର। ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ୨୦୧୯ର ସେହି ସକାଳ, ଯେତେବେଳେ ସେ ଦେବେନ୍ଦ୍ର ଫଡନାଭିସଙ୍କ ସହ ମିଶି ରାତିଅଧିଆ ସରକାର ଗଢ଼ିଥିଲେ। କୁହାଯାଏ, ସେହି ସମୟରେ ଏନସିପିରୁ ଅଲଗା ହେବା ପାଇଁ ଏକ ୱାଶରୁମ୍ ଭିତରେ ଆସିଥିବା ଗୋଟିଏ ଫୋନ୍ କଲ୍ ସମ୍ପୂର୍ଣ୍ଣ ଖେଳ ବଦଳାଇ ଦେଇଥିଲା। ଏହି ନିଷ୍ପତ୍ତି ପରେ ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।
ଅଜିତ୍ ପାୱାର ମହାରାଷ୍ଟ୍ର ଇତିହାସରେ ସବୁଠାରୁ ଅଧିକ ସମୟ ଏବଂ ସର୍ବାଧିକ ୬ ଥର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ସେ କଂଗ୍ରେସ, ଶିବସେନା ଏବଂ ବିଜେପି ସହ ମିଶି ବିଭିନ୍ନ ସମୟରେ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ବାରାମତିରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପାୱାରଙ୍କର ପ୍ରଶାସନିକ ଦକ୍ଷତା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ତାଙ୍କୁ ଜଣେ ପ୍ରଭାବଶାଳୀ ନେତା ଭାବେ ଗଢ଼ି ତୋଳିଥିଲା।
ଆଜି ସକାଳେ ଅଜିତ୍ ପାୱାର ନିଜର ଚାର୍ଟାର୍ଡ ବିମାନ ଯୋଗେ ମୁମ୍ବାଇରୁ ନିଜ ଗଡ଼ ବାରାମତିକୁ ଫେରୁଥିଲେ। ମାତ୍ର ବାରାମତି ଏୟାରଷ୍ଟ୍ରିପ୍ରେ ଲ୍ୟାଣ୍ଡିଂ ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ରନୱେରୁ ଖସିଯାଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାହାରିକୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
Comments ସମସ୍ତ ମତାମତ