Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମହାରାଷ୍ଟ୍ରର ଅନ୍ୟତମ ଟାଣୁଆ ରାଜନେତା ଥିଲେ ଅଜିତ ପାୱାର

    Share on :
    ajab-Image
    Date: Jan 28, 2026    Views: 2712

    ମୁମ୍ବାଇ: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର । ବାରାମତିରେ ବିମାନ ଅବତରଣ ବେଳେ କ୍ରାସ ହୋଇଥିଲା । ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ବେଳେ, ବିମାନରେ ଥିବା ଅନ୍ୟ 4 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିମାନଟି ବାରାମତି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ, ଏଥିରେ ଅଜିତ ପାୱାର ଥିଲେ । ଅଜିତ ପାୱାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭାରେ ଯୋଗ ଦେବା ପାଇଁ ବିମାନରେ ବାରାମତି ଯାଉଥିଲେ ।
    ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଆଜି ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନ ପ୍ରଚାର କରିବା ପାଇଁ ବାରାମତି ଯାତ୍ରା କରୁଥିଲେ । ଗତକାଲି କ୍ୟାବିନେଟ ବୈଠକ ଶେଷ ହେବା ପରେ, ସେ ଆଜି ସକାଳେ VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ VT-SSK Learjet 45 ବିମାନରେ ବାରାମତି ଯାଉ ଆସୁଥିଲେ । ବିମାନରେ ଅଜିତଙ୍କ ସହ 2 ଜଣ କର୍ମଚାରୀ (1 ପିଏସଓ ଏବଂ 1 ଆଟେଣ୍ଡାଣ୍ଟ) ଏବଂ ୨ ଜଣ କ୍ରୁ (ପିଆଇସି+ଏଫଓ) ସଦସ୍ୟ ଥିଲେ । ବିମାନ ବାରାମତି ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା । ଚାର୍ଟର ବିମାନଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବାରାମତି ଅଗ୍ନିଶମ ବିଭାଗ କର୍ମଚାରୀ, ତୁରନ୍ତ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲେ । ସେମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାରେ ଅଜିତଙ୍କ ସମେତ 5 ଜଣଙ୍କ ମୃତ୍ୟ ଘଟିଛି ।ଡିଜିସିଏ ଅଧିକାରୀଙ୍କ ସୂଚନା ଅନୁସାରେ, "ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହିତ ଅନ୍ୟ 2 ଜଣ କର୍ମଚାରୀ (1 ପିଏସଓ ଏବଂ 1 ଆଟେଣ୍ଡାଣ୍ଟ) ଏବଂ 2 ଜଣ କ୍ରୁ (ପିଆଇସି+ଏଫଓ) ସଦସ୍ୟ ଥିଲେ । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି ।"ମୁମ୍ବାଇରୁ ବିମାନ ଉଡ଼ାଣ ଆରମ୍ଭ କରିବାର ଗୋଟିଏ ଘଣ୍ଟା ପରେ ସକାଳ ପ୍ରାୟ ସକାଳ 9ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
    ମହାରାଷ୍ଟ୍ରର ଅନ୍ୟତମ ଟାଣୁଆ ରାଜନେତା ଥିଲେ ଅଜିତ ପାୱାର । ସେ 22 ଜୁଲାଇ 1959 ମସିହାରେ ମହାରାଷ୍ଟ୍ର ଅହମଦନଗର ଜିଲ୍ଲା ଦେଓଲାଲି ପ୍ରଭରାରେ ଜନ୍ମଗ୍ରହଣ କରିଥିଲେ । ଅଜିତ ପାୱାର ହେଉଛନ୍ତି ଶରଦ ପାୱାରଙ୍କ ବଡ଼ ଭାଇ ଅନନ୍ତରାଓ ପାୱାରଙ୍କ ପୁଅ । ତାଙ୍କ କାକା ଶରଦ ପାୱାରଙ୍କ ପଦାଙ୍କ ଅନୁସରଣ କରି, ଅଜିତ ପାୱାର, 1982 ମସିହାରେ ଏକ ସମବାୟ ଚିନି କାରଖାନାର ବୋର୍ଡକୁ ନିର୍ବାଚିତ ହେବା ସହ ରାଜନୀତିରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିଲେ । ସେ ପ୍ରଥମଥର ପାଇଁ 1991 ମସିହାରେ ବାରାମତୀ ଲୋକସଭା କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ । କିନ୍ତୁ, ନରସିଂହ ରାଓ ସରକାରରେ ଶରଦ ପାୱାର ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ସେ ଏହି ଆସନ ଛାଡି ଦେଇଥିଲେ । ପରେ, ସେ ବାରାମତୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସାତ ଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ । ଆଜି ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ 66 ବର୍ଷ ବୟସ ହୋଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook