ମୁଖ୍ୟ ଖବର
କୋଲକାତା: ବୁଧବାର ସକାଳେ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ''ଏୟାର ଇଣ୍ଡିଆ ଭିସ୍ତାରା''ର ଏକ ବିମାନର ଶୌଚାଳୟ କାଚରେ ''ହାଇଜାକ୍'' ଲେଖାଥିବା ଦେଖିବାକୁ ମିଳିବା ପରେ ତୁରନ୍ତ ବିମାନଟିକୁ ଅଲଗା ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବିମାନରେ ୧୪୭ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି।ବିମାନବନ୍ଦର ପୁଲିସର ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦:୨୦ ମିନିଟରେ ''ଏଆଇ୭୭୨'' ବିମାନର ପାଇଲଟ୍ ଉଡ଼ାଣ ପାଇଁ ପ୍ରସ୍ତୁତି କରୁଥିବା ସମୟରେ କ୍ୟାବିନ୍ କ୍ରୁ ସଦସ୍ୟମାନେ ଶୌଚାଳୟର ଆଇନା ଉପରେ ଲିପଷ୍ଟିକରେ ''ହାଇଜାକ୍'' ଲେଖାଯାଇଥିବା ଦେଖିବାକୁ ପାଇଥିଲେ। ସୁରକ୍ଷା ନିୟମାବଳୀ ଅନୁଯାୟୀ ତୁରନ୍ତ ଆଲର୍ଟ ଜାରି କରାଯାଇ ବିମାନଟିକୁ ବିମାନବନ୍ଦରର ଜରୁରୀକାଳୀନ ଆଇସୋଲେସନ୍ ବେ''କୁ ସ୍ଥାନାନ୍ତର କରାଯାଇଥିଲା।
ଘଟଣା ପରେ ସୁରକ୍ଷାକର୍ମୀ, ଅଗ୍ନିଶମ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ବିମାନ ଓ ସାମଗ୍ରୀଗୁଡ଼ିକର କଡ଼ା ଯାଞ୍ଚ ଆରମ୍ଭ କରିଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିବା ବେଳେ, କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ସନ୍ଦେଶ ଲେଖିଥିଲା, ସେ ନେଇ ବିମାନବନ୍ଦର ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଜାରି ରଖିଛନ୍ତି।
Comments ସମସ୍ତ ମତାମତ