Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୮୨ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ଗଡୁଛି ଫୌଜଦାରୀ ମାମଲା

    Share on :
    ajab-Image
    Date: May 18, 2022    Views: 4215

    ଭୁବନେଶ୍ୱର : ରାଜ୍ୟର ୧୧% ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହି ୮୨ ଜଣ ସଭ୍ୟଙ୍କ ନାଁରେ ବିଭିନ୍ନ କୋର୍ଟରେ ଫୌଜଦାରୀ ମାମଲା ଗଡୁଛି । ସେହିଭଳି ୯% ସଭ୍ୟଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ଅଛି । ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ମହିଳାଙ୍କ ବିରୋଧରେ ଅପରାଧ ଭଳି ସଙ୍ଗିନ ମାମଲାର ବିଚାର ଚାଲିଛି । ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର) ରିପୋର୍ଟ ଏହି ତଥ୍ୟ ରଖିଛି ।

    ରାଜ୍ୟରେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କ ସତ୍ୟପାଠକୁ ଅନୁଶୀଳନ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଓଡ଼ିଶା ଇଲେକ୍ସନ୍‌ ୱାଚ୍‌ ଓ ଏଡିଆର ମିଳିତ ଭାବେ ଏହି ରିପୋର୍ଟ ଜାରି କରିଛନ୍ତି ।  ୧୫ ଜିଲ୍ଲା ପରିଷଦ ସଭ୍ୟଙ୍କ ବିରୋଧରେ ହତ୍ୟା ଉଦ୍ୟମ (୩୦୭ ଦଫା) ଲାଗିଛି । ମହିଳାଙ୍କ ବିରୋଧରେ ଅପରାଧ ପାଇଁ ୧୨ ଜଣ ସଭ୍ୟଙ୍କ ନାମରେ ମାମଲା  ବିଚାରାଧୀନ ଅଛି । ବିଜେଡିରୁ ଜିତିଥିବା ସର୍ବାଧିକ ୮% ଜିଲ୍ଲା ପରିଷଦ ସଭ୍ୟଙ୍କ ବିରୋଧରେ ଗୁରୁତର ଫୌଜଦାରୀ ମାମଲା ରହିଛି । ବିଜେପିରୁ ୪%, କଂଗ୍ରେସରୁ ୧% ଓ ଜେଏମଏମ୍‌ର ୧% ସଭ୍ୟ ଗୁରୁତର ଅପରାଧିକ ମାମଲାରେ ଅଭିଯୁକ୍ତ ଅଛନ୍ତି । ସେହିଭଳି ୨ଜଣ ସ୍ୱାଧୀନ ସଭ୍ୟଙ୍କ ବିରୋଧରେ ଗୁରୁତର ଫୌଜଦାରୀ ମାମଲା ଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।        

    କୋଟିପତି ଜିଲ୍ଲା ପରିଷଦ ସଭ୍ୟଙ୍କ ସଂଖ୍ୟା କିଛି କମ୍‌ ନାହିଁ । ମୋଟ ୭୨୬ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୯୫ଜଣ କୋଟିପତି । ବିଜେଡିରେ ଅଧିକ କୋଟିପତି ସଭ୍ୟ ଅଛନ୍ତି । ଦଳରୁ ଜିଣିଥିବା ୬୬୧ ସଭ୍ୟଙ୍କ ଭିତରୁ ୯୦ଜଣ କୋଟିପତି । ଦଳର ସର୍ବାଧିକ ୧୪% ସଭ୍ୟ କୋଟିପତି । ସେହିଭଳି ବିଜେପିର ୩ଜଣ ଓ କଂଗ୍ରେର ୨ଜଣ ସଭ୍ୟଙ୍କ ସମ୍ପତ୍ତି କୋଟିଏରୁ ଅଧିକ ବୋଲି ସତ୍ୟପାଠ ଦେଇଛନ୍ତି । ରାଜ୍ୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୫୭ ଲକ୍ଷ ବୋଲି ରିପୋର୍ଟରେ କୁହାଯାଇଛି । ବିଜେଡି ସଭ୍ୟଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୫୮ ଲକ୍ଷ । ବିଜେପି ସଭ୍ୟଙ୍କ ୪୯ ଲକ୍ଷ ଓ କଂଗ୍ରେସ ସଭ୍ୟଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୩୭ ଲକ୍ଷ ।

    ୬୨% ଜିଲ୍ଲା ପରିଷଦ ସଭ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ । ୧୩୬ଜଣ ମାଟ୍ରିକ୍‌ ପାସ୍‌ କରିନାହାନ୍ତି । ୭ଜଣ ସଭ୍ୟ କମ୍‌ ଶିକ୍ଷିତ (ଜଷ୍ଟ୍‌ ଲିଟରେଟ୍‌) ବୋଲି ତଥ୍ୟ ଦେଇଛନ୍ତି । ୩୧ ଜଣ ପଞ୍ଚମ ଓ ୯୮ଜଣ ସଭ୍ୟ ଅଷ୍ଟମ ପାସ୍‌ କରିଛନ୍ତି । ୧୭୭ଜଣ ଦଶମ ଓ ୧୪୫ଜଣ ଦ୍ୱାଦଶ ପାସ୍‌ କରିଛନ୍ତି । ୩୫% ସଭ୍ୟ ବା ୨୫୬ ଜଣ ସ୍ନାତକ ବା ଏହାଠାରୁ ଅଧିକ ବୋଲି ଦର୍ଶାଇଛନ୍ତି । ୬ ଜଣ ସଭ୍ୟଙ୍କ ଡିପ୍ଲୋମା ଡିଗ୍ରୀ ଅଛି । କିନ୍ତୁ ଆଉ ୬ ଜଣ ସଭ୍ୟ ନିଜ ଶିକ୍ଷାଗତ ଯୋଗ୍ୟତା ନେଇ କୌଣସି ସୂଚନା ସତ୍ୟପାଠରେ ଦେଇନାହାନ୍ତି । ମୋଟ ୭୨୬ ଜିଲ୍ଲା ପରିଷଦ ସଭ୍ୟଙ୍କ ଭିତରୁ ୩୪୧ ଜଣ ପୁରୁଷ ଓ ୩୮୫ ଜଣ ମହିଳା । ମହିଳା ସଭ୍ୟାଙ୍କ ହାର ୫୩% ବୋଲି ଏଡିଆର ରିପୋର୍ଟରେ ସୂଚନା ଅଛି 

    Maximum 500 characters

    ରାଜନୀତି View all

    Find Us on Facebook