ମୁଖ୍ୟ ଖବର
ଥ୍ରୀଶୁର (କେରଳମ୍): ଜାତୀୟ ରାଜପଥ 66 ପାର୍ଶ୍ବରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଲା କାର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚୂନା ହୋଇଯାଇଛି । କାର୍ରେ ଥିବା 8 ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ କେରଳମ୍ର ତ୍ରିସୁର ଜିଲ୍ଲାର କାଇପାମଙ୍ଗଲମରେ ନିର୍ମାଣାଧିନ ଜାତୀୟ ରାଜପଥ 66ରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ପାନାମ୍ବିକକୁନୁ ସେଣ୍ଟରରେ ନିକଟରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାରେ PSNA କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଡିଣ୍ଡିଗୁଲର ଛାତ୍ରମାନେ ପ୍ରାଣ ହରାଇଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ 11.42 ମିନିଟ୍ ସମୟରେ ଦୁର୍ଘଟଣା ଘଟିଥିଲା । ତାମିଲନାଡୁ ରେଜିଷ୍ଟର ନମ୍ବର ଥିବା କାରଟି ଭାରସାମ୍ୟ ହରାଇ ଦ୍ରୁତଗତିରେ ଟ୍ରକକୁ ଧକ୍କା ଦେଇଥିଲା । ଭାରୀଯାନଟି ଜାତୀୟ ରାଜପଥ ପାର୍ଶ୍ବରେ ଠିଆ ହୋଇରହିଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, କାରଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁର୍ମାର ହୋଇଯାଇଥିଲା । କାର୍ଟିର ସାମ୍ନା ଭାଗଟି ଟ୍ରକ ତଳେ ପଶିଯାଇଥିଲା ।
ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା, ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଭିତରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ଗାଡ଼ିକୁ କାଟିବାକୁ ପଡ଼ିଥିଲା । କାର୍ ସାମ୍ନାପଟରେ ବସିଥିବା ଯାତ୍ରୀଙ୍କୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳଙ୍କୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । କାର୍ରେ ଥିବା ସମସ୍ତ 8 ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।
ସମସ୍ତ ମୃତକ ତାମିଲନାଡୁ ଅଞ୍ଚଳର ଅଟନ୍ତି । ସେମାନଙ୍କ ମଧ୍ୟରୁ 5 ଜଣ ହେଉଛନ୍ତି ସାଲେମରୁ ବିଶ୍ୱା, ଡିଣ୍ଡିଗୁଲରୁ ସୂର୍ଯ୍ୟ ଏବଂ ୟୁବା ସଞ୍ଜୀତ, ଏବଂ ମଦୁରାଇରୁ ସନ୍ତୋଷ ଏବଂ ପ୍ରସନ୍ନ । ଅନ୍ୟ 3 ଜଣଙ୍କ ପରିଚୟ ଖୋଜା ଚାଲିଛି ।
ପରିଚୟ ମିଳିଥିବା ବ୍ୟକ୍ତିଙ୍କ ପରିବାରକୁ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଛି । ସମସ୍ତ ଛାତ୍ର ମାନେ ଛୁଟିରେ କେରଳମ ବୁଲିବାକୁ ଆସିଥିବା ପ୍ରାଥମିକ ସୂଚନାରୁ ଜାଣିବାକୁ ମିଳିଛି । କାଇପାମଙ୍ଗଲମ୍ ପୋଲିସ ତଦନ୍ତ ପ୍ରକ୍ରିୟା ସମାପ୍ତ କରି ମୃତଦେହଗୁଡ଼ିକୁ ତ୍ରିସୁର ମେଡିକାଲ କଲେଜ ହସ୍ପିଟାଲ ମୃତଦେହ ଗୃହକୁ ସ୍ଥାନାନ୍ତର କରିଛି ।
ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏପରି ଦୁର୍ଘଟଣା ଯଥେଷ୍ଟ ସାଇନ୍ ବୋର୍ଡ ଓ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳରେ ରାତିରେ ବାରମ୍ବାର ଦୁର୍ଘଟଣା ଘଟୁଛି । ବିଭିନ୍ନ ସ୍ଥାନରେ ଟ୍ରାଫିକକୁ ଅନ୍ୟ ରାସ୍ତାକୁ ପରିବର୍ତ୍ତନ କରାଯାଇଥିଲେ ସୁଦ୍ଧା ବିଭିନ୍ନ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି ।
Comments ସମସ୍ତ ମତାମତ