ମୁଖ୍ୟ ଖବର
ମୁମ୍ୱାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଚାମୋରଶୀ ରୋଡ୍ରେ ଏକ ଯାତ୍ରୀବାହୀ ବସ୍ ଏବଂ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିବାହ ସମାରୋହର ଖୁସି ମୃତ୍ୟୁର ଶୋକରେ ପରିଣତ ହୋଇଯାଇଛି । ସୂଚନା ଅନୁଯାୟୀ, ଗୋଟିଏ ସ୍କର୍ପିଓ ଗାଡ଼ିରେ ପ୍ରାୟ ୧୬ ଜଣ ଯାତ୍ରୀ ରାମପୁରରେ ଏକ ବିବାହ କାର୍ୟ୍ୟ ସାରି ଭଦଭିଡ଼ି ମୋକାସା ଅଭିମୁଖେ ଫେରୁଥିଲେ । ଗଡ଼ଚିରୋଲି-ଚାମୋରଶୀ ମାର୍ଗର ତଲୋଧି ଗାଁ ପାଖ ଏକ ବିପଜ୍ଜନକ ମୋଡ଼ରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ବସ୍ ସହିତ ଗାଡ଼ିଟିର ଭୟଙ୍କର ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ସ୍କର୍ପିଓଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି ।
ଦୁର୍ଘଟଣା ପରେ ରାସ୍ତା ଉପରେ ମୃତଦେହ ପଡ଼ିରହିଥିଲା । ବିକଟାଳ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଗାଡ଼ି ଭିତରେ ଚାପି ହୋଇ ରହିଥିବା ଆହତମାନଙ୍କୁ ବହୁ କଷ୍ଟରେ ବାହାର କରାଯାଇଥିଲା । ସମସ୍ତ ଗୁରୁତରଙ୍କୁ ଗଡ଼ଚିରୋଲି ଜିଲ୍ଲା ସାଧାରଣ ହସ୍ପିଟାଲକୁ ନିଆଯାଇଛି । ଡାକ୍ତରଖାନା ନେବା ବାଟରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ମଧ୍ୟ କିଛି ଆହତଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅତ୍ୟଧିକ ବେଗ ଏବଂ ବିପଜ୍ଜନକ ମୋଡ଼ ଯୋଗୁଁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Comments ସମସ୍ତ ମତାମତ