ମୁଖ୍ୟ ଖବର
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ମର୍ମନ୍ତୁଦ ଦୁର୍ଘଟଣା । ଖାଇକୁ ଖସିଲା ବସ୍ । ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ । ସେହିପରି ଏକାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଆଲୁରି ସୀତାରାମ ରାଜୁ ଜିଲ୍ଲାର ଚିନ୍ତୁରୁ-ମାରେଡୁମିଲ୍ଲୀ ଘାଟ ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୩୫ ଜଣ ଯାତ୍ରୀଙ୍କୁ ନେଇ ବସଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇକୁ ଖସିଥିଲା ବସ। ସମସ୍ତ ଯାତ୍ରୀ ଭଦ୍ରାଚଳମ୍ ପରିଦର୍ଶନ କରିବା ପରେ ଅନ୍ନଭରମ୍ ଯାତ୍ରା କରୁଥିଲେ। ମଧ୍ୟରାତ୍ରି ପରେ ଘାଟ ରୋଡରେ ଏହି ଘଟଣା ଘଟିଥିଲା।
ପୁଲିସର କହିବା ଅନୁଯାୟୀ,ଡ୍ରାଇଭର ଭାରସାମ୍ୟ ହରାଇ ତୁଳସୀପାକା ନିକଟରେ ନବମ ମାଇଲଖୁଣ୍ଟରେ ସୁରକ୍ଷା କାନ୍ଥ ସହିତ ଧକ୍କା ହୋଇଥାଇପାରେ । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାଟି ଏକ ପାହାଡିଆ ଅଞ୍ଚଳରେ ଘଟିଥିବାରୁ, ମୋଥୁଗୁଣ୍ଟା ଅଧିକାରୀମାନଙ୍କ ପାଖରେ ସୂଚନା ପହଞ୍ଚିବାକୁ କିଛି ସମୟ ଲାଗିଥିଲା। ତଥାପି, ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ଆହତମାନଙ୍କୁ ଚିନ୍ତୁର ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଏପର୍ୟ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି।
Comments ସମସ୍ତ ମତାମତ