ମୁଖ୍ୟ ଖବର
ନୂଆଦିଲ୍ଲୀ:ରାଜସ୍ଥାନର ସିକର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ-ବସ୍ ମୁହାଁମୁହିଁ ଧକ୍କା । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡା଼କ୍ତରଖାନାରେ ଭର୍ତ୍ତି କରାଯାଇଇଛି। ଅନ୍ୟପଟେ ମୃତକଙ୍କ ପରିଚୟ ଏବେବି ଅସ୍ପଷ୍ଟ ରହିଛି।ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ସ୍ଲିପର ବସଟି ବିକାନେରରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା। ସେହିପରି ଅପରପାର୍ଶ୍ୱରୁ ଝୁନଝୁନୁରୁ ବିକାନେରକୁ ଟ୍ରକଟି ଆସୁଥିଲା । ଉଭୟ ଗାଡ଼ିର ଦ୍ରୁତଗତି ଯୋଗୁଁ ଫତେପୁର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଧକ୍କା ଏତେ ଜୋରରେ ହୋଇଥିଲା ଯେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଅନେକ ଯାତ୍ରୀ ସେମାନଙ୍କ ସିଟ୍ରେ ଫସି ରହିଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ଥିଲା । ଏନେଇ ତୁରନ୍ତ ଗାଁ ଲୋକେ ପୁଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ, ଏବଂ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ବ୍ୟବହାର କରି ଆହତମାନଙ୍କୁ ବାହାର କରିଥିଲା। ସମସ୍ତ ଆହତଙ୍କୁ ସିକର ଏବଂ ନିକଟବର୍ତ୍ତୀ ଅଞ୍ଚଳର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନେକ ଟିମ ଗୁରୁତର ଆହତଙ୍କୁ ଚିକିତ୍ସା କରୁଛନ୍ତି।ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଅଧିକାଂଶ ଯାତ୍ରୀ ଗୁଜରାଟର ବୋଲି ଜଣାପଡ଼ିଛି। ସେମାନେ ବୈଷ୍ଣୋଦେବୀରୁ ଫେରୁଥିଲେ ଏବଂ ଖାତୁ ଶ୍ୟାମଜୀଙ୍କୁ ଦର୍ଶନ କରିବା ପାଇଁ ବସ୍ ଯୋଗେ ସିକର ଯାତ୍ରା କରୁଥିଲେ।
Comments ସମସ୍ତ ମତାମତ