ମୁଖ୍ୟ ଖବର
ଭୁବନେଶ୍ୱର : ମୁଣ୍ଡ ଖାଉଛି ରାଜ୍ୟରେ ସଡ଼କ ଦୁର୍ଘଟଣା। ମୃତ୍ୟୁ ହାର ଦୁଇଶହ ପ୍ରତିଶତ ଛୁଇଁବାକୁ ବସିଲାଣି। ରାଜ୍ୟରେ ୧୦ଟି ଜିଲ୍ଲାରେ ସ୍ଥିତି ସଂଗୀନ। ମୃତ୍ୟୁ ହାର ୫୦ ପ୍ରତିଶତ ଡେଇଁସାରିଲାଣି। ମୃତ୍ୟୁ ହାରରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ। ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ରାଜ୍ୟର ଜିଲ୍ଲା ଓ୍ବାରି ଜିଲ୍ଲାପାଳ ଓ ଏସ୍ପିଙ୍କୁ ରୋକ୍ ଲଗାଇବାକୁ ଚିଠି ଲେଖିଛନ୍ତି।
ଗଲା ଜାନୁଆରି ଓ ଫେବ୍ରୁଆରିରେ ରାଜ୍ୟରେ ୨ହଜାର ୨୧୬ଜଣଙ୍କ ମୃତ୍ୟୁ ଘଟିଛି। ଜାନୁଆରିରେ ୧ ହଜାର ୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫେବ୍ରୁଆରିରେ ୨ହଜାର ୨୧୬ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଗୁଣା ମୃତ୍ୟୁ ଫେବ୍ରୁଆରିରେ ହୋଇଛି। ୨୦୨୨ ତୁଳନାରେ ଚଳିତବର୍ଷ ମୃତ୍ୟୁ ହାର ୨୪.୯୧ ପ୍ରତିଶତ ବୃଦ୍ଧି ପାଇଛି। ଗଲା ବର୍ଷ ପ୍ରଥମ ୨ ମାସରେ ୧ହଜାର ୬୫୭ଜଣ ମୃତ୍ୟୁ ହୋଇଥିଲା। ଜାନୁଆରିରେ ୧୮୦୪ ଓ ଫେବ୍ରୁଆରିରେ ୮୫୯ଜଣଙ୍କ ମୃତ୍ୟୁ ହୋଇଥିଲା। ଦେବଗଡ଼, ଯାଜପୁର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥିତି ଅଣାୟତ ହୋଇପଡ଼ିଛି। ଏ ବର୍ଷ ମୃତ୍ୟୁ ହାର ଶହେ ପ୍ରତିଶତ ଡେଇଁଛି। ଯାଜପୁର ଜିଲ୍ଲାରେ ସର୍ବାଧିକ ୧୮୫ ପ୍ରତିଶତ ରହିଛି। ଏହା ପଛକୁ ଦେବଗଡ଼ ଜିଲ୍ଲାରେ ୧୩୩.୩୩ ପ୍ରତିଶତ ଏବଂ ଝାରସୁଗୁଡ଼ାରେ ୧୧୫.୩୮ ପ୍ରତିଶତ ରହିଛି। ଖୋର୍ଦ୍ଧା, ପୁରୀ, ଗଜପତି, ଜଗସିଂହପୁର, କେନ୍ଦ୍ରାପଡା, ମାଲକାନଗିରି ଏବଂ ନୂଆପଡ଼ା ଇତ୍ୟାଦି ଜିଲ୍ଲାରେ ମୃତ୍ୟୁହାର ୫୦ପ୍ରତିଶତରୁ ଅଧିକ ରହିଛି। ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫ହଜାର ୪୬୭ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ୨୦୨୧ ତୁଳନାରେ ୭.୬ ପ୍ରତିଶତ ଅଧିକ ରହିଛି।
ଏଣିକି ସଡ଼କ ଦୁର୍ଘଟଣା ସହିତ ମୃତ୍ୟୁହାର ହ୍ରାସ କରିବା ପାଇଁ ଋଣନୀତି ପ୍ରସ୍ତୁତ କରିଛି ପରିବହନ ବିଭାଗ।
ସଚେତନତା କାର୍ଯ୍ୟକ୍ରମ ସହିତ ରାସ୍ତାର ବୈଷୟୀକ ତ୍ରୁଟି ଚିହ୍ନଟ କରାଯିବ। ଆହତଙ୍କୁ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ଯୋଗାଇଦିଆଯିବ। ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କଠୋର କରିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। ପ୍ରତ୍ୟେକ ମାସରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି(ଡିଆର୍ଏସ୍ସି) ବୈଠକ ବସିବ। ଏଥିରେ ଜିଲ୍ଲାର ସଡ଼କ ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବାକୁ ନିର୍ଦ୍ଦେଶ ରହିଛି। ସହରର ମୁଖ୍ୟ ରାସ୍ତା, ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ସୁରକ୍ଷାକୁ ଦୃଷ୍ଟିରୁ ସିସିଟିଭି, ରିଫ୍ଲେକ୍ଟର, ସାଇନ୍ ଏଜ୍ ଇତ୍ୟାଦି ଲଗାଯିବ। ସମସ୍ତ ଡିଆର୍ଏସ୍ସି ଆସନ୍ତା ୨୦ ତାରିଖ ସୁଦ୍ଧା ପାଣ୍ଠି ବାବଦକୁ ନିଜ ନିଜର ତାଲିକା ଦେବାକୁ କୁହାଯାଇଛି। ଆର୍ଟିଓମାନେ ନିଜ ଜିଲ୍ଲାର ତାଲିକା ସଂଗ୍ରହ କରିବେ। ତାଲିକା ଠିକ୍ ସମୟରେ ପାଇଛନ୍ତି କି ନାହିଁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments ସମସ୍ତ ମତାମତ