ମୁଖ୍ୟ ଖବର
ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିରେ ୧୨ଟି ସଭାପତି, ୧୭ଟି ସାଧାରଣ ସମ୍ପାଦକ, ୨୨ଟି ଉପସଭାପତି ଏବଂ ୨୩ଟି ଯୁଗ୍ମ ସମ୍ପାଦକ ପଦବୀ ଅନ୍ତର୍ଭୁକ୍ତ ରହିଛି ।
ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଏବିଭିପି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏବିଭିପି ସଭାପତି, ନାଟ୍ୟ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦବୀରେ ବିଜୟୀ ହୋଇଛି । ସେହିପରି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ, ଧର୍ମଶାଳା ଡିଗ୍ରୀ ମହାବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାସ୍ଥିତ ମହିମା ଡିଗ୍ରୀ ମହାବିଦ୍ୟାଳୟ, ବ୍ରହ୍ମପୁରର ଚିକିଟି ଡିଗ୍ରୀ ମହାବିଦ୍ୟାଳୟ, ବୁଗୁଡ଼ାସ୍ଥିତ ପିପୁଲ୍ସ ଡିଗ୍ରୀ ମହାବିଦ୍ୟାଳୟ ଏବଂ ହିନ୍ଦୋଳର ଖଜୁରିକଟା ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ ପ୍ରମୁଖ ପଦବୀରେ ଏବିଭିପି ବିଜୟ ହାସଲ କରିଛି ।ଦିଲ୍ଲୀ, ପଞ୍ଜାବ, କେରଳ ଓ ଆସାମ ପରେ ବିଭିନ୍ନ ରାଜ୍ୟରେ ଏବିଭିପିର ନିର୍ବାଚନୀ ସଫଳତା ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗଠନର ବଢ଼ୁଥିବା ଗ୍ରହଣୀୟତାକୁ ପ୍ରତିଫଳିତ କରୁଛି ।
ଏବିଭିପିର ଜାତୀୟ ସମ୍ପାଦକ ଶ୍ରବଣ ବି. ରାଜ କହିଛନ୍ତି, ‘‘ଓଡ଼ିଶାରେ ଏବିଭିପିର ଲଢ଼େଇ କଂଗ୍ରେସ ଓ ବିଜୁ ଜନତା ଦଳର ସେହି ରାଜନୈତିକ ଦୃଷ୍ଟିକୋଣ ବିରୋଧରେ, ଯେଉଁଠାରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଅପେକ୍ଷା ରାଜନୈତିକ ଗଣିତକୁ ଅଧିକ ପ୍ରାଧାନ୍ୟ ଦିଆଯାଏ । NSUI ଓ BCJD ପଛରେ ରାଜନୈତିକ ସମର୍ଥନ ଥିବା ସତ୍ତ୍ୱେ ଅନେକ ମହାବିଦ୍ୟାଳୟରେ ପ୍ରାର୍ଥୀ ଦେବାରେ ସେମାନଙ୍କ ବିଫଳତା ପ୍ରମାଣ କରୁଛି ଯେ କେବଳ ରାଜନୈତିକ ସମ୍ପର୍କ କିମ୍ବା ସମର୍ଥନ ଛାତ୍ର ରାଜନୀତିରେ ସଫଳତା ପାଇଁ ଯଥେଷ୍ଟ ନୁହେଁ । ଛାତ୍ରଛାତ୍ରୀଙ୍କ ସହ ନିରନ୍ତର ସମ୍ପର୍କ ରଖିବା ଓ ସେମାନଙ୍କ ବିଶ୍ୱାସ ଜିତିବା ହିଁ ସଫଳତାର ପ୍ରକୃତ ଆଧାର । ଏବିଭିପିର କାର୍ଯ୍ୟକର୍ତ୍ତା ବର୍ଷସାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହି ସେମାନଙ୍କ ସମସ୍ୟା ବୁଝିବା ସହ ତାହାର ସମାଧାନ ପାଇଁ ନିରନ୍ତର ପ୍ରୟାସ କରନ୍ତି । କିଛି ସଂଗଠନ କେବଳ ନିର୍ବାଚନ ସମୟରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳେ ’’।
ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି, "ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଏବିଭିପିର ସଫଳତା ହେଉଛି କାର୍ଯ୍ୟକର୍ତ୍ତାମାନଙ୍କ କଠିନ ପରିଶ୍ରମ, ନିରନ୍ତର ସକ୍ରିୟତା ଏବଂ ବର୍ଷସାରା ଛାତ୍ରଛାତ୍ରୀଙ୍କ ସହ ରହିଥିବା ଘନିଷ୍ଠ ସମ୍ପର୍କର ପରିଣାମ । ଏବିଭିପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା କ୍ୟାମ୍ପସରେ ନିରନ୍ତର ସକ୍ରିୟ ରହି ଛାତ୍ରଛାତ୍ରୀଙ୍କ ସମସ୍ୟା ଉଠାଇବା ସହ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରନ୍ତି । ଛାତ୍ରଛାତ୍ରୀଙ୍କ ବିଶ୍ୱାସ ହେଉଛି ଅଭାବିପର ସବୁଠାରୁ ବଡ଼ ଶକ୍ତି ଏବଂ ଏହି ନିର୍ବିରୋଧ ବିଜୟ ସେହି ବିଶ୍ୱାସର ପ୍ରତିଫଳନ । ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନ ଆଧାରରେ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଅଭାବିପ କାର୍ଯ୍ୟକର୍ତ୍ତାମାନେ ଉଲ୍ଲେଖନୀୟ ବିଜୟ ହାସଲ କରିବେ ବୋଲି ଆମର ଦୃଢ଼ ବିଶ୍ୱାସ । ଏଥିସହ ଛାତ୍ରଛାତ୍ରୀଙ୍କ କଲ୍ୟାଣ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଦୃଢ଼ତାର ସହ ଉଠାଇବା । ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଅଭାବିପ ନିରନ୍ତର କାର୍ଯ୍ୟ କରିବ ।"
ସେ ଆହୁରି କହିଛନ୍ତି ଯେ ‘‘ରାଜ୍ୟର ୬୦ଟି ମହାବିଦ୍ୟାଳୟର ୨୫୨ଟି ପଦବୀରେ ଏବିଭିପି ପ୍ରାର୍ଥୀଙ୍କ ନିର୍ବିରୋଧ ବିଜୟ ଆମ କାର୍ଯ୍ୟଶୈଳୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗଠନ ପ୍ରତି ଥିବା ବିଶ୍ୱାସର ପ୍ରମାଣ । ଏବିଭିପି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ନିରନ୍ତର କାର୍ଯ୍ୟ କରିଚାଲିବ । ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ମଧ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାପକ ସମର୍ଥନ ମିଳିବ ବୋଲି ଆମର ଦୃଢ଼ ବିଶ୍ୱାସ ।"
ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ପରେ ବିଭିନ୍ନ ପଦବୀଗୁଡ଼ିକ ପାଇଁ ଅନ୍ୟ କୌଣସି ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ରହିନଥିଲେ । ଅନେକ ମହାବିଦ୍ୟାଳୟରେ କଂଗ୍ରେସ ସମର୍ଥିତ NSUI ଏବଂ ବିଜୁ ଜନତା ଦଳ ସମର୍ଥିତ BCJD ମଧ୍ୟ ପ୍ରାର୍ଥୀ ଦେବାରେ ବିଫଳ ହୋଇଛନ୍ତି । ଏହା ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ହାସଲ କରିବା କ୍ଷେତ୍ରରେ ରାଜନୈତିକ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଦର୍ଶାଉଛି । ଅନ୍ୟପକ୍ଷରେ, ବର୍ଷସାରା ଛାତ୍ରଛାତ୍ରୀଙ୍କ ସହ ନିରନ୍ତର ସମ୍ପର୍କ ଓ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିରନ୍ତର ପ୍ରୟାସ ମାଧ୍ୟମରେ ଏବିଭିପି ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଚାଲିଛି ।
Comments ସମସ୍ତ ମତାମତ