ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରସିଦ୍ଧ ସଂଗୀତଜ୍ଞ ଏ.ଆର୍. ରହମାନଙ୍କୁ ଏକ ଝଟକା ଲାଗିଛି। ୨୦୨୩ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ପୋନିୟାନ ସେଲଭାନ୍-୨ ର ଗୀତ "ବୀରା ରାଜା ବୀରା" ସଙ୍ଗୀତର କପିରାଇଟ୍ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏ.ଆର୍. ରହମାନ ଏବଂ ପ୍ରଯୋଜନା କମ୍ପାନୀ ମାଡ୍ରାସ ଟକିଜ୍ ଉପରେ ୨ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଜରିମାନା ଲଗାଇଛନ୍ତି।
ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ପ୍ରତିଭା ସିଂହଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, "ବୀରା ରାଜା ବୀରା"ର ସ୍ୱର ଏବଂ ତାଳ କେବଳ ଶିବ ସ୍ତୁତି ଗୀତ ସହିତ ସମାନ ନୁହେଁ ବରଂ ଏହା କିଛି ପରିବର୍ତ୍ତନ ସହିତ ଶିବ ସ୍ତୁତି ଗୀତ ପରି ମନେ ହେଉଛି। କୋର୍ଟ କହିଛନ୍ତି ଯେ, ଏ.ଆର୍. ରହମାନ ଏବଂ ମାଡ୍ରାସ ଟକିଜ୍ ପ୍ରାରମ୍ଭରେ ଏହି ଗୀତ ପାଇଁ ଡାଗର ଭାଇମାନଙ୍କୁ କ୍ରେଡିଟ୍ ଦେଇ ନଥିଲେ। କିନ୍ତୁ ପରେ ଫିଲ୍ମର ଅନଲାଇନ୍ ସଂସ୍କରଣରେ କ୍ରେଡିଟ୍ ଦେଇଥିଲେ। କୋର୍ଟ ୨୦ ଅକ୍ଟୋବର, ୨୦୨୩ରେ ଏ.ଆର୍. ରହମାନଙ୍କୁ ନୋଟିସ୍ ଜାରି କରିଥିଲେ।କୋର୍ଟ ଏ.ଆର୍. ରହମାନଙ୍କୁ ଗୀତର ମୂଳ ରେକର୍ଡିଂ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୀତଟି ଶୁଣିବା ପରେ କୋର୍ଟ କହିଥିଲେ ଯେ, ଗୀତର ସ୍ୱର ଏବଂ ତାଳ ନିଶ୍ଚିତ ଭାବେ ସମାନ ମନେ ହେଉଛି।
ଧ୍ରୁପଦ ସଂଗୀତଜ୍ଞ ଉସ୍ତାଦ୍ ୱାସିଫୁଦ୍ଦିନ ଡାଗରଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା। ପୋନିୟାନ ସେଲଭାନ୍-୨ ଫିଲ୍ମରେ ଏ.ଆର୍. ରହମାନ ତାଙ୍କୁ କ୍ରେଡିଟ୍ ନଦେଇ ତାଙ୍କ ସଙ୍ଗୀତ ବ୍ୟବହାର କରି କପିରାଇଟ୍ ଉଲ୍ଲଂଘନ କରିଥିବା ହେତୁ ସେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଆବେଦନରେ "ବୀରା ରାଜା ବୀରା" ଗୀତର କପିରାଇଟ୍ ଉଲ୍ଲଂଘନ ଅଭିଯୋଗ କରାଯାଇଥିଲା।ଆବେଦନରେ କୁହାଯାଇଛି ଯେ, ତାଙ୍କ ବାପା ନାସିର ଫୟାଜୁଦ୍ଦିନ ଡାଗର ଏବଂ କାକା ଜାହିରୁଦ୍ଦିନ ଡାଗରଙ୍କ ଦ୍ୱାରା ରଚିତ ସଙ୍ଗୀତର କପିରାଇଟ୍ ତାଙ୍କ ପାଖରେ ଅଛି। ଏହି ପ୍ରକାରର ଗାୟନକୁ ଡାଗର ବାଣୀ କୁହାଯାଏ ଏବଂ ଏହା ଧ୍ରୁପଦ ଗାୟନର ମୂଳଦୁଆ। ଆବେଦନରେ କୁହାଯାଇଥିଲା ଯେ, ଆବେଦନକାରୀଙ୍କ ପିତାଙ୍କ ପୁରୁଣା ଗୀତ ମଧ୍ୟରୁ ଗୋଟିଏ ହେଉଛି ଶିବ ସ୍ତୁତି ଯାହା ୧୯୭୦ ମସିହାରେ ଗାନ କରାଯାଇଥିଲା।
Comments ସମସ୍ତ ମତାମତ