Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରୀ କାର୍ୟ୍ୟରେ ଏଆଇ ବ୍ୟବହାର ନେଇ ରାଜ୍ୟ ସରକାର ଆଗ୍ରହୀ: ମନ୍ତ୍ରୀ ଡଃ ମହାଲିଙ୍ଗ

    Share on :
    ajab-Image
    Date: Dec 20, 2025    Views: 3871

    ଭୁବନେଶ୍ୱର: ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ କାର୍ୟ୍ୟରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ନିମନ୍ତେ ଓଡ଼ିଶା ସରକାର ଅନେକ ଯୋଜନା ରଖିଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ।
    ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟବହାର ନେଇ ଆମର ଯୋଜନା ରହିଛି । ରାଜ୍ୟ ସରକାରଙ୍କର ୪୧ଟି ବିଭାଗରେ ଏହି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯିବ ବୋଲି କହିଛନ୍ତି ଡକ୍ଟର ମହାଲିଙ୍ଗ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଏକ ଦିବସୀୟ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ର ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । 
    ମନ୍ତ୍ରୀ କହିଛନ୍ତି ଯେ ଏଆଇର କିଭଳି ବ୍ୟବହାର କରାଯାଇପାରିବ ଏବଂ ଏହା ଦ୍ୱାରା ଆମକୁ ଭବିଷ୍ୟତରେ କିଭଳି ଏହାର ଲାଭ ଉଠାଇପାରିବା ସେ ଦିଗରେ ଆମେ ଅନୁଶୀଳନ କରୁଛୁ । ରାଜ୍ୟରେ ପ୍ରଥମ ଥର ଓଡ଼ିଶା ଏଆଇ ଭିତିକୁ ଅନୁମୋଦନ ମିଳିଛି ଯେଉଁଥିରେ କି ନବୀକରଣ, ଉଦ୍‌ଭାବନ ଓ ବିଶ୍ୱସ୍ତରୀୟ ଡିଜିଟାଲ୍ ଦକ୍ଷତାକୁ ଅଧିକ ବିନିଯୋଗ କରାଯାଇପାରିବ । 
    ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ପିତାମାତା, ଶିକ୍ଷକ ଏବଂ ପ୍ରକୃତିକୁ ମଣିଷର ତିନୋଟି ଗୁରୁ ବୋଲି କୁହାଯାଉଥିବା ବେଳେ ବର୍ତମାନ ଏଆଇ ଚତୁର୍ଥ ଗୁରୁଙ୍କର ସ୍ଥାନ ନେଇଛି । କାରଣ ଆମେ ଯେତେବେଳେ ବି ମନରେ କିଛି ପ୍ରଶ୍ନ ଆସିଥାଏ ଏହି ପ୍ରଯୁକ୍ତିବିଦ୍ୟା ସଂଗେ ସଂଗେ ଉତର ଦେଇଥାଏ । ମନ୍ତ୍ରୀ କହିଥିଲେ ଯେ  ଭୁବନେଶ୍ୱରରେ ଡିସେମ୍ବର ୧୯ ଏବଂ ୨୦ ଦୁଇ ଦିନ ଧରି ଦୁଇ ଦିବସୀୟ ଆଂଚଳିକ ଏଆଇ ଇମ୍ପାକ୍ଟ ସମ୍ମିଟ ୨୦୨୫ର ଆୟୋଜନ କରାଯାଇଛି । ସେହିପରି ଇଣ୍ଡିଆ ଏଆଇ ମିଶନ ଅଧିନରେ  ୨୦୨୬ ଫେବୃଆରୀ ନୂଆଦିଲ୍ଲୀ ଠାରେ ଇଣ୍ଡିଆ ଏଆଇ ସମ୍ମିଟ୍‌ର ଆୟୋଜନ କରାଯାଇଥିବା ବେଳେ ଏହା ପରେ ଓଡ଼ିଶାରେ ଏକ ଆଂଚଳିକ ଏଆଇ ସମ୍ମିଟର ଆୟୋଜନ କରାଯିବ । 
    ଓଡ଼ିଶାରେ ପ୍ରଥମ ଥର ପାଇଁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ଆୟୋଜନ ସୋଆ, ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍‌ପିସି ସେଂଟର ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏହି ଏକ ଦିବସୀୟ କାର୍ୟ୍ୟକ୍ରମରେ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପ କ୍ଷେତ୍ରର ନେତୃତ୍ୱ, ଗବେଷକ, ଉଦ୍ୟୋଗୀ, ନିବେଶକ ଗୋଟିଏ ମଂଚରେ ଏକାଠି ହୋଇ ସ୍ୱାସ୍ଥ୍ୟ ସେବା ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ କିଭଳି ଏଆଇର ବ୍ୟବହାର କରାଯାଇପାରିବ ସେ ଦିଗରେ ଆଲୋଚନା କରିଥିଲେ । 
    କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରଇସି)ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗ ଦେଇ ଏଆଇ ବ୍ୟବହାର ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ଆସିଥିବା ସଂସ୍କାର ସମ୍ପର୍କରେ ସୂଚନା ଦେଇଥିଲେ । 
    ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ଏଆଇ ଦ୍ୱାରା କିଭଳି କୃଷି, ସ୍ୱାସ୍ଥ୍ୟ, ନିରାପତାଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଲାଭବାନ ହୋଇପାରିବ ସେ ଦିଗରେ ଗବେଷଣା କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଓଡ଼ିଶା ଏଆଇ ସମ୍ପର୍କିତ ଗବେଷଣାରେ ଆଗୁଆ ରହିବ ବୋଲି ସେ ଆଶା କରିଥିଲେ ।
    କାର୍ୟ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍‌ପିସି ରିସର୍ଚ୍ଚ ସେଂଟରର ସେଂଟର ଡାଇରେକ୍ଟର ପ୍ରଫେସର ଅଶ୍ୱିନୀ ନନ୍ଦ, ୟୁଏସଏମର ଟ୍ରଫ୍ଟସ ସ୍କୁଲ ଅଫ୍ ଇଞ୍ଜିନିୟରିଂର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର, ଡାଟା ଇନ୍‌ଟେନ୍‌ସିଭ ଷ୍ଟଡିଜ୍ ସେଂଟରର ନିର୍ଦ୍ଦେଶକ ଏବଂ ମ୍ୟାଥେମେଟିକ୍ସ ବିଭାଗର ପ୍ରଫେସର ଅବନୀ ପାତ୍ର ଓ ୟୁଏସଏ ସ୍ଥିତ ଜନ ହପ୍‌କିନ୍‌ସ ୟୁନିଭର୍ସିଟିର ଚିଫ୍ ୫ଜି ଷ୍ଟ୍ରାଟେର୍ଜିସ୍ ଓ ଡାଇରେକ୍ଟର ଏବଂ ଡକ୍ଟର ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଆଶୁତୋଷ ଦତ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଏଆଇ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

    ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ, ଓଇଆରସି ଅଧ୍ୟକ୍ଷ ଶ୍ରୀ ଜେନା ଓ ଅନ୍ୟ ଅତିଥିମାନେ ସ୍ମରଣିକା ଉନ୍ମୋଚନ କରିବା ସହିତ ଓଡ଼ିଶା ଏଆଇ ହାକାଥନ୍ ୨୦୨୫ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । 
    ଏହି କାର୍ୟ୍ୟକ୍ରମର ପ୍ରଥମାର୍ଦ୍ଧରେ ବୈଦ୍ୟୁତିକ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓକାକ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତରେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଅପାର ସମ୍ଭାବନା ରହିଥିବା ବେଳେ ଲୋକଙ୍କ ଜୀବନକୁ ସହଜ କରିପାରେ ଏହା ସହାୟକ ହେବ । ପ୍ରଶାସନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନରେ ଏହା ସହାୟକ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । 
    ଏହି ଅବସରରେ ନିକଟରେ ପରଲୋକ ଗମନ କରିଥିବା ସୋଆର ପୂର୍ବତନ କୁଳପତି ତଥା ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ଦାସଙ୍କ ସ୍ମୃତିଚାରଣ କରାଯାଇଥିଲା । 
    ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ବିଶିଷ୍ଟ ବଂଶୀ ବାଦକ ପଦ୍ମବିଭୁଷଣ ପଣ୍ଡିତ ହରିପ୍ରସାଦ ଚୌରାସିୟାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପଣ୍ଡିତ ଚୌରାସିୟାଙ୍କର ବୃନ୍ଦାବନ ଗୁରୁକୁଳ ଆଶ୍ରମର ଶିଷ୍ୟମାନଙ୍କ ଦ୍ୱାରା ବଂଶୀବାଦନ ପରିବେଷଣ କରାଯାଇଥିଲା ।
    ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସଭା କାଯ୍ୟ ପରିଚାଳନା କରିଥିବା ବେଳେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଓ ପ୍ରଫେସର ଅଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook