ମୁଖ୍ୟ ଖବର
କଟକ, ସରିଲା ଐତିହାସିକ କଟକ ବାଲିଯାତ୍ରା । ୯ ଦିନର ଏହି ମେଳାରେ ଚଳିତବର୍ଷ ପ୍ରାୟ ୭୦ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ଆକଳନ କରାଯାଉଛି । ଅଢ଼େଇ ହଜାର ପଞ୍ଜିକୃତ ଷ୍ଟଲ୍, ହଜାରରୁ ଅଧିକ ଉଠା ଦୋକାନୀଙ୍କ କାରବାର ଓ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳିଚହଳି ଭିତରେ ଜମିଥିଲା ୯ ଦିନର ଯାତ୍ରା । ଏଥର କଟକ ବାଲିଯାତ୍ରାରେ ପ୍ରାୟ ୩୦୦ କୋଟିର ବେପାର ହୋଇଥିବା ଅନୁମାନ କରାଯାଉଛି । ଆଜି ବାଲିଯାତ୍ରା ଶେଷ ସୁଦ୍ଧା ପଲ୍ଲିଶ୍ରୀ ମେଳାରେ ୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ଅନେକଗୁଡିଏ ନୂଆ କାର୍ୟ୍ୟକ୍ରମ ଏଥର ବାଲିଯାତ୍ରାକୁ ଦମ୍ଦାର୍ କରିଥିଲା । ବଲିଉଡ୍ ନାଇଟ୍ ଥିଲା ମୁଖ୍ୟ ଆକର୍ଷଣ । ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍, ହର୍ଷଦୀପ କୌରଙ୍କ କାର୍ୟ୍ୟକ୍ରମରେ ୩୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ଆକଳନ କରାଯାଇଛି ।ସେହିପରି ଶନିବାର ଓ ରବିବାର ବାଲିଯାତ୍ରାର ସର୍ବକାଳୀନ ରେକର୍ଡ ଭିଡ଼ ହୋଇଥିବା ପ୍ରଶାସନ ତରଫରୁ କୁହାଯାଇଛି । ଲେଜର୍ ଲାଇଟ୍ ସୋ’, ବୋଇତ ପ୍ରତିଯୋଗିତା ସାଙ୍ଗକୁ ଆକର୍ଷଣ ସୃଷ୍ଟି କରିଥିଲା ‘କଟକ ଇନ୍ କଟକ’ । ‘ଓଡ଼ିଆ ଅସ୍ମିତା ³ ଆମ ଭାଷା, ଆମ ସାହିତ୍ୟ’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ବି ଲୋକଙ୍କୁ ଆକର୍ଷିତ କରିଥିଲା । ବୋଇତ ପ୍ରତିଯୋଗିତାକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଦୁଃସାହସିକ ସୁନାମି ଦୋଳିର ମଜା ନେଇଥିଲେ । ‘ଜଳପରୀ ସୋ’ ଭଳି ଏକ ନୂଆ କାର୍ୟ୍ୟକ୍ରମକୁ ଲୋକେ ଦେଖିଥିଲେ । ଜାତୀୟ ପଲ୍ଲୀଶ୍ରୀ ମେଳା ଭିତର ଫୁଡ୍ ଷ୍ଟଲ୍ ସର୍ବାଧିକ ଖାଦ୍ୟ ବେପାର କରିଥିବା ବେଳେ ଦହିବରା ହାଟ ବି ପଛରେ ପଡିନାହିଁ । ବାଲିଯାତ୍ରାକୁ ବେଶ୍ ନିଆରା ଢଙ୍ଗରେ ଆୟୋଜନ କରିବାକୁ ୬ ମାସ ଧରି ପ୍ରସ୍ତୁତି ଜାରି ରଖିଥିଲା କଟକ ଜିଲ୍ଲା ପ୍ରଶାସନ । ପ୍ଲଟ୍ ବିକ୍ରି ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ତଳ ପଡିଆର ୬୦ଏକର ଜମିରେ ବାଲିଯାତ୍ରା ଆୟୋଜନ କରାଯାଇଥିଲା । ପ୍ରତିଦିନ ହାରାହାରି ୫ରୁ ୬ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ଶନିବାର ଓ ରବିବାର ଭିଡ଼ ଦୁଇଗୁଣା ବଢିଯାଇଥିଲା । ରବିବାର ତ ଦର୍ଶକ ସଂଖ୍ୟା ୧୫ ଲକ୍ଷ ଟପିଥିବା ଆକଳନ କରାଯାଇଥିଲା । ଜାତୀୟ ପଲ୍ଲୀଶ୍ରୀ ମେଳା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ।୨୦୨୩ରେ ଜାତୀୟ ପଲିଶ୍ରୀ ମେଳାରେ ୩୪ କୋଟି ୬୮ଲକ୍ଷ ଟଙ୍କା, ୨୦୨୪ରେ ୪୩ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ତେବେ ଏଥର ୫୦/୫୫ କୋଟି ଟପିଛି ପଲ୍ଲୀଶ୍ରୀ ମେଳାର କାରବାର । ଗତକାଲି ବୁଧବାର ସୁଦ୍ଧା ପ୍ରାୟ ୪୭ କୋଟି ୬୮ଲକ୍ଷ ୬୮ହଜାର ଟଙ୍କାର କାରବାର କରିଛି । ଆଜି ଶେଷ ଦିନରେ ଆଉ ୭/୮ କୋଟିରୁ ଅଧିକ ବେପାର ହୋଇଥିବା ସମ୍ଭାବନା ରହିଛି । ତେବେ ଏତେ ବ୍ୟାପକ ଆୟୋଜନ ସତ୍ତେ୍ୱ ଭିଡ଼ ଓ ଟ୍ରାଫିକ୍ ଜାମ୍ରେ ସାରା ସହର ଛନ୍ଦି ହୋଇପଡିଥିଲା । ମୋବାଇଲ୍ ନେଟ୍ୱର୍କକୁ ନେଇ ଲୋକେ ହଇରାଣ ହୋଇଥିଲେ । ଇ-ପେମେଣ୍ଟ୍ ଉପରେ ଭରସା କରିଥିବା ଦର୍ଶକଙ୍କ ଅଡୁଆ ବଢିଥିଲା । ଧୂଳି ନିୟନ୍ତ୍ରଣ କରିବାକୁ ପ୍ରଶାସନର ପ୍ଲାନ୍ ଏତେଟା କାମ ଦେଲାନି । ଏ ସବୁ ଭିତରେ ବାଲିଯାତ୍ରାରେ ମୋଟ୍ ଉପରେ ୩୦୦ କୋଟି ଟଙ୍କାର କାରବାର ହୋଇଥିବା ପ୍ରଶାସନର ଆକଳନରୁ ଜଣାପଡିଛି । କାର୍ତ୍ତିକ ପୂର୍ଣ୍ଣିମାରେ ତାଳପତ୍ରରେ ଡଙ୍ଗା କରାଯାଇ ପ୍ରାୟ ୨୨ହଜାର ଡଙ୍ଗା ମହାନଦୀରେ ଭସାଯାଇଥିଲା ।
Comments ସମସ୍ତ ମତାମତ 0