ମୁଖ୍ୟ ଖବର
ଭୁବନେଶ୍ଵର : ବାରମ୍ବାର ତାଗିଦ୍ ସତ୍ତ୍ଵେ ଇସ୍କନର ମନମାନି। ବିଦେଶରେ କରିବ ଅଦିନିଆ ରଥଯାତ୍ରା। ତାଇୱାନର ଡିମେଣ୍ଡିଙ୍ଗ ଏମଆରଟି ଏକ୍ଜିଟ୍-୬ରେ ଆସନ୍ତା ୨୩ ତାରିଖରେ ହେବ ଆୟୋଜନ। ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନ୍ରେ ଦେଲା ସୂଚନା। ଇସ୍କନ ଅନୁଗାମୀ ଓ ଜଗନ୍ନାଥ ପ୍ରେମୀଙ୍କୁ ସାମିଲ ହେବାକୁ ଅନୁରୋଧ କରିଛି। ଏହି ଅବସରରେ ସାଂସ୍କୃତିକ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ଘଟଣାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଇସ୍କନ ବାରମ୍ବାର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।
ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଥିବା ଇସ୍କନ ଅନୁଷ୍ଠାନ ସନାତମ ଧର୍ମର ନୀତି ବିରୋଧରେ କାମ କରୁଛି। ତିଥି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନକରି ବିଦେଶରେ ପାଣିପାଗ, ବିଦେଶରେ ଛୁଟି ତଥା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ରଥଯାତ୍ରା ପାଳନ କରୁଛି। ରଥଯାତ୍ରା ବ୍ୟତୀତ ଅନ୍ୟ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗର୍ଭଗୃହରୁ ବାହାରକୁ ଆଣି ରଥଯାତ୍ରା କରୁଛି। ଯାହାକି ଶାସ୍ତ୍ର ବିରୋଧୀ। ଇସ୍କନର ଏଭଳି ଜଗନ୍ନାଥ ବିରୋଧୀ କାମ ପାଇଁ ଜଗନ୍ନାଥ ପ୍ରେମୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି କାର୍ୟ୍ୟରୁ ନିବୃତ୍ତ ରହିବା ପାଇଁ ଗଜପତି ମହାରାଜ ମଧ୍ୟ ଇସ୍କନକୁ ତାଗିଦ୍ କରିଛନ୍ତି। ଜଗଦ୍ଗରୁ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ମଧ୍ୟ ଏହାର ଦୃଢ଼ ବିରୋଧ କରୁଛନ୍ତି । ତଥାପି ଅମାନିଆ ଇସ୍କନ ବିଦେଶରେ ଅଦିନିଆ ରଥଯାତ୍ରା କରୁଛି।
Comments ସମସ୍ତ ମତାମତ 0