ମୁଖ୍ୟ ଖବର
ପାଟନା: ବିହାର ବିଧାନସଭାର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶୀଦାର ଦଳଗୁଡିକ ଆସନ ବୁଝାମଣା ଆଧାରରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ୟ୍ୟାୟ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବାବେଳେ ବିରୋଧୀ ମହାମେଣ୍ଟ ବା ଇଣ୍ଡି ମେଣ୍ଟର ଅଂଶୀଦାର ଦଳଗୁଡିକ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରି ନାହିଁ। ଆସନ ବୁଝାମଣା ଚୂଡାନ୍ତ ହୋଇ ନଥିବାରୁ ଅଂଶୀଦାର ଦଳଗୁଡିକ ନିଜ ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କଂଗ୍ରେସ ୪୮ଜଣିଆ ପ୍ରାର୍ଥିତାଲିକା ପ୍ରକାଶ କରିବା ପରେ ଶୁକ୍ରବାର ଏହାର ନେତାମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ଅପରପକ୍ଷରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରି ନଥିବାବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଶୁକ୍ରବାର କଂଗ୍ରେସ ଦଳ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଦଳରେ ଅନେକ ନେତା ଏଥିରେ ମୋହର ମାରିଛନ୍ତି। କଂଗ୍ରେସ ନେତା ତଥା ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାରେ କୌଣସି ସମସ୍ୟା ନାହିଁ। ସେହିପରି ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ କୌଣସି ସମସ୍ୟା ନାହିଁ। ଠିକ୍ ସମୟରେ ସବୁ ସମାଧାନ ହୋଇଯିବ। କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂହ ଓ ତାରିକ ଅନୱର ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ସମର୍ଥନ କରିଛନ୍ତି। ତାରିକ ଅନୱର କହିଛନ୍ତି ଯେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଗଲେ କୌଣସି ସମସ୍ୟା ନାହିଁ। ତେବେ ପୂର୍ବରୁ ତେଜସ୍ବୀ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ଏହାକୁ ନାପସନ୍ଦ କରିଥିଲା। କଂଗ୍ରେସ କହିଥିଲା ଯେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ମିଳିତ ଭାବେ ନିଷ୍ପତ୍ତି ନିଆଯିବ।
Comments ସମସ୍ତ ମତାମତ 0