ମୁଖ୍ୟ ଖବର
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ମଙ୍ଗଳବାର ଦଳ ପ୍ରଥମ ପର୍ୟ୍ୟାୟରେ ୭୧ ଜଣଙ୍କ ନାଁ ଘୋଷଣା କରିଥିଲା। ଆଜି ଆଉ ୧୨ ଜଣଙ୍କୁ ଟିକେଟ ମିଳିଛି। ୧୨ ପ୍ରାର୍ଥୀଙ୍କ ମଧ୍ୟରେ ୯ ଜଣ ନୂଆଁ ମୁହଁ। ଏକାଧିକ ବିଧାୟକଙ୍କ ଟିକେଟ ମଧ୍ୟ ଦଳ କାଟି ଦେଇଛି।
ଆଜି ଘୋଷଣା ହୋଇଥିବା ୧୨ ଜଣଙ୍କ ମଧ୍ୟରେ ଲୋକ ଗୀତ ଗାୟିକା ମୈଥିଲୀ ଠାକୁରଙ୍କ ନାଁ ରହିଛି। ତାଙ୍କୁ ଦଳ ଦରଭଙ୍ଗା ଜିଲ୍ଲା ଅଲିନଗର ସିଟରୁ ପ୍ରାର୍ଥୀ କରିଛି। ମୈଥିଲୀ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଙ୍ଗଳବାର ହିଁ ବିଧିବଦ୍ଧ ଭାବେ ମୈଥିଲୀ ପଦ୍ମ ଧରିଥିଲେ। ରାଜ୍ୟ ବିଜେପି ମୁଖ୍ୟ ଦୀଲିପ ଜୈସୱାଲଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଥିଲେ। ମଙ୍ଗଳବାର ସେ ବିଜେପିରେ ମିଶିଥିବା ବେଳେ ବୁଧବାର ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ମିଳି ଯାଇଛି।ଅଲିନଗରରୁ ୨୦୨୦ରେ ମିଶ୍ରିଲାଲ ଯାଦବ ଜିତିଥିଲେ। ତାଙ୍କୁ ବିଜେପି-ଜେଡିୟୁ ସରକାରରେ ମନ୍ତ୍ରୀ ପଦ ମଧ୍ୟ ମିଳିଛି। ହେଲେ ଏବେ ତାଙ୍କ ପାଖରୁ ଏହି ସିଟକୁ ଛଡ଼ାଇ ନେଇଛି ବିଜେପି। ଦଳ ଏଥର ତାଙ୍କୁ ଟିକେଟ ନେଇ ମୈଥିଲୀଙ୍କୁ ସେଠାରୁ ପ୍ରାର୍ଥୀ କରିଛି।
ମୈଥିଲୀଙ୍କ ବ୍ୟତୀତ ବିଜେପି ପୂର୍ବତନ ଆଇପିଏସ୍ ଅଫିସର ଆନନ୍ଦ ମିଶ୍ରାଙ୍କୁ ବକ୍ସରରୁ ପ୍ରାର୍ଥୀ କରିଛି। ଆନନ୍ଦ ମିଶ୍ରା ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରେ ରହିଥିଲେ। କିନ୍ତୁ ପିକେଙ୍କୁ ଛାଡ଼ି ସେ ବିଜେପିରେ କିଛି ଦିନ ତଳେ ମିଶିଥିଲେ।୧୨ ଜଣିଆ ତାଲିକାରେ ଆଉ କିଛି ପ୍ରମୁଖ ନେତାଙ୍କ ନାଁ ରହିଛି। ମୁଜାଫରପୁରରେ ଦଳ ବିଧାୟକ ସୁରେଶ ଶର୍ମାଙ୍କ ଟିକେଟ କାଟି ଦେଇଛି। ତାଙ୍କ ବଦଳରେ ରଞ୍ଜନ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏହାବାଦ ହାୟାଘାଟରୁ ବିଧାୟକ ରାମଚନ୍ଦ୍ର ପ୍ରସାଦ, ରୋସେରା(ଏସ୍ସି)ରୁ ବୀରେନ୍ଦ୍ର କୁମାର, ଗୋପାଲଗଞ୍ଜରୁ ସୁଭାଷ ସିଂହ ଓ ଛପ୍ରାରୁ ଛୋଟି କୁମାରୀଙ୍କୁ ବିଜେପି ଟିକେଟ ଦେଇଛି। ବଣିଆପୁରରେ କେଦାର ନାଥ ସିଂହଙ୍କୁ ବିଜେପି ପ୍ରାର୍ଥୀ କରିଛି।ବାରହ ବିଧାୟକ ଜ୍ଞାନେନ୍ଦ୍ର ସିଂହ, ଛପ୍ରା ବିଧାୟକ ସିଏନ ଗୁପ୍ତା ଓ ଗୋପାଲଗଞ୍ଜ ବିଧାୟକ କୁସୁମ ଦେବୀଙ୍କୁ ଏଥର ଦଳ ଟିକେଟ ଦେଇନାହିଁ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସହଯୋଗୀ ଜେଡିୟୁ ଅନ୍ୟ ଦଳଗୁଡ଼ିକ ସହ ସିଟ୍ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛି। ଡିଲ ଅନୁସାରେ ବିଜେପି ରାଜ୍ୟର ୨୪୩ଟି ବିଧାନସଭା ଆସନରୁ ୧୦୧ଟିରେ ପ୍ରାର୍ଥୀ ଦେବ। ଦୁଇ ଦିନରେ ଦଳ ୮୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଲାଣି। ନଭେମ୍ବର ୬ ଓ ୧୧ରେ ବିହାରର ସମସ୍ତ ୨୪୩ ଆସନରେ ମତଦାନ ହେବ। ସେହିପରି ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
Comments ସମସ୍ତ ମତାମତ 0