ମୁଖ୍ୟ ଖବର
ନୂଆଦିଲ୍ଲୀ: ପାକିସ୍ତାନ ସଂଲଗ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଓ ଧାର୍ମିକ ସ୍ଥଳର ସୁରକ୍ଷା ଆହୁରି ମଜଭୁତ କରିବାକୁ ଯାଉଛି ଭାରତ । ଏଥିପାଇଁ ଭାରତୀୟ ସେନା ସୁଦର୍ଶନ ଚକ୍ରକୁ ଭୂପୃଷ୍ଠରେ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ସେନା ପକ୍ଷରୁ ୬ଟି ନୂଆ ଏକେ-୬୩୦ ଏୟାର ଡିଫେନ୍ସ ଗନ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସରକାରୀ କମ୍ପାନି ଏଡବ୍ଲ୍ୟୁଇଆଇଏଲ (ଆଡଭାନ୍ସଡ ୱିପନ ଆଣ୍ଡ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଡେଟ)କୁ ଟେଣ୍ଡର ଦିଆଯାଇଛି । ଏହି ଗନ୍ ସିଷ୍ଟମ ହେଉଛି ସୁଦର୍ଶନ ଚକ୍ରର ଅଂଶବିଷେଷ । ଯେଉଁ ସୁଦର୍ଶନ ଚକ୍ର ମିଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ଉଲ୍ଲେଖ କରିଥିଲେ ।
ଏକେ-୬୩୦ ହେଉଛି ଏକ ୩୦ ମି.ମି. ମଲ୍ଟି ବାରେଲ ମୋବାଇଲ ଗନ ସିଷ୍ଟମ । ପ୍ରତି ମିନିଟ୍ରେ ଏଥିରୁ ୩ ହଜାର ରାଉଣ୍ଡ ଗୁଳି ଚାଲିପାରିବ । ଏହାର ମାରକ କ୍ଷମତା ପ୍ରାୟ ୪ କି.ମି. ଦୂର । ଏହାକୁ ଏକ ଟ୍ରେଲର ଉପରେ ମୁତୟନ କରାଯିବ । ଯାହାଫଳରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇହେବ । ଏହି ଗନ ସିଷ୍ଟମ ଡ୍ରୋନ, ରକେଟ, ମୋର୍ଟାର, ଆର୍ଟିଲେରି ଭଳି ଆକାଶ ମାର୍ଗରୁ ଆସୁଥିବା ବିପଦକୁ ରୋକିବାରେ ସକ୍ଷମ ହେବ । ଏଥିରେ ଅଲ୍ୱେଦର ଇଲେକ୍ଟ୍ରୋ- ଅପ୍ଟିକାଲ ଫାୟାର କଣ୍ଟ୍ରୋଲ ସିଷ୍ଟମ ରହିବ । ଯାହା ପ୍ରତିକୂଳ ପରିବେଶରେ ମଧ୍ୟ ଟାର୍ଗେଟକୁ ଠାବ କରି ନଷ୍ଟ କରିବାରେ ସକ୍ଷମ ହେବ। ବର୍ତ୍ତମାନ ଭାରତ ପାଖରେ ସ୍ୱଦେଶୀ ଆକାଶତୀର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି । ଯାହାକୁ ଭାରତର ଆଇରନ ଡୋମ ବୋଲି କୁହାଯାଉଛି । ଏହା ଏକ ସ୍ୱଦେଶୀ ଏଆଇ ପରିଚାଳିତ ଏୟାର ଡିଫେନ୍ସ ସିଷ୍ଟମ ।
Comments ସମସ୍ତ ମତାମତ 0