ମୁଖ୍ୟ ଖବର
ପାଟନା : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ଶନିବାର ସାମ୍ନାକୁ ଆସିଛି । ପାଟନାର ଦରିୟାବାଁ- ହିଲସା ହିଲ୍ସ ଷ୍ଟେଟ୍ ହାଇୱେରେ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଅଟୋରେ ଭାଦ୍ରବ ଅମାବାସ୍ୟାରେ ଗଙ୍ଗା ସ୍ନାନ କରି ଫେରୁଥିବା ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । କେତେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଦୁର୍ଘଟଣାର ଛାତିଥରା ଭିଡିଓ ଭାଇରାଲ୍ ହେଉଛି । ଏକ ଫ୍ୟାକ୍ଟ୍ରି ନିକଟରେ ଟ୍ୟାଙ୍କରଟି ଏହି ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା । ୭ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଦୁର୍ଘଟଣା ବିଷୟରେ ଖବର ପାଇବା ମାତ୍ରେ ଶାହଜହାଁପୁର ଥାନା ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।
ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଅବସ୍ଥିତ ରେରି ମାଲମା ଗାଁର ଲୋକମାନେ ସକାଳେ ଗଙ୍ଗାରେ ଗାଧୋଇବା ପାଇଁ ଫତୁହା ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର୍ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଅଟୋଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଦୁର୍ଘଟଣା ଦେଖିବା ମାତ୍ରେ ପ୍ରତ୍ୟକ୍ଷଦର୍ଶୀମାନେ ଚିତ୍କାର କରିବାକୁ ଲାଗିଲେ। ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିଲା।
Comments ସମସ୍ତ ମତାମତ 0