ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଇନ ବନାମ ଦୟାର ଲଢେଇରେ ଦୟା ଜିତିଛି । ପଶୁ ପ୍ରେମୀ ଜିତିଛନ୍ତି । କୁକୁରପ୍ରେମୀଙ୍କୁ ଆଶ୍ବସ୍ତି ମିଳିଛି । ବୁଲା କୁକୁର ରାସ୍ତାରେ ରହିବେ ନା ସେଲ୍ଟର ହୋମ୍ ପଠାଇ ଦିଆଯିବ ତା'ର 'ସୁପ୍ରିମ୍' ଉତ୍ତର ମିଳିଛି । ଦିଲ୍ଲୀ-ଏନ୍ସିଆରରେ ବୁଲା କୁକୁର ମାମଲାରେ ସୁପ୍ରିମ୍କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ସର୍ବସାଧାରଣ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯାଇପାରିବ ନାହିଁ । ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କୁ ଖାଇବାକୁ ଦିଆଯିବ । ବୁଲା କୁକୁରଙ୍କର ବନ୍ଧ୍ୟାକରଣ କରାଯିବା ପରେ ତାଙ୍କୁ ଛାଡ଼ି ଦିଆଯିବ । ସେଲ୍ଟର ହୋମ୍ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ । ହିଂସ୍ର ଏବଂ ଅସୁସ୍ଥ କୁକୁର ସେଲ୍ଟର ହୋମ୍ରେ ରହିବେ ବୋଲି ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ ତିନି ଜଣିଆ ଖଣ୍ଡପୀଠ । ସାରା ଦେଶରେ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ଏ ନେଇ ସବୁ ରାଜ୍ୟକୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଦିଲ୍ଲୀ-ଏନ୍ସିଆରରେ ବୁଲା କୁକୁରଙ୍କୁ ହଟାଇବା ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆବେଦନ ଉପରେ ୩ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଗଠିତ ତିନି ଜଣିଆ ଖଣ୍ଡପୀଠ ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି କରି ଦିଲ୍ଲୀ-ଏନସିଆରରେ କୁକୁରମାନଙ୍କୁ ସ୍ଥାନାନ୍ତର ଉପରେ ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେତା ଏବଂ ଜଷ୍ଟିସ୍ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି, କୁକୁରମାନଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବାକୁ ଦିଆଯିବ ନାହିଁ । ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନରେ ଖାଦ୍ୟ ଦିଆଯିବା ଉଚିତ୍ । ଏଣେତେଣେ ଖାଦ୍ୟ ଦେବାରୁ ଅଘଟଣ ଘଟୁଛି । ବନ୍ଧ୍ୟାକରଣ ପରେ ସେମାନଙ୍କୁ ଛାଡି ଦିଆଯିବ । ଟିକାକରଣ ପରେ ବୁଲା କୁକୁରଙ୍କୁ ସେହି ସ୍ଥାନରେ ଛାଡ଼ି ଦିଆଯିବ । ହିଂସ୍ର ଏବଂ ଅସୁସ୍ଥ କୁକୁର ସେଲ୍ଟର ହୋମ୍ରେ ରହିବେ ।''
ଖଣ୍ଡପୀଠ ଆହୁରି କହିଛନ୍ତି, ''ସବୁ ଦେଶରେ ନିୟମ ଲାଗୁ ହେବ । ନିୟମ ନମାନିଲେ ଉଦ୍ଧାରକାରୀ ଦଳଙ୍କ କାର୍ୟ୍ୟରେ ବାଧା ସୃଷ୍ଟି କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ଅଭିଯୋଗ ପାଇଁ ହେଲ୍ପଲାଇନ ନମ୍ବର ଜାରି ହେବ ।''
ନୂତନ ନିର୍ଦ୍ଦେଶ ଅନୁଯାୟୀ, ବୁଲା କୁକୁରମାନଙ୍କୁ ଟିକାକରଣ ପରେ ଆଶ୍ରୟସ୍ଥଳରୁ ମୁକ୍ତ କରାଯାଇ ସେହି ଅଞ୍ଚଳକୁ ପୁଣି ଫେରାଇ ଦିଆଯାଇପାରିବ । ତେବେ, ଆକ୍ରମଣାତ୍ମକ ଆଚରଣ କରୁଥିବା କିମ୍ବା ଜଳାତଙ୍କ ରୋଗରେ ଆକ୍ରାନ୍ତ କୁକୁରମାନଙ୍କୁ ମୁକ୍ତ କରାଯିବ ନାହିଁ । ଅଗଷ୍ଟ ୧୧ ତାରିଖରେ ଦେଇଥିବା ଏହି ଆଦେଶରେ କୁକୁର କାମୁଡ଼ା ଓ ଜଳାତଙ୍କ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ୮ ସପ୍ତାହ ମଧ୍ୟରେ ବୁଲା କୁକୁରଙ୍କୁ ଅତିକମରେ ୫,୦୦୦ କୁକୁର ରଖିବା କ୍ଷମତା ବିଶିଷ୍ଟ ନୂଆ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କହିଥିଲେ । ସରକାରୀ ତଥ୍ୟ ଅନୁସାରେ, ୨୦୨୪ ମସିହାରେ ସାରା ଦେଶରେ ୩୭ ଲକ୍ଷରୁ ଅଧିକ କୁକୁର କାମୁଡ଼ାଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।
Comments ସମସ୍ତ ମତାମତ 0