Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନରେ ବିଜେପି ସରକାର ବିଫଳ: ବିଜେଡି

    Share on :
    ajab-Image
    Date: Jun 14, 2025    Views: 6896

    ଭୁବନେଶ୍ୱର: ରାଜ୍ୟରେ ଗତ ଏକ ବର୍ଷରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାରଙ୍କ ବିଫଳତାକୁ ନେଇ ଯାଜପୁର ଠାରେ ଏକ ବିଶାଳ ମହିଳା ଜନ ଜାଗରଣ ଅଭିଯାନରେ ଆଜି ବିଜୁ ଜନତା ଦଳ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ନିର୍ୟାତନା ବଢ଼ି ଚାଲିଥିବା ବେଳେ, ମହିଳା ମାନେ ସୁଯୋଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି । ଏହି ସମାବେଶରେ ମହିଳା ମାନଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ, ସାତ ସୂତ୍ରୀ ପ୍ରସ୍ତାବ ଗୃହୀତ ହୋଇଛି ।  
    ବରିଷ୍ଠ ବିଜେଡି ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଜନ ଜାଗରଣ ଅଭିଯାନ କାର୍ୟ୍ୟକ୍ରମରେ ଦଳର ସମସ୍ତ ଆଗଧାଡ଼ିର ମହିଳା ନେତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଗତକାଲି ଅହମ୍ମଦାବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଆତ୍ମାର ସତଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା ।  
    ସଭାରେ ଉପସ୍ଥିତ ବିଜେଡିର ମହିଳା ନେତ୍ରୀମାନେ, ଯଥା ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଡ଼ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ନିଜର ବକ୍ତବ୍ୟ ରଖି ସରକାରଙ୍କ ଉପରେ ବର୍ଷିଥିଲେ । ଗତ ଏକ ବର୍ଷରେ, ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧିପାଇଛି । ମହିଳାମାନେ ଦୁଷ୍କର୍ମ, ଅପହରଣ, ହତ୍ୟା, ଯୌନ ନିର୍ୟାତନାର ଶିକାର ହେଉଥିବା ଖବର ପ୍ରତିଦିନ ଖବରକାଗଜ ଓ ବୈଦୁ୍ୟତିକ ଗଣମାଧ୍ୟମରେ ଶିରୋନାମା ପାଲଟୁଛି । ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନବୀନ ସରକାରଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ୭୦ ଲକ୍ଷ ମହିଳା ଯେଉଁ ଅର୍ଥନୈତିକ ସ୍ୱାଧୀନତା ହାସଲ କରିଥିଲେ, ତାହା ଆଜି ସରକାରଙ୍କ ଉଦାସୀନତା ଯୋଗୁଁ ବିପଦରେ ପଡିଛି । ରାଜ୍ୟ ସରକାର ମିଶନ ଶକ୍ତିର ଏସଏଚଜି ଗୁଡିକୁ ଅଣଦେଖା କରୁଛନ୍ତି, ସ୍ୱାବଲମ୍ୱୀ ହୋଇଥିବା ମହିଳାମାନେ ଆଜି ସୁଯୋଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି । ସୁଭଦ୍ରା ଯୋଜନାରେ, ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେବା ବଦଳରେ ୫ ହଜାର ଟଙ୍କା ଦେଇ ମହିଳାଙ୍କ ସହ ପ୍ରତାରଣା କରିଛନ୍ତି । ସେହିପରି, ରାଜ୍ୟରେ ଶିଶୁ ଅପହରଣ ଓ ପିଲା ବିକ୍ରି ଘଟଣା ଗତ ଏକ ବର୍ଷରେ ବୃଦ୍ଧି ପାଇଛି । ଏହାଛଡା, ଅତ୍ୟାବଶକୀୟ ଜିନିଷର ଦରଦାମ ନିୟନ୍ତ୍ରଣ, ଶ୍ରୀମନ୍ଦିରରେ ବ୍ୟବସ୍ଥିତ ଦର୍ଶନ ପ୍ରଦାନ, ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା, ବିନା କଟନୀଛଟନୀରେ ଧାନ କିଣିବାରେ ସରକାର ବିଫଳ ହୋଇଛନ୍ତି ।
    ଏହି ଜନ ଜାଗରଣ ଅଭିଯାନରେ ସମାଜରେ ମହିଳା ମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ସାତ ସୂତ୍ରୀ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ସଂସଦରେ ପାରିତ ହୋଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍ ଅନୁଯାୟୀ, ମହିଳା ମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩% ଆସନ ସଂରକ୍ଷଣର ବ୍ୟବସ୍ଥାକୁ ୨୦୨୯ ସାଧାରଣ ନିର୍ବାଚନରେ ଲାଗୁ କରାଯାଉ ବୋଲି ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଥିଲା । ମିଶନ ଶକ୍ତି ମାଧ୍ୟମରେ ଗଠିତ ହୋଇଥିବା ରାଜ୍ୟର ୭ ଲକ୍ଷରୁ ଊଦ୍ଧ୍ୱର୍ ଏସଏଚଜି ଗୁଡ଼ିକୁ ବିଜେଡି ସରକାର ସମୟରେ ସରକାରୀ ବିଭାଗ ମାନଙ୍କ ସହ ଯେଭଳି ସହଭାଗିତାର ସହ ବିଭିନ୍ନ କାର୍ୟ୍ୟରେ ନିୟୋଜିତ କରାଯାଉଥିଲା, ତାହା ପୁନଃ କାର୍ୟ୍ୟକ୍ଷମ କରାଯାଉ । ଏସଏଚଜି ଗୁଡ଼ିକୁ ବିନା ସୁଧରେ ବର୍ଷକୁ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉ । ମିଶନ ଶକ୍ତିର ବଜେଟ ପରିମାଣକୁ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଉ । ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ ଓ ପୂର୍ବରୁ ଥିବା ମହିଳା ଓ ଶିଶୁ ଡେସ୍କକୁ ପୁନଃ କାର୍ୟ୍ୟକ୍ଷମ କରାଯାଉ । ମହିଳାଙ୍କ ପାଇଁ କେଜିରୁ ପିଜି ପର୍ୟ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉ । ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡରେ ବର୍ଷକୁ ୨୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି ଏହି ସମାବେଶରେ ପ୍ରସ୍ତାବ ଗୃହୀତ ହୋଇଛି । 
    ଏହି କାର୍ୟ୍ୟକ୍ରମରେ ଦଳର ବରିଷ୍ଠ ନେତା ସର୍ବଶ୍ରୀ  ଦେବୀ ପ୍ରସାଦ ମିଶ୍ର,  ସଂତୃପ୍ତ ମିଶ୍ର, ଶ୍ରୀ ପ୍ରଣବ ପ୍ରକାଶ ଦାସ,  ପ୍ରଫୁଲ୍ଲ ସାମଲ, ଡ଼ ଅରୁଣ କୁମାର ସାହୁ, ଶ୍ରୀ ସଞ୍ଜୟ ଦାସବର୍ମା,  ପ୍ରୀତି ରଞ୍ଜନ ଘଡ଼ାଇ,  ପ୍ରଣବ ବଳବନ୍ତରାୟ,  ବ୍ୟୋମକେଶ ରାୟ,  ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook