Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିର୍ବାଚନ ଆୟୋଗ ନିର୍ବାଚନକୁ ହଡ଼ପ କରୁଛନ୍ତି: ଭକ୍ତ ଦାସ

    Share on :
    ajab-Image
    Date: Jun 9, 2025    Views: 6676

    ଭୁବନେଶ୍ବର: ମହରାଷ୍ଟ୍ର ବିଧାନସଭା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ଅଭିଯୋଗ ଆଣୁଥିବାବେଳେ ଭାରତ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଉଛନ୍ତି। ନିର୍ବାଚନ ଆୟୋଗ ମଧ୍ୟ ରାହୁଲଙ୍କ ମନ୍ତବ୍ୟ ଉପରେ ବାରମ୍ବାର ସ୍ପଷ୍ଟୀକରଣ ଦେଉଛନ୍ତି।  ଏ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ନିର୍ବାଚନ ଆୟୋଗ ନିର୍ବାଚନକୁ ହଡ଼ପ କରୁଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ, ଓଡ଼ିଶାରେ ମଧ୍ୟ ଗତ ନିର୍ବାଚନରେ ଏହା ଦେଖିବାକୁ ମିଳିଥିଲା।
     କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ଅନୁଷ୍ଠାନ। କିନ୍ତୁ ଏହି ଅନୁଷ୍ଠାନ ଏବେ କେନ୍ଦ୍ର ସରକାରଙ୍କ ହାତବାରିସ ସାଜିଛନ୍ତି। କିପରି ବିଜେପିକୁ ଅଧିକ ଆ‌ସନ ମିଳିବ ସେଥିପାଇଁ ସମସ୍ତ ବେନିୟମ କାର୍ୟ୍ୟ କରୁଛନ୍ତି। ରାହୁଲ ଗାନ୍ଧୀ ଯେଉଁ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ତାହା ବାସ୍ତବରେ ଚିନ୍ତାଜନକ। ନିର୍ବାଚନ ଆୟୋଗ ସଦସ୍ୟ ଚୟନରୁ ଆରମ୍ଭ କରି ତାଙ୍କ କାର୍ୟ୍ୟକୁ ମୋଦୀ ଓ ଶାହ ପରିଚାଳନା କରୁଥିବାର ପୁଳାପୁଳା ପ୍ରମାଣ ଦିଆଯିବା ସତ୍ତ୍ବେ ଆୟୋଗ ଏହାକୁ ବିଚାର କରୁନାହାନ୍ତି। ମହରାଷ୍ଟ୍ରରେ ଭୋଟରଙ୍କ ସଂଖ୍ୟା ବଢ଼ିବା, କମ୍‌ ସମୟରେ ମତଦାତାଙ୍କ ସଂଖ୍ୟା ଅଧିକ ଦେଖାଇବା ନେଇ ଯେତେ ପ୍ରମାଣ ଦେଲେ ବି ଆୟୋଗ ଗ୍ରହଣ କରୁନାହାନ୍ତି। ଏପରିକି ବୁଥ୍‌ର ଭିଡିଓ ଫୁଟେଜ୍ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ଆୟୋଗ ଦେଉନାହାନ୍ତି। ସେହିପରି ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନରେ ବହୁ ବୁଥ୍‌ରେ ଫିକ୍ସିଂ କରାଯାଇଥିଲା। ତଳସରା ଠାରୁ ଆରମ୍ଭ କରି ଫୁଲବାଣୀ ବିଧାନସଭା କ୍ଷେତ୍ରରେ ବିଭିନ୍ନ ବୁଥ୍‌ର ମତଦାନ ହୋଇଥିବା ସଂଖ୍ୟାଠାରୁ ଅଧ‌ିକ ଭୋଟ ଗଣତି ହୋଇଥିବା ମଧ୍ୟ ଜଣାପଡ଼ିଛି। ହେଲେ ଏ ପର୍ୟ୍ୟନ୍ତ ନିର୍ବାଚନ ଆୟୋଗ ଫର୍ମ ୧୭–ସି ଅଭିଯୋଗ କରିଥିବା ରାଜନୈତିକ ଦଳମାନଙ୍କୁ ପ୍ରଦାନ କରୁନାହାନ୍ତି।

    ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ମୋଦୀ-ଶାହ ଦେଶର ଗଣତନ୍ତ୍ରକୁ ଦୁର୍ବଳ କରିବା ସହ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ କରାୟତ କରିନେଇଛନ୍ତି। ଆସନ୍ତା ନିର୍ବାଚନରେ ଇଭିଏମ୍ ବଦଳରେ ବାଲାଟ୍ ପେପରେ ମତଦାନ ହେଉ। ପୂର୍ବତନ ମନ୍ତ୍ରୀ ଶରତ ରାଉତ କହିଥିଲେ, ନିର୍ବାଚନ ଆୟୋଗ ମୋଦୀ-ଶାହଙ୍କ ଯୋଡ଼ିରେ କାର୍ୟ୍ୟ କରୁଛନ୍ତି। ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଯେଉଁ ଅଧିକାରୀଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା ସେ ପରବର୍ତ୍ତୀ ସମୟରେ ପୁରସ୍କୃତ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଅତିରିକ୍ତ ମୁଖ୍ୟ ସଚିବ ରୂପେ କାର୍ୟ୍ୟ କରୁଥିଲେ। ଏହାପରେ ତାଙ୍କୁ ଅଧିକ ପୁରସ୍କୃତ କରାଯାଇ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ୟ୍ୟ କରିବାର ସୁଯୋଗ ଦିଆଗଲା। ସାମ୍ବାଦିକ ସମ୍ମିଳନୀରେ ରଜନୀ ମହାନ୍ତି, ସୁଦର୍ଶନ ଦାସ, ଜୟଶ୍ରୀ ପାତ୍ର ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook