Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପହଲଗାମ ବଦ୍‌ଲା ନେବ ଭାରତ: ମୋଦି

    Share on :
    ajab-Image
    Date: Apr 24, 2025    Views: 2907

    ପାଟନା : ‘ଯେଉଁମାନେ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରରେ ସାମିଲ ଥିଲେ ସେମାନଙ୍କୁ କଳ୍ପନାରୁ ବାହାରେ ମିଳିବ କଠୋର ଦଣ୍ଡ । ଯେଉଁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ ଦେଖାଇଛନ୍ତି ସେମାନଙ୍କୁ ଛଡା ଯିବନି । ମିଳିବ କଠୋର ଦଣ୍ଡ । ସେମାନଙ୍କୁ ମାଟିରେ ମିଶାଇ ଦିଆଯିବାର ସମୟ ଆସିଛି ।’ ବିହାର ମଧୁବନୀରୁ, ପହଲଗାମରେ ନରସଂହାର ରଚିଥିବା ଆତଙ୍କବାଦୀଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
    ପହଲଗାମରେ ଆତଙ୍କୀଙ୍କ ନରସଂହାର ପରେ ସାରା ଦେଶ ଆଜି ସ୍ତବ୍ଧ । ଅନନ୍ତନାଗର ମିନି ସ୍ବିଜରଲ୍ୟାଣ୍ଡ କୁହାଯାଉଥିବା ପହଲଗାମରେ ପାକିସ୍ତାନ ଆତଙ୍କୀ ଖେଳିଛନ୍ତି ରକ୍ତ ହୋଲି । ନିରୀହ ପର୍ୟ୍ୟଟକଙ୍କୁ ଖୋଜି ଖୋଜି ଗୁଳି କରିଛନ୍ତି । ଏହି ବର୍ବରକାଣ୍ଡରେ ପୂରା ଦେଶ ଆଜି ସ୍ତବ୍ଧ । ସାରା ଦେଶରୁ ଆତଙ୍କୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ସ୍ବର ଉଠୁଥିବା ବେଳେ ଆଜି ଆତଙ୍କୀଙ୍କୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ନିରୀହ ଦେଶବାସୀଙ୍କୁ ଯେଉଁଭଳି ନିର୍ଦ୍ଦୟ ଭାବେ ହତ୍ୟା କଲେ । ଏଥିରେ ପୂରା ଦେଶ ବ୍ୟଥିତ । କୋଟି କୋଟି ଦେଶବାସୀ ଦୁଃଖିତ । ସମସ୍ତ ପୀଡିତ ପରିବାର ସହ ଦେଶବାସୀ ଛିଡା ହୋଇଛନ୍ତି । ଯେଉଁମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ । ସରକାର ସେମାନଙ୍କ ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ଏହି ଆକ୍ରମଣରେ କିଏ ନିଜ ପୁଅକୁ ହରାଇଛି ... କିଏ ନିଜ ଭାଇକୁ ହରାଇ ଆଉ ପୁଣି କିଏ ନିଜ ଜୀବନସାଥୀକୁ ହରାଇଛି ।’
    ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ସେମାନଙ୍କ ଭିତରେ କିଏ ବଙ୍ଗାଳୀ କହୁଥିଲା, କିଏ କନ୍ନଡ କହୁଥିଲା, କିଏ ମରାଠୀ ଥିଲା, କିଏ ଓଡ଼ିଶାରୁ ଥିଲା ତ କିଏ ବିହାରର ଲାଲ୍ ଥିଲା । ଆଜି ସେମାନଙ୍କ ମୃତ୍ୟୁ କାର୍ଗିଲଠୁ ନେଇ କନ୍ୟାକୁମାରୀ ପର୍ୟ୍ୟନ୍ତ ଆମ ସମସ୍ତଙ୍କ ପାଇଁ ଦୁଃଖ । ଆମର ଆକ୍ରୋଶ ଏକା ଭଳି । ଦେଶର ଶତ୍ରୁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ସେମାନଙ୍କୁ ମୁଁ କହିବାକୁ ଚାହୁଁଛି, ଯେଉଁ ଆତଙ୍କୀ ଓ ସେମାନଙ୍କ ଷଡଯନ୍ତ୍ରରେ ସାମିଲ ଥିବା ସମସ୍ତଙ୍କୁ ସେମାନଙ୍କ କଳ୍ପନା ବାହାରେ ମିଳିବ କଠୋର ଦଣ୍ଡ । ଏବେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାର ସମୟ ଆସିଛି । ୧୪୦ କୋଟି ଭାରତୀୟଙ୍କ ଇଚ୍ଛା ଶକ୍ତି ଆତଙ୍କୀଙ୍କ ଅଣ୍ଟା ଭାଙ୍ଗି କି ରହିବ ।ଗତ ଏପ୍ରିଲ ୨୨ରେ ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କୀମାନେ ନରସଂହାର କରିଥିଲେ । ଆଖି ବୁଜା ଗୁଳି ଚଳାଇଥିଲେ । ଯେଉଁଥିରେ ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି । କିଏ ହନିମୁନରେ ଯାଇଥିଲା ତ କିଏ ପରିବାର ସହ ଛୁଟି କାଟିବାକୁ ଯାଇଥିଲା । ପତ୍ନୀଙ୍କ ସାମ୍ନାରେ ଧର୍ମ ପଚାରି ନିର୍ଦ୍ଦୟ ଭାବେ ଗୁଳି କରିମାରିଥିଲେ ଆତଙ୍କୀ । ଏହି ଆକ୍ରମଣରେ ପୂରା ଦେଶସ୍ତବ୍ଧ ପାଲଟି ଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook