Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଶ୍ୱ ଛେନାପୋଡ଼ ଦିବସ

    Share on :
    ajab-Image
    Date: Apr 11, 2025    Views: 3177

    ନୟାଗଡ଼: ନୟାଗଡ଼ରେ ଛେନାପୋଡ଼  ତିଆରି କରି ଜିଲ୍ଲା, ରାଜ୍ୟ ତଥା ଦେଶବ୍ୟାପୀ  ନୟାଗଡ଼ ଜିଲ୍ଲାର ସ୍ୱାଦିଷ୍ଟ ମିଷ୍ଟାନ୍ନ ଭାବେ ପରିଚୟ  ସୃଷ୍ଟି କରାଇଥିବା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ  ଦିବସ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼  ଦିବସ ଭାବେ ପାଳନ କରାଯାଉଛି । ତେବେ  ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନଙ୍କ ପିତା ବିଦ୍ୟାଧର  ସାହୁ ବୋଲି ଦାବି ଉଠୁଥିବା ବେଳେ ଏହି ବିବାଦ  ମଧ୍ୟରେ ଛେନାପୋଡ଼ର ଜିଆଇ ଟ୍ୟାଗ୍‌ ମାନ୍ୟତା  ପ୍ରଦାନ ପାଇଁ ହୋଇଆସୁଥବା ଦାବି ଦୁର୍ବଳ  ହୋଇଯାଇଛି । ଆଉ କୌଣସି ସଂଗଠନ ବା ବ୍ୟକ୍ତିବିଶେଷ ଏହି ସ୍ୱାଦିଷ୍ଟ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି ଉଠାଉ ନଥିବା ଲକ୍ଷ୍ୟ କରାଯାଇଛି ।  ଗତ ୨୦୨୩ରେ ନୟାଗଡ଼ରେ ସ୍ୱର୍ଗତ ସାହୁଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ  ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ୍‌ଠାରେ ପ୍ରଥମ କରି ପାଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଗଲା । ଛେନାପୋଡ଼ ନୟାଗଡ଼ର ବୋଲି ମାନ୍ୟତା ଦାବି  କରି ୨୦୧୯ ଜୁନ୍‌ ୨୪ ତାରିଖରେ ସମାଜସେବୀ  ପ୍ରମୋଦ ପଟ୍ଟନାୟକ ଓ ଅରୁଣ କୁମାର ମହାନ୍ତିଙ୍କ ଶାନ୍ତି ଚାରିଟେବୁଲ ଟ୍ରଷ୍ଟ୍‌ ନୟାଗଡ଼ରେ ଏକ ଦାବି ଉପସ୍ଥାପନ କରିଥିଲା । ସେହିଦିନଠାରୁ  ଛେନାପୋଡ଼କୁ ନୟାଗଡ଼ରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସରକାର ମାନିନେବାକୁ ବିଭିନ୍ନ ମହଲରୁ ଦାବି  ହୋଇ ଆସୁଛି । 

    ୨୦୨୨ରେ ପ୍ରଥମେ ହେଲପିଙ୍ଗ୍‌  ହ୍ୟାଣ୍ଡସ୍‌ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇ ସମଗ୍ର ଦେଶକୁ ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ବୋଲି ଦର୍ଶା ଯାଇଥିଲା । ପରେ ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଛେନାପୋଡ଼କୁ  ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି  ଦାବି କରାଯାଇଛି । ଯଦିଓ ଛେନାପୋଡ଼ ନୟାଗଡ଼  ଜିଲ୍ଲାରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସମଗ୍ର ରାଜ୍ୟବାସୀଙ୍କ  ଦ୍ୱାରା ମାନ୍ୟତା ପାଇଛି, ଆଜି ପର୍ୟ୍ୟନ୍ତ ଭାରତ  ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ  ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ଛେନାପୋଡ଼  ‘ଆଞ୍ଚଳିକ ଏବଂ ଭୌଗୋଳିକ ଉତ୍ପାଦନ’ ଭାବେ  ସ୍ୱୀକୃତି ପାଇ ପାରି ନାହିଁ ।  ଏପଟେ ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର  ସ୍ରଷ୍ଟା କୁହାଯାଉଥିବା ବେଳେ ତାଙ୍କ ଜନ୍ମମାଟି ଦଶପଲ୍ଲା  ଅଞ୍ଚଳରେ ସୁଦର୍ଶନଙ୍କ ପିତା ସ୍ୱର୍ଗତ ବିଦ୍ୟାଧର  ଛେନାପୋଡ଼ର ସ୍ରଷ୍ଟା ବୋଲି ଦଶପଲ୍ଲାବାସୀ ଦାବି କରି  ଆସୁଛନ୍ତି । ଏଭଳି କନ୍ଦଳ ଭିତରେ ଛେନାପୋଡ଼ର  ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି ଦୁର୍ବଳ ହୋଇଗଲାଣି ।  ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌  ପାଇସାରିଥିବା ବେଳେ ଆଜି ପର୍ୟ୍ୟନ୍ତ ଛେନାପୋଡ଼  ଏହି ମାନ୍ୟତା ହାସଲ କରିପାରିନାହିଁ ।  ତଥାପି ଶୁକ୍ରବାର ନୟାଗଡ଼ ସହରରେ ବିଭିନ୍ନ  ଅନୁଷ୍ଠାନ ପକ୍ଷରୁ ଛେନାପୋଡ଼ ଦିବସ ପାଳନ  କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର  ସାହୁ ଏକ ପ୍ରସ୍ତୁତି ବୈଠକ କରି ଏହାର  ପ୍ରଚାର ପ୍ରସାର କରିବା ସହ ଜିଲ୍ଲାର ପରିଚୟ ସୃଷ୍ଟି  କରିଥିବା ଛେନାପୋଡ଼ ଦିବସକୁ ସବୁ ମହଲରେ  ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook