ମହାରାଷ୍ଟ୍ରରେ ଭୀଷଣ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଜଣେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଏକ ଯାତ୍ରୀବାହୀ ବସ୍ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଫଳରେ ୯ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (MSRTC) ର ଶିବଶାହୀ ନାମକ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣା ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଘଟିଛି । ଯାତ୍ରୀମାନଙ୍କୁ ଧରି ଏହି ବସ୍ ନାଗପୁରରୁ ଗୋନ୍ଦିଆ ଯାଉଥିଲା । ଯେତେ ବେଳେ ରାସ୍ତାର ବୁଲାଣିରେ ବସଟି ପହଞ୍ଚିଥିଲା, ସେତିକି ବେଳେ ଏକ ବାଇକ୍ ହଠାତ୍ ପଶି ଆସିଥିଲା । ବାଇକ୍ ଆରୋହୀଙ୍କୁ ବଞ୍ଚାଇବା ପ୍ରୟାସରେ ଡ୍ରାଇଭର ବସକୁ ମୋଡ଼ି ଦେଇଥିଲେ, ଯାହାଫଳରେ ଦ୍ରୁତ ଗତିରେ ଯାଉଥିବା ବସ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା । ଦୁର୍ଘଟଣା ସମୟରେ ବସରେ ୩୫ରୁ ଅଧିକ ଯାତ୍ରୀ ଥିଲେ । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କିଛି ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଛି । ଆଉ କିଛି ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ବସ୍ ଚାଳକ ଫେରାର୍ ହୋଇ ଯାଇଛନ୍ତି ।
ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚିଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସକୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରାଯାଉଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ତତ୍କାଳ ସହାୟତା ପ୍ରଦାନ କରିବାକୁ ପରିବହନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments ସମସ୍ତ ମତାମତ