ମୁଖ୍ୟ ଖବର
ଭୁବନେଶ୍ୱର:କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଆଗାମୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। କୋଇଲା ଦୁର୍ନୀତି ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଏହି ମାମଲାରେ ସିବିଆଇକୁ ନୋଟିସ୍ ଜାରି କରି ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ପକ୍ଷରୁ ତାଙ୍କ ଓକିଲ ମୁକୁଳ ରୋହତଗୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀପ ରାୟ ଆଗାମୀ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଏହି କାରଣରୁ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଚାହୁଁଛନ୍ତି।
ସୂଚନାଯୋଗ୍ୟ, ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ କୋଲ୍ ବ୍ଲକ ଆବଂଟନରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀପଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୨୦୨୦ ଅକ୍ଟୋବର ୨୬ତାରିଖରେ ଟ୍ରାଏଲ କୋର୍ଟ ଏହି କୋଲ୍ ବ୍ଲକ୍ ଆବଂଟନ ଅନିୟମିତ୍ତା ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା ଧାର୍ୟ୍ୟ କରିଥିଲେ। ତେବେ ଟ୍ରାଏଲ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୦ ଅକ୍ଟୋବର ୨୭ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ସିବିଆଇକୁ ନୋଟିସ୍ ଜାରି କରି ୩ବର୍ଷ ଜେଲ ଦଣ୍ଡାଦେଶକୁ ନିଲମ୍ବିତ କରି ଦେଇଥିଲେ।
Comments ସମସ୍ତ ମତାମତ 0