ଆଳି: ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ୟ୍ୟନ୍ତ ଯାଇଥିବା ଆଇଓସିଏଲ୍ର ପାଇପ୍ ଲାଇନରେ ଫାଟ ସୃଷ୍ଟି ହେବା ଯୋଗୁ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଭେଡାଠାରେ ହଜାର ହଜାର ଲିଟର ଡିଜେଲ ମାଟିରେ ଭାସୁଛି। କମ୍ପାନୀ କର୍ତ୍ତୃପକ୍ଷ ଏ କଥା ଜାଣିବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଶନିବାର ମରାମତି ଆରମ୍ଭ କରିଛନ୍ତି। ନରେନ୍ଦ୍ରପୁର ଭେଡାଜମି ଦେଇ ପାରାଦୀପରୁ ହଳଦିଆ ଯାଇଥିବା ପାଇପ୍ ଲାଇନରେ କୌଣସି କାରଣରୁ ଗତ ଶୁକ୍ରବାର ରାତିରେ ଫାଟ ସୃଷ୍ଟି ହୋଇଥିଲା। ସକାଳୁ ଏ କଥା ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ଏ ସଂକ୍ରାନ୍ତରେ ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇବା ପରେ ଆଇଓସିଏଲ୍ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚତ୍ ମରାମତି କାର୍ୟ୍ୟ ଆରମ୍ଭ କରିଥିଲେ। ଏଥିସହିତ ମାଟି ଉପରେ ଭାସୁଥିବା ଡିଜେଲକୁ ସଂଗ୍ରହ କରି ଟ୍ୟାଙ୍କର ସାହାଯ୍ୟରେ କମ୍ପାନୀକୁ ନିଆଯାଇଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯଦିଓ ଏହି ଡିଜେଲ କୌଣସି ଚାଷଜମିରେ ମାଡି ନ ଥିଲା। କିନ୍ତୁ ଡିଜେଲ ଭାସୁଥିବା ସ୍ଥାନଠାରୁ ଅଳ୍ପ ଦୂରରେ ଚାଷ ଜମି ରହିଛି। ଖବର ପାଇ ସମ୍ପୂର୍ଣ୍ଣ ଅଞ୍ଚଳର ଲୋକମାନେ ସେଠାରେ ରୁଣ୍ଡ ହୋଇଥିଲେ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ତୁରନ୍ତ ପଦକ୍ଷେପ ଯୋଗୁ ଲୋକମାନେ ଏକ ବଡ଼ ବିପଦରୁ ରକ୍ଷା ପାଇଛନ୍ତି ବୋଲି ଆଲୋଚ୍ୟ ବିଷୟ ହୋଇଛି।
Comments ସମସ୍ତ ମତାମତ 0