ମୁଖ୍ୟ ଖବର
ନୂଆଦିଲ୍ଲୀ: ଗତ ୬ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟା ‘ମୋକା’ ଦକ୍ଷିଣପୂର୍ବ ଏବଂ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘଣ୍ଟାପ୍ରତି ୯ କିଲୋମିଟର୍ ବେଗରେ ଉତ୍ତର ଆଡ଼କୁ ଗତିକରିବା ପରେ ଆହୁରି ଘନୀଭୂତ ହୋଇ ‘ଅତି ଉଗ୍ର ସାମୁଦ୍ରିକ’ ବାତ୍ୟାରେ ପାଲଟି ଆଜି ସକାଳ ୫.୩୦ ସୁଦ୍ଧା କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ସ୍ଥଳରଭାଗରୁ ଦେଖିଲେ, ପୋର୍ଟ ବ୍ଲେୟାର୍ର ପଶ୍ଚିମ-ଉତ୍ତରପଶ୍ଚିମର ୫୨୦ କିଲୋମିଟର୍, କକ୍ସ୍ ବଜାରର (ବାଂଲାଦେଶ) ଦକ୍ଷିଣ-ଦକ୍ଷିଣପଶ୍ଚିମର ୧୦୧୦ କିଲୋମିଟର୍ ଏବଂ ସିତ୍ତ୍ବେର (ମିଆଁମାର୍) ଦକ୍ଷିଣ-ଦକ୍ଷିଣପଶ୍ଚିମର ୯୩୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ଏହି ବାତ୍ୟା କେନ୍ଦ୍ରୀଭୂତ ହୋଇଛି।
ଏହା ଉତ୍ତର-ଉତ୍ତରପୂର୍ବଆଡ଼କୁ ଗତିଶୀଳ ହୋଇ ପୂର୍ବକେନ୍ଦ୍ରୀ ବଙ୍ଗୋପସାଗର ଉପରେ ଆହୁରି ଘନୀଭୂତ ହେବାର ସମ୍ଭାବନା ଅଛି। ମେ ୧୪ ତାରିଖ ପ୍ରାୟ ମଧ୍ୟାହ୍ନ ବେଳକୁ ଏହି ବାତ୍ୟା ମିଆଁମାରର ସିତ୍ତ୍ବେ ପାଖ ଦେଇ କକ୍ସ୍ ବଜାର ଓ କ୍ୟାୟୁକ୍ପିୟୁ ମଧ୍ୟ ଦେଇ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି। ସେତେବେଳେ ଘଣ୍ଟାପ୍ରତି ୧୭୫ କିଲୋମିଟର୍ ବେଗର ଦଲକା ସହିତ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର୍ ବେଗରେ ବତାସ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ସୂଚନାଯୋଗ୍ୟ, ଏହି ସାମୁଦ୍ରିକ ବାତ୍ୟାର ନାମକରଣ କରିଛି ୟେମେନ୍। ୟେମେନ୍ର ଲୋହିତ ସାଗର ଉପକୂଳରେ ଅବସ୍ଥିତ ତଥା କଫି ବ୍ୟବସାୟ ନିମନ୍ତେ ପ୍ରସିଦ୍ଧ ବନ୍ଦର ନଗରୀ ‘ମୋକ୍ହା’ର ନାମାନୁସାରେ ଏହି ବାତ୍ୟାର ନାମକରଣ କରାଯାଇଛି। ଏହି ଆରବୀୟ ଶବ୍ଦକୁ ଭାଷାନ୍ତରେ ଭିନ୍ନ ଭିନ୍ନ ଉଚ୍ଚାରଣ କରାଯାଉଛି। ସେ ସବୁ ହେଉଛି, ମୋକ୍ହା, ମୁକ୍ହା ଅଥବା ମୋକା। କିନ୍ତୁ, ସମସ୍ତ ଉଚ୍ଚାରଣରେ ‘କ’ ଅକ୍ଷର ଉପରେ ଅଧିକ ଜୋର୍ ଦିଆଯାଇଥାଏ।
Comments ସମସ୍ତ ମତାମତ 0