Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

UTKAL DIVAS

ମୁଖ୍ୟ ଖବର

    ଓଡ଼ିଶା ପ୍ରଦେଶର ମହାନ ଜନନାୟକ ରାଜା କୃଷ୍ଣ ଚନ୍ଦ୍ର ଗଜପତି

    Share on :
    ajab-Image
    Date: Mar 30, 2023    Views: 3980

    ଭୁବନେଶ୍ୱର: ପାରଳା ମହାରାଜା, ଭାଷା ଆନ୍ଦୋଳନର ପୁରୋଧା, ପ୍ରଜାବତ୍ସଳ, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବ । ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ୧୮୯୨ ମସିହା ଅପ୍ରେଲ ୨୬ ତାରିଖ ରେ ପାରଳାଖେମୁଣ୍ଡି ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ମାତା ଙ୍କ ନାମ ରାଣୀ ବିଷ୍ଣୁପ୍ରିୟା ଦେବୀ ।

    ପାରଳାଖେମୁଣ୍ଡିଠାରେ ୧୯୧୨ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ, “ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍‌ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରୀତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।”

    ପ୍ରଥମ ଗୋଲ ଟେବୁଲ ବୈଠକ (୧୯୩୦-୩୧) ଲଣ୍ଡନଠାରେ ଅନୁଷ୍ଠିତ ହେଲା । ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟଭାବେ ଗୋଲ ଟେବୁଲ୍‌ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଓଡ଼ିଶାର ଦାବୀ ଉତ୍‌?ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ,”ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ । ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ ।” ଏହି ମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍‌ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ ।

    ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳାଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ବସାଇଥିଲେ । ରାଜ୍ୟରେ ଜଳ ସେଚନର ସୁବିଧା ପାଈଁ ନଳିନୀ କୃଷ୍ଣ ସାଗର କାଶୀ ନଗରଠାରେ ଖୋଳାଇ ଥିଲେ ,ସାହିତ୍ୟ ଗବେଷଣା ପାଈଁ ଗୋପୀନାଥ ନନ୍ଦ ଓ ଗୋପାଳ ପ୍ରହରାଜଙ୍କ ଭଳି ଗବେଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

    ବ୍ରିଟିଶ ପର୍ଲ୍ୟାମେଣ୍ଟରେ ୧୯୩୫ ମସିହା ଭାରତ ଆଇନ ସଂଶୋଧନ ହୋଇ ସମଗ୍ର ଭାରତୀୟ ଉପମହାଦେଶକୁ ୧୧ଟି ପ୍ରଦେଶରେ ବିଭକ୍ତ କରାଗଲା । ପ୍ରତି ପ୍ରଦେଶର ବିଧାନ ସଭା ପାଇଁ ନିର୍ବାଚନ ହେଲା । ଓଡ଼ିଶା ବିଧାନ ସଭାରେ ୬୦ଟି ଆସନରୁ ୩୬ଟି ଆସନ କଂଗ୍ରେସ ଦଳ ହାତରେ ଥିବା ସ୍ଥଳେ କୃଷ୍ଣଚନ୍ଦ୍ରଙ୍କ ଦେଇ ଗଠିତ ଓଡ଼ିଶା ଜାତୀୟ ଦଳ ହାତରେ ୨୪ଟି ଆସନ ଥିଲା । ତେଣୁ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା କଥା ମାତ୍ର ତତ୍କାଲିନ ରାଜ୍ୟପାଳମାନଙ୍କ ସ୍ୱତନ୍ତ୍ର କ୍ଷମତାକୁ ବିରୋଧ କରି କୌଣସି ରାଜ୍ୟରେ କଂଗ୍ରେସ ଦଳ କୌଣସି ରାଜ୍ୟରେ ଶାସନ ଦାୟିତ୍ୱ ନେଲେ ନାହିଁ । ତେଣୁ ଓଡ଼ିଶାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

    ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବେ ରହିଲେ ବାଣପୁର ମାଟିର ଗୌରବ ପଣ୍ଡିତ ଗୋଦାବରୀଶ ମିଶ୍ର ।ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଠିକ ବର୍ଷକ ପରେ ଅର୍ଥାତ ୧୯୩୭ ମସିହା ଏପ୍ରିଲ୍‌ ମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର୍‌ ଜନ ଅଷ୍ଟିନ ହବାକ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ନେତା ରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କଲେ । ତେଣୁ ଗୋରାଚାନ୍ଦ ପଟ୍ଟନାୟକ ଓ ଲତିଫୁର ରହମାନଙ୍କୁ ସଦସ୍ୟ ଭାବରେ ନେଇ ମନ୍ତ୍ରିମଣ୍ଡଳ ଗଠନ କରି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।

    Maximum 500 characters

    UTKAL DIVAS View all

    Find Us on Facebook