ମୁଖ୍ୟ ଖବର
ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ପଡ଼ିଆକୁ ଓହ୍ଲାଇବ ଦଳ। ସବୁଠାରୁ ବଡ଼ କଥା ହେଲା ଦୁଇ ଓଡ଼ିଆ ଖେଳାଳିଙ୍କୁ ହକି ଦଳରେ ସାମିଲ କରାଯାଇଛି।
ଭାରତୀୟ ହକି ଦଳର ସବୁଠାରୁ ଅନୁଭବୀ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭାରତୀୟ ହକି ଟିମରେ ସୁଯୋଗ ମିଳିଛି। ପୂର୍ବରୁ ମସକାଟଠାରେ ଖେଳାଯାଇଥିବା ହକି ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗିତାରେ ବିରେନ୍ଦ୍ର ଖେଳି ନଥିଲେ। ଏହାସହ ଗତ ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ୨୫ ଜଣିଆ ପ୍ରଶିକ୍ଷଣ ଶିବିରରେ ମଧ୍ୟ ଉଭୟଙ୍କ ନାଁ ନଥିଲା। ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା।
ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଓଡ଼ିଶାର ଦୁଇ ପ୍ରତିଭାବାନ୍ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ସେହିପରି ଚିଙ୍ଗଲେସନା ସିଂ କାଙ୍ଗୁଜାମଙ୍କୁ ଦଳର ଉପ-ଅଧିନାୟକ ଦାୟିତ୍ୱଭାର ଦିଆଯାଇଥିବା ବେଳେ ଭାରତୀୟ ଦଳର ଡିଫେନ୍ସ ଭାର ତୁଲାଇବେ ସୁରେନ୍ଦ୍ର କୁମାର ଏବଂ ଓଡ଼ିଆ ପୁଅ ଅମିତ୍ ରୋହିଦାସ।
ଏହାସହ ଡ୍ରାଗଫ୍ଲିକର୍ସରେ ପାରଙ୍ଗମ ଥିବା ଭାରତୀୟ ଦଳର ଯୁବ ତାରକା ଖେଳାଳି କୋଠାଜିତ୍ ସିଂ, ହରମନପ୍ରୀତ୍ ସିଂ ଏବଂ ବରୁଣ କୁମାରଙ୍କୁ ସ୍ଥାନ ମିଳିଛି। ଫରୱାର୍ଡରେ ଆକାଶଦୀପ ସିଂ, ଦିଲପ୍ରୀତ ସିଂ, ଲଲିତ ଉପାଧେୟ ଏବଂ ମନଦୀପ ସିଂଙ୍କ ସହ ସିମ୍ରନଜିତ୍ ସିଂଙ୍କ ଭଳି ଅଭିଜ୍ଞ ଖେଳାଳି।
ମିଡଫିଲ୍ଡର ଦାୟିତ୍ୱ ସମ୍ଭାଳିବ ଅଧିନାୟକ ମନପ୍ରୀତ ସିଂ, ଚିଙ୍ଗଲେସନା ସିଂ କାଙ୍ଗୁଜାମ, ନୀଳକଣ୍ଠ ଶର୍ମା,ସୁମିତ ଏବଂ ହାର୍ଦ୍ଦିକ ସିଂଙ୍କ ଭଳି ଯୁବ ଖେଳାଳି। ଅନ୍ୟପଟେ ଦଳର ତିନି ଷ୍ଟାର ଖେଳାଳି ବିଶ୍ୱପ୍ରୁ ବାଦ୍ ପଡ଼ିଛନ୍ତି। ଏସବି ସୁନୀଲ, ରୁପିନ୍ଦର ସିଂ ଓ ରମନଦୀପ ସିଂ ଦଳରୁ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ସୁନୀଲ ଓ ରମନଦୀପ ବାଦ୍ ପଡ଼ିଥିବା ଜଣାପଡ଼ିଛି। ସେହିପରି ରୁପିନ୍ଦରଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିବାରୁ ଦଳରେ ସାମିଲ ନକରିବାକୁ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି। କିନ୍ତୁ ହକି ଇଣ୍ଡିଆ ପ୍ରେସ୍ରିଲିଜରେ ତିନି ଖେଳାଳିଙ୍କ ବାଦ୍ ସମ୍ପର୍କରେ କାରଣ ସ୍ପଷ୍ଟ କରିନି।
ଆସନ୍ତା ନଭେମ୍ବର ୨୮ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ପୁଲ୍-ସି’ ରେ ଭାରତ, ବେଲଜିୟମ, କାନାଡା ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଡିସେମ୍ବର ୧୬ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ।
Comments ସମସ୍ତ ମତାମତ 0