ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଜୁଲାଇ ୨୧ରେ ଭୋଟ ଗଣତି ହେବ । ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ସମ୍ବିଧାନର ବିଧିବ୍ୟବସ୍ଥା ଅନୁଯାୟୀ ଏହା ପୂର୍ବରୁ ନିର୍ବାଚନ ଶେଷ ହେବ । ୭୭୬ ସାଂସଦ ଓ ୪୧୨୦ ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ । ପ୍ରାର୍ଥୀ ହେବାପାଇଁ ଅତିକମରେ ୫୦ ଜଣ ପ୍ରସ୍ତାବକ ଆବଶ୍ୟକ ରହିଛି । ସାଂସଦମାନେ ସଂସଦରେ ଓ ବିଧାୟକମାନେ ବିଧାନସଭାରେ ମତଦାନ କରିବେ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ କୌଣସି ଦଳ ବା ଗୋଷ୍ଠୀଙ୍କ ହାତରେ ଆବଶ୍ୟକୀୟ ସଂଖ୍ୟା ନାହିଁ । ତେବେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ନିକଟରେ ପ୍ରାୟ ୪୯% ଭୋଟ ଥିବାରୁ ଏନଡ଼ିଏ ପ୍ରାର୍ଥୀ ହିଁ ନିର୍ବାଚନରେ ବାଜିମାତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବାରୁ ପରବର୍ତୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ ଉପରାଷ୍ଟ୍ରପତି ଥିବା ଭେଙ୍କେୟା ନାଇଡ଼ୁଙ୍କ ନାମ ମଧ୍ୟ ପରବର୍ତୀ ରାଷ୍ଟ୍ରପତି ପଦକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ଲାଲକୃଷ୍ଣ ଆଡ଼ଭାନୀ ଓ ଅନ୍ୟ କେତେକ ବରିଷ୍ଠ ନେତାଙ୍କ ନାମକୁ ନେଇ ମଧ୍ୟ ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ବିରୋଧୀ ଏଯାବତ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇନାହାନ୍ତି । ତଥାପିବି ମମତା ବାନାର୍ଜୀ ଓ ଅନ୍ୟ କେତେକ ନେତା ଏନେଇ ରଣନୀତି କରୁଥିବା କୁହାଯାଉଛି ।
Comments ସମସ୍ତ ମତାମତ 0