ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୯ତମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ଲେ-ଅଫ୍ ଦୌଡରୁ ବାଦ ପଡିଥିବା ମୁମ୍ବାଇ କେବଳ ସମ୍ମାନ ପାଇଁ ଖେଳିବ । ପ୍ଲେ-ଫରେ ପହଞ୍ଚିବା କଷ୍ଟ ହେଲେ ମଧ୍ୟ ସୁପରକିଙ୍ଗ୍ସର ସାମାନ୍ୟ ଆଶା ରହିଛି । ଆଇପିଏଲରେ ସବୁଠୁ ଶକ୍ତିଶାଳୀ ଦଳ ଚେନ୍ନାଇ ଓ ମୁମ୍ବାଇର ପ୍ରଦର୍ଶନ ଚଳିତ ସିଜିନରେ ନୈରାଶ୍ୟଜନକ ରହିଛି । ଉଭୟ ମୋଟ ୯ଟି ଟାଇଟଲ ଜିତି ସାରିଛନ୍ତି ହେଲେ ଏଥର ଟାଇଟଲ ଦୌଡରେ ପଛୁଆ ପଡିଯାଇଛନ୍ତି ।
ସୁପରକିଙ୍ଗ୍ସ ବର୍ତ୍ତମାନ ୧୧ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏଯାଏଁ ମାତ୍ର ୨ଟି ମ୍ୟାଚ ଜିତିଛି । ଉଭୟ ଦଳ ଗତ ୨୧ ତାରିଖରେ ପରସ୍ପରକୁ ଭେଟିଥିଲେ । ଉକ୍ତ ମ୍ୟାଚକୁ ସୁପରକିଙ୍ଗ୍ସ ଜିତି ନେଇଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ମୁମ୍ବାଇ । ସେପଟେ ଚେନ୍ନାଇର ଓପନର କନୱେ ଓ ଗାଏକ୍ବାର୍ଡ ଫର୍ମକୁ ଫେରିଛନ୍ତି । ଦଳକୁ ବୋଲିଂ ବିଭାଗ ଉପରେ ନଜର ରଖିବାକୁ ପଡିବ । ସେପଟେ ଅଲରାଉଣ୍ଡର ଜାଡେଜା ଆହତ ହୋଇ ଆଇପିଏଲରୁ ବାଦ ପଡିଛନ୍ତି ତାଙ୍କ ଅନୁପସ୍ଥିତି ପାଇଁ ଦଳ ଯେପରି କିଛି ତ୍ରୁଟି ନ କରେ ସେ ଦିଗରେ ଧ୍ୟାନ ଦେବାକୁ ପଡିବ ।
Comments ସମସ୍ତ ମତାମତ 0