Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରେମିକା ଉପରରେ ନାବାଳକ ପ୍ରେମିକର ଏସିଡ଼ ମାଡ଼

    Share on :
    ajab-Image
    Date: May 11, 2022    Views: 5235

    କଣିହାଁ: ଶନିବାର ମାଟ୍ରିକ ପରୀକ୍ଷା ଶେଷ ପରେ ଘରକୁ ଯିବାକୁ ତରତର ହେଉଥିବା ଜଣେ ଛାତ୍ରୀ ପ୍ରଧାନଶିକ୍ଷକଙ୍କ ପାଇଁ ଚା’ ତିଆରି କରିବା ବେଳେ ପୋଡ଼ି ହୋଇ ଆହତ ହେବା ଘଟଣା ଭିନ୍ନ ଏକ ମୋନ ନେଇଛି । ଗରମ ଚା’ ନୁହେଁ ବରଂ ସ୍କୁଲରୁ ଏକୁଟିଆ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଜଣେ ନାବାଳକ ଛାତ୍ରୀଙ୍କୁ ଏସିଡ଼ ଫୋପାଡ଼ିଥିଲେ ବୋଲି ମଙ୍ଗଳବାର ଏନଟିପିସି ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ନାବାଳକକୁ ପୀଡ଼ିତା ଛାତ୍ରୀ ଜଣକ ପୂର୍ବରୁ ଚିହ୍ନିଥିବା ଜଣାପଡ଼ିଛି । ଅଭିଯୁକ୍ତ ନାବାଳକର ଧମକରେ ପୀଡ଼ିତା ଛାତ୍ରୀ ପରିବାର ଲୋକଙ୍କୁ ମିଛ କହିଥିବା ଦର୍ଶାଇଛନ୍ତି । ପ୍ରେମ ଜନିତ କାରଣରୁ ଏହି ଅଭାବନୀୟ ଘଟଣାର ସୂତ୍ରପାତ ହୋଇଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଏହା ମଧ୍ୟରେ ଆହୁରି ଅନେକ କିଛି ରହସ୍ୟ ରହିଥିଲେ ମଧ୍ୟ ପୀଡ଼ିତା ସଂପୂର୍ଣ୍ଣ ଘଟଣା ଲୁଚାଉଥିବା ସନ୍ଦେହ କରାଯାଉଛି । 

    ପ୍ରକାଶ ଯେ, ଏନଟିପିସି ଥାନା ଇଲାକାର ଏକ ହାଇସ୍କୁଲରେ ରହି ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଗଦାଶିଳା ପଞ୍ଚାୟତ ଇଲାକାରେ ଥିବା ଗାଁରୁ ଅନ୍ୟ ସହପାଠୀଙ୍କ ସହ ନିତି ଯାତାୟାତ କରୁଥିଲେ । ଗତ ଶନିବାର ଦଶମ ପରୀକ୍ଷା ଶେଷ ପରେ ସେ ଘରକୁ ଫେରିଥିଲେ । ହେଲେ ତାଙ୍କ ମୁହଁ, ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ରହିଥିବାରୁ ପରିବାର ଲୋକ ପଚାରିଥିଲେ । ସ୍କୁଲରେ ଶିକ୍ଷକଙ୍କ ପାଇଁ ଚା’ କରୁଥିବା ବେଳେ ଚା’ ପଡ଼ି ଆହତ ହୋଇଥିବା ପୀଡ଼ିତା ଛାତ୍ରୀ ଘରଲୋକଙ୍କୁ କହିଥିଲେ । ରବିବାର କଣିହାଁ ଡ଼ାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏନେଇ ଛାତ୍ରୀଙ୍କ ବାପା ସ୍କୁଲରେ ହୋ ହଲ୍ଲା କରିଥିଲେ । 

    ଏହି ଘଟଣା ସମ୍ପର୍କରେ ଆଜି ଖବର ପ୍ରକାଶ ପରେ ସ୍କୁଲ କର୍ତ୍ତୃପକ୍ଷ ତନାଘନା କରିଥିଲେ । ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଏମଏମସି ସଭ୍ୟ, ପୀଡ଼ିତା ଛାତ୍ରୀଙ୍କ ସମେତ ତାଙ୍କର ବାପା-ମା’, ୫ଜଣ ସହପାଠୀ ଏବଂ କିଛି ଅଭିଭାବକଙ୍କୁ ଡ଼କାଇ ସ୍କୁଲ ପରିସରରେ ଜରୁରୀ ବୈଠକ ବସିଥିଲା । ପଚରାଉଚରା ବେଳେ ଛାତ୍ରୀ ଜଣକ ଘରେ ମିଛକହିଥିବା ସ୍ୱୀକାର କରିଥିଲେ ଘଟଣା ଦିନ ପରୀକ୍ଷା ଶେଷ ପରେ ପୀଡ଼ିତା ଛାତ୍ରୀଙ୍କୁ ଗଦାଶିଳା ଶ୍ମଶାନ ନିକଟରେ ଅଭିଯୁକ୍ତ ନାବାଳକ ଓ ତାର ଜଣେ ସହଯୋଗୀ ଅଟକାଇ ଏସିଡ଼ ଫିଙ୍ଗିଥିଲେ ବୋଲି ସେ କହିଥିଲେ । ଏସିଡ଼ ପଡ଼ି ତାଙ୍କ ମୁହଁରେ କ୍ଷତ ହୋଇଛି । ଘଟଣା କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୁକ୍ତ ନାବାଳକକୁ ସେ ଚିହ୍ନିଥିବା ଜଣାପଡ଼ିଛି । ଆଲୋଚନାରେ ଏଘଟଣା ସ୍ପଷ୍ଟ ହେବା ପରେ ମଙ୍ଗଳବାର ଦିନ ପ୍ରାୟ ୧ଟାରେ ପୀଡ଼ିତା ଛାତ୍ରୀ ପରିବାର ଲୋକଙ୍କ ସହ ଥାନାକୁ ଯାଇ ଏତଲା କରିଛନ୍ତି । ଏନଟିପିସି ଥାନାରେ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।    

    Maximum 500 characters

    ରାଜ୍ୟ ଖବର View all

    Find Us on Facebook