Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଦଳିଲା ରାଜ୍ୟ ରାଜନୀତି ସମୀକରଣ

    Share on :
    ajab-Image
    Date: Apr 23, 2018    Views: 22429

    ଭୁବନେଶ୍ୱର : ମୋଡ଼ ବଦଳାଇଛି ରାଜ୍ୟ ରାଜନୀତି । ଏକଦା ୨୦୧୯ ରାଜନୈତିକ ଦୌଡ଼ ପାଇଁ ମାତ୍ର ଦୁଇ ପ୍ରତିଯୋଗୀ ଟ୍ରାକ୍ରେ ଠିଆ ହୋଇଥିବା ପ୍ରତୀୟମାନ ହେଉଥିଲା । ଅନ୍ୟ ପ୍ରତିଯୋଗୀମାନେ ଠିଆ ହୋଇଥିଲେ ବି ରାଜନୈତିକ ଦୃଷ୍ଟିକୋଣରୁ ସେମାନେ ଝାପସା ଝାପସା ପରିଲକ୍ଷିତ ହେଉଥିଲେ । କିନ୍ତୁ ଏବେ ଦୁଇ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପୂରା ଜୋଶ୍ରେ ଠିଆ ହୋଇସାରିଲେଣି ଆଉ ଏକ ପ୍ରତିଯୋଗୀ । ଏଭଳି ଗୌରଚନ୍ଦି୍ରକା କରି ଆମେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କଥା ହିଁ କହୁଛୁ । ଏକଦା ସାରା ରାଜ୍ୟର ରାଜନୀତି ବିଜେଡି ଓ ବିଜେପି ଉପରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ମଙ୍ଗ ଧରିବା ପରେ ସେ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଦୀର୍ଘଦିନ ପରେ କଂଗ୍ରେସ ତା’ର କାର୍ଡ ଖୋଲିଥିବା ବେଳେ ବିଜେଡି ଓ ବିଜେପିର ପୂର୍ବ ରଣନୀତି ବଦଳିବା ସହ ରାଜ୍ୟ ରାଜନୀତିର ସମୀକରଣ ମଧ୍ୟ ବଦଳିଯାଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତପୋଷଣ କରିଛନ୍ତି । 

    ବିଜେଡି ଓ ବିଜେପିର ସାଂଗଠନିକ ସ୍ଥିତି ସହ ବିପୁଳ ଅର୍ଥ ଲଢେ଼ଇରେ ପ୍ରସାଦ ହରିଚନ୍ଦନ କଂଗ୍ରେସ ବହୁ ପଛରେ ପଡ଼ିଯାଇଥିଲା । ଫଳରେ କଂଗ୍ରେସ କର୍ମୀମାନେ ବୀତସ୍ପୃହ ହୋଇପଡ଼ିବା ସ୍ୱାଭାବିକ  । ପ୍ରତି ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା  । ଗତ ଦୁଇ ଦଶନ୍ଧି ମଧ୍ୟରେ କଂଗ୍ରେସ ବହୁବାର ପରାଜୟର ସାମ୍ନା କରିଥିଲେ ମଧ୍ୟ ୨୦୧୪ ପରେ ଧୀରେଧୀରେ କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ସ୍ଥିତି ଯେଉଁଭଳି ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଅତୀତରେ ସେମିତି କେବେ ଦେଖିବାକୁ ମିଳିନଥିଲା । କଂଗ୍ରେସକୁ ହଟାଇ ବିଜେପି ହିଁ ବିକଳ୍ପ ଭାବେ ଉଭା ହୋଇଥିଲା । ଯେଉଁଥିପାଇଁ ବିଜେପି ୧୨୦ ମିଶନର ସ୍ୱପ୍ନ ଦେଖିଥିବାବେଳେ କଂଗ୍ରେସ ଓଡ଼ିଶାରୁ ପୂରା  ନିଶ୍ଚିହ୍ନ ହୋଇପଡ଼ିଲା ବୋଲି ମନେ ହୋଇଥିଲା । ଦଳର ଏଭଳି ବେହାଲ୍ ହାଲ୍ ଦେଖି ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସ୍ଥିତି ଏମିତି ହୋଇଥିଲାଯେ, ଯଦି କଂଗ୍ରେସ ନେତାମାନେ ଏକାଠି ନହୁଅନ୍ତି ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଭାଡ଼ି ଖାଲି ହୋଇଯିବ ବୋଲି ମନେ ହେଉଥିଲା । ଏମିତିକି କେହି କେହି କଂଗ୍ରେସକୁ ୧୪୭ ଆସନ ପାଇଁ ପ୍ରାର୍ଥୀ ମିଳିବେନି ବୋଲି କହିବାକୁ ପଛେଇନଥିଲେ । ବିଶେଷକରି କଂଗ୍ରେସର ଏଭଳି ଦୋଦୂଲ୍ୟମାନ ସ୍ଥିତି ବିଜେପି ପାଇଁ ଟନିକ୍ ଭଳି କାମ କରିଥିଲା । ଗାଁ ଗାଁରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହୋଇ ଆସୁଥିବାରୁ ବିଜେଡ଼ି ନେତାମାନଙ୍କୁ ପାନେ ଦେବା ପାଇଁ ସେମାନେ ବିଜେପିକୁ ଭୋଟ୍ ଦେବା ପାଇଁ ବାଧ୍ୟ ହୋଇଥିଲେ । ବସ୍ତୁତଃ ତୃଣମୂଳସ୍ତରର କଂଗ୍ରେସିଆଙ୍କ ସେହି ରଣନୀତି କାମ କରିଥିଲା । ବିଜେଡ଼ିକୁ ଝଟକା ଲାଗିଥିଲା । ତେବେ ଏହାର ଦୀର୍ଘମିଆଦୀ ଫାଇଦା ବିଜେପିକୁ ହିଁ ମିଳିଥିଲା । ଏହି ମଉକାରେ ଅନେକ କଂଗ୍ରେସ କର୍ମୀ ବିଜେପି ଆଡ଼କୁ ମନ ବଳାଇବାକୁ ବାଧ୍ୟ ହୋଇଥିଲେ । ଏପରିକି ବିଜେପୁର ନିର୍ବାଚନରେ ବି କଂଗ୍ରେସ ଅମାନତ ହରାଇବାକୁ ବାଧ୍ୟ ହୋଇଥିଲା । ଗୋଟିଏ ପଟେ ଗୋଷ୍ଠୀକନ୍ଦଳର ଭାଇରସ୍ କଂଗ୍ରେସର ବଡ଼ ନେତାମାନଙ୍କୁ ଘାଇଲା କରିଦେଇଥିବାବେଳେ ଅପରପକ୍ଷରେ ତୃଣମୂଳସ୍ତରର ନେତାମାନେ ଆଶା ଛାଡ଼ି ଦେଇଥିଲେ  । କିନ୍ତୁ ଅକ୍ଷୟତୃତୀୟାରେ ନୂଆ ବିହନ ବୁଣିବା ଆରମ୍ଭ କରିଥିଲା କଂଗ୍ରେସ  । ଏକଦା ଅକ୍ଷୟତୃତୀୟାରେ ହିଁ ନିରଞ୍ଜନ ପଟ୍ଟନାୟକଙ୍କ ପିସିସି ଚଉକିକୁ କାଢ଼ି ନେଇଥିଲେ ଏଆଇସିସି ହାଇକମାଣ୍ଡ  । କିନ୍ତୁ ପୁଣି ପଟ ବଦଳିବାରୁ ଚଳିତ ବର୍ଷ ଅକ୍ଷୟତୃତୀୟା ବାସି ଦିନ ପୁଣି ନିରଂଜନଙ୍କ ହାତକୁ ପିସିସି ଚଉକି ଫେରିଆସିଛି । ଯଦିଓ ଅକ୍ଷୟତୃତୀୟା ବାସି ଦିନ ନିରଞ୍ଜନଙ୍କୁ ପିସିସି ମୁଖିଆ ଭାବେ ଘୋଷଣା କରାଯାଇଥିଲା, ତେବେ ବାସ୍ତବରେ ଅକ୍ଷୟତୃତୀୟା ଦିନ ହିଁ ତିନି କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକି ପିସିସି ନବକଳେବରର ମୂଳଦୁଆ ପଡ଼ିଥିଲା ।

    ପୂର୍ବରୁ ଆମେ କହିରଖିଛୁ, ନିରଞ୍ଜନଙ୍କ ଉପରେ ସବୁ ଦଳର ନିଘା ରହିଥିଲା  । ନିରଞ୍ଜନ ପିସିସି ସଭାପତି ହେଲେ ରାଜ୍ୟ ରାଜନୀତି ବଦଳିଯିବ ବୋଲି ଆମେ ପୂର୍ବାନୁମାନ କରିସାରିଥିଲୁ  । କାହିଁକିନା ପ୍ରସାଦଙ୍କ କଂଗ୍ରେସକୁ ମାତ୍ ଦେବା ପାଇଁ ବିଜେଡ଼ି ଓ ବିଜେପି ଯେଉଁ ରଣନୀତି କରିବେ ନିରଞ୍ଜନଙ୍କ କଂଗ୍ରେସକୁ ମାତ ଦେବା ପାଇଁ ସେହି ରଣନୀତି କାଟୁ କରିବ ନାହିଁ  । ତେଣୁ  ଦୁଇ ଦଳ ରଣନୀତି ବଦଳାଇବାକୁ ବାଧ୍ୟ ହେବେ । ବସ୍ତୁତଃ ବିଜେଡ଼ି ଓ ବିଜେପି ଅଳିନ୍ଦରେ ହିଁ ସମାନ ଚର୍ଚ୍ଚା ପର୍ଯ୍ୟାଲୋଚନା ଦେଖିବାକୁ ମିଳିଛି  ।

    ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ସବୁଠୁ ବେଶୀ ଟେନସନରେ ପଡ଼ିଯାଇଛି ବିଜେପି । କାରଣ କଂଗ୍ରେସ ପଙ୍କରେ ହିଁ ବିଜେପିର ଫୁଲ ଫୁଟିଥିଲା । ଏବେ କଂଗ୍ରେସ ନିଜ ଘର ସଜାଡ଼ିବା ଆରମ୍ଭ କରିଦେଇଥିବାରୁ ଫୁଲ ନାଡ଼ ଭାଙ୍ଗିବା ନିଶ୍ଚିତ ହୋଇଯାଇଛି  । ଯେଉଁଥିପାଇଁ ଗତ କିଛିଦିନ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରେ ଅହେତୁକ ନୀରବତା ଛାଇ ଯାଇଛି । ଗୋଟିଏ ପଟେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଅପରପକ୍ଷରେ ସିରିଆ ଯୁଦ୍ଧ ପୁଣି ସ୍ଥିତିକୁ ସଂଗୀନ କରିଦେଇଛି  । ସେହିପରି ପଂଚାୟତ ନିର୍ବାଚନରେ ବିପୁଳ ସଫଳତା ସତ୍ତ୍ୱେ ବିଜେପୁର ଉପନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ଧର୍ମେନ୍ଦ୍ରଙ୍କ ପତିଆରା ଉପରେ ପ୍ରଶ୍ନଚିହ୍ନ ଲଗାଇସାରିଛି  । ସଂଘଭୁକ୍ତ ନେତାମାନେ ବି ଧର୍ମେନ୍ଦ୍ରଙ୍କ ପତିଆରାକୁ ଗ୍ରହଣ କରିବା ମୁଡ଼୍ରେ ନଥିବାରୁ ଧୀରେଧୀରେ ବିଜେପିର ସାଂଗଠନିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଇତିମଧ୍ୟରେ ବିଜେପିର ସଂଗଠନ ସାଧାରଣ ସମ୍ପାଦକ ବଦଳି ସାରିଥିବାବେଳେ ସଭାପତି ପଦ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଧର୍ମେନ୍ଦ୍ର ବର୍ତ୍ତମାନ ଏହି ଟେନସନର ସାମ୍ନା କରୁଥିବାବେଳେ ପୁଣି ନିରଞ୍ଜନଙ୍କ ଟେନସନ ଆସିଯାଇଛି । କାହିଁକିନା ଧର୍ମେନ୍ଦ୍ର ବିଜେପି ଭୋଟ ବୃଦ୍ଧିର ଶ୍ରେୟ ନେଉଥିଲେ । କିନ୍ତୁ ବାସ୍ତବରେ ବିଜେପିର ଭୋଟ୍ ବୃଦ୍ଧି ବାସ୍ତବରେ ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତା କିମ୍ବା ସାଂଗଠନିକ ଦୃଷ୍ଟିକୋଣରୁ ହୋଇନଥିଲା । ବରଂ ଏହାର ବଡ଼ ଭାଗ କଂଗ୍ରେସ କର୍ମୀମାନଙ୍କ ସୌଜନ୍ୟରୁ ହିଁ ଆସିଥିଲା । କଂଗ୍ରେସ ଯଦି ଏକଜୁଟ୍ ହୁଏ ତେବେ ସାରା ରାଜ୍ୟରେ ଏହା ବି ନିଜର ଦବଦବା ଦେଖାଇପାରିବ । ଅତୀତରେ ଖୋଦ୍ ଧର୍ମେନ୍ଦ୍ର ଏହା ପରୋକ୍ଷରେ ସ୍ୱୀକାର କରିସାରିଛନ୍ତି  । ସେ ନିଜେ କହିଥିଲେଯେ, ପ୍ରତି ଗାଁରେ କଂଗ୍ରେସର କର୍ମୀ ଅଛନ୍ତି । ସେମାନଙ୍କୁ କରାୟତ୍ତ କରାଯାଇପାରିଲେ ହିଁ  ବିଜୟ ସମ୍ଭାବନା ଉଜ୍ଜ୍ୱଳ ହୋଇପାରିବ । କିନ୍ତୁ ନିରଞ୍ଜନ ସଭାପତି ହେବା ପରେ ଆଉ ବିଜେପି କଂଗ୍ରେସ ଭୋଟରେ ହାତ ମାରିପାରିବ ନାହିଁ ବୋଲି କହିଲେ ଅତୁ୍ୟକ୍ତି ହେବନି ।

    ନିରଞ୍ଜନ ପିସିସି ମଙ୍ଗୁଆଳ ହେବା ପରେ ବିଜେପିର ଟେନସନ ବଢ଼ିଯାଇଥିବାବେଳେ ବିଜେଡ଼ି ଟେନସନ ଫ୍ରି ହୋଇଯାଇଛି । କାହିଁକିନା ସରକାରୀ ବିରୋଧୀ ଭୋଟ୍ ଏବେ ଦୁଇ ଭାଗ ହୋଇଯିବ । ଏମିତିବି ଏବେ ମଧ୍ୟ ପ୍ରତି ଗାଁରେ ବିଜେଡ଼ିର ଦବଦବା ରହିଆସିଛି । ଫଳରେ ୨୦୧୯ର ପଥ ସୁଗମ ହୋଇପାରିବ । ଏହି ପରିପ୍ରେକ୍ଷୀରେ କନକବର୍ଦ୍ଧନ ସିଂହଦେଓଙ୍କ ମତକୁ ଅନୁଶୀଳନ କଲେ ବିଜେପି ମନରେ ଥିବା ଭୟ ଆପେଆପେ ଦୃଷ୍ଟିଗୋଚର ହୋଇଯିବ । ନିରଞ୍ଜନ ସଭାପତି ହେବା ପରେ କନକବର୍ଦ୍ଧନ ସିଂହଦେଓ କହିଥିଲେଯେ, ନବୀନଙ୍କ ଇସାରାରେ ଏଭଳି ହୋଇଛି । ଏହି ପରିପ୍ରେକ୍ଷୀରେ ସେ ସୌମ୍ୟରଂଜନଙ୍କ ବିଜେଡ଼ି ଲିଙ୍କ୍ର ଅବତାରଣା କରିଛନ୍ତି  । ତେବେ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଅନୁଶୀଳନ କଲେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ । କାହିଁକିନା ଗତ ଦୁଇ ବର୍ଷ ଧରି କଂଗ୍ରେସର ସବୁ ଆଗଧାଡ଼ିର ନେତା ନେତୃତ୍ୱ ବଦଳିବା ନେଇ ଦିଲ୍ଲୀ ଯାଉଥିଲେ । ପ୍ରସାଦଙ୍କୁ ହଟାଇ ନିରଞ୍ଜନଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ତୃଣମୂଳସ୍ତରର କଂଗ୍ରେସ କର୍ମୀମାନେ ମଧ୍ୟ ଦାବି କରି ଆସୁଥିଲେ । ଖାଲି ସେତିକିନୁହେଁ ଖୋଦ୍ ବିଧାୟକ ଦଳ ଓ ପିସିସି ମଧ୍ୟରେ ଅପଡ଼ ରହିଥିଲା  । ଏମିତିକି ଅନେକ ବିଧାୟକ ପ୍ରସାଦଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ମତ ଦେଇ ଆସୁଥିଲେ । ଯଦି ପ୍ରସାଦଙ୍କ ନେତୃତ୍ୱରେ ଦଳ ସୁଦୃଢ଼ ହେଉଥା’ନ୍ତା ଓ ନିରଂଜନଙ୍କୁ ଉକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଥା’ନ୍ତା ତେବେ କେଭିଙ୍କ ଅଭିଯୋଗ ଗ୍ରହଣୀୟ ହୋଇପାରନ୍ତା  । ଅନ୍ୟଦୃଷ୍ଟିରୁ ଦେଖିଲେ ନିରଞ୍ଜନ ସଭାପତି ହୁଅନ୍ତୁ ବୋଲି ବୋଧହୁଏ ବିଜେପି ନେତାମାନେ ଚାହୁଁନଥିଲେ । କାରଣ ନିରଞ୍ଜନ ସଭାପତି ହେଲେ ବିଜେପି ହିଁ ଘାଟାରେ ପଡ଼ିବ ବୋଲି ସେମାନେ ଜାଣିସାରିଛନ୍ତି । ଫଳରେ ଏବେ ବିଜେପି ତାହାର ରଣନୀତି ବଦଳାଇବା ନିଶ୍ଚିତ ହୋଇଯାଇଛି ।

    ଏହି ପରିପ୍ରେକ୍ଷୀରେ ରାଜନୀତିକ ମହଲରେ ଭିନ୍ନ ଚର୍ଚ୍ଚା ଜୋରଧରିଛି । ପଟ୍ଟନାୟକ ପରିବାରକୁ କଂଗ୍ରେସରୁ ଦୂରେଇ ରଖିବା ପାଇଁ ରାହୁଳ ଗାନ୍ଧି ଚାହୁଁଥିଲେ । ତେବେ ହଠାତ୍ କାହିଁକି ନିରଞ୍ଜନଙ୍କ ମୁଣ୍ଡରେ ଶିରିପା ବାନ୍ଧିଲେ? ଏମିତିକି ନିରଞ୍ଜନ ମଧ୍ୟ ଆଶା ଛାଡ଼ି ଦେଇଥିଲେ । ତେଣୁ କେଉଁ ଅଦୃଶ୍ୟ ଶକ୍ତିର ଇସାରାରେ ନିରଂଜନଙ୍କୁ ସଭାପତି କରାଯାଇଛି ବୋଲି ଚର୍ଚ୍ଚା ହେବା ସହ ନବୀନଙ୍କ ଆଡ଼କୁ ଇଶାରା କରାଯାଉଛି । ତେବେ ଏହି ପ୍ରଶ୍ନର ଉତ୍ତର ବି ଅତି ସାଧାରଣ । ବର୍ତ୍ତମାନ ଦେଶରେ ବି କଂଗ୍ରେସ ଦଳ ଆର୍ଥିକ ସଂକଟ ଦେଇ ଗତିକରୁଛି । ବିଜେପିର ରାଜନୈତିକ ଚାନ୍ଦା ବୃଦ୍ଧି ପାଇଥିବାବେଳେ କଂଗ୍ରେସର ହ୍ରାସ ପାଇଛି । ତେଣୁ ଓଡ଼ିଶାରେ ଜଣେ ବିତ୍ତଶାଳୀ ନେତାଙ୍କୁ ଦାୟିତ୍ୱ ଦେବା ପାଇଁ ରାହୁଲ ନିରଞ୍ଜନଙ୍କୁ ବାଛିବା ସ୍ୱାଭାବିକ । ଖାଲି ସେତିକିନୁହେଁ କଂଗ୍ରେସର ସବୁ ଆଗଧାଡ଼ିର ନେତାଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତର ଯାଏଁ ନିରଞ୍ଜନଙ୍କୁ ଚାହୁଁଛନ୍ତି ବୋଲି ରାହୁଲ ବି ବୁଝି ସାରିଛନ୍ତି  । ତେଣୁ ଇଚ୍ଛା ଥାଉ ବା ନଥାଉ କର୍ମୀ ଓ ନେତାଙ୍କ ଚାପରେ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେବା ସ୍ୱାଭାବିକ ।

    ସାରା ରାଜ୍ୟରେ ଏବେ ନିରଞ୍ଜନଙ୍କ ସମ୍ବର୍ଦ୍ଧନା ପର୍ବ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି  । ବିମାନ ୨ ଘଣ୍ଟା ବିଳମ୍ବିତ ହୋଇଥିଲେ ବି ହଜାର ହଜାର କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏମିତିକି ବିମାନବନ୍ଦରରୁ କଂଗ୍ରେସ ଭବନରେ ପହଁଚିବା ପାଇଁ ଦୁଇ ଘଣ୍ଟା ଲାଗି ଯାଇଥିଲା  । ଦଳର ସବୁ ନେତା ମଞ୍ଚ ଉପରେ ନିରଞ୍ଜନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ପ୍ରସାଦ ହରିଚନ୍ଦନଙ୍କ ଠାରୁ ନେଇ ଜୟଦେବ ଜେନା ଓ  ନରସିଂହ ମିଶ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି ନିରଞ୍ଜନଙ୍କ ସମ୍ବଦ୍ଧ୍ୱର୍ନା ମଞ୍ଚରେ ତାଙ୍କର ଫଟୋ ମଧ୍ୟ ଲାଗିନଥିଲା । ସ୍ୱାଗତମ୍ ଗେଟ୍ରେ ମଧ୍ୟ ନିରଞ୍ଜନଙ୍କ ଫଟୋ ନଥିଲା । ବରଂ ଗେଟ୍ ଓ ମଂଚରେ ତିନି କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ଫଟୋ ଲାଗିଥିଲା । ଅର୍ଥାତ୍ ପ୍ରସାଦଙ୍କ ‘ମୁଁ ନୁହେଁ ଆମେ’ ଭଳି ନିରଞ୍ଜନ ‘ମୁଁ ନୁହେଁ ଆପଣମାନେ’ ବୋଲି ବାର୍ତ୍ତା ଦେଇଛନ୍ତି । ଖାଲି ସେତିକିନୁହେଁ ପୂର୍ବ ଭୁଲ ମନେ ପକାଇଦେବା ସହ ସେଥିରୁ ଶିକ୍ଷା ଗ୍ରହଣ ପାଇଁ ନିରଞ୍ଜନ ଆହ୍ୱାନ ଦେଇଥିଲେ  । ଯୁବ ନେତାମାନଙ୍କ ଉପରେ ମଧ୍ୟ ସେ ଫୋକସ କରିଛନ୍ତି । ମେ’ରୁ ହିଁ ନିରଞ୍ଜନ ନିଜର ରଣନୀତି ଆଧାରରେ କାର୍ଯ୍ୟ କରିବାକୁ ଯାଉଛନ୍ତି । ହେଲିକପ୍ଟରରେ ସେ ସାରା ଓଡ଼ିଶା ବୁଲିବେ । ୩୦ଟି ଜିଲ୍ଲା ୩୧୪ ବ୍ଲକର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ । 

    ମିଳିଥିବା ସୂଚନାନୁଯାୟୀ ନିରଞ୍ଜନ ଭୁବନେଶ୍ୱରରେ ଖୁବ୍ କମ୍ ସମୟ କାଟିବେ । ଆଗାମୀ ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ମେ’ରୁ ହିଁ ସେ ସାରା ଓଡ଼ିଶା ବୁଲି କଂଗ୍ରେସର ସ୍ଥିତି ପରଖିବେ  । ପ୍ରତି ବ୍ଲକ୍ରେ ମଧ୍ୟ କଂଗ୍ରେସର ସମାବେଶ କରାଯିବ  । ଇତିମଧ୍ୟରେ ନିରଞ୍ଜନ ନିଜର ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏକ ଟିମ୍ ଗଠନ କରି ସାରିଛନ୍ତି  । ସୋସିଆଲ ମିଡ଼ିଆରୁ ନେଇ ଦଳର ପ୍ରଚାର ପ୍ରସାର, ପୋଷ୍ଟର, ଲିଫଲେଟ୍ ଆଦି ପାଇଁ ତାଙ୍କର ଲୋକ ରେଡ୍ଡୀ ହୋଇ ରହିଛନ୍ତି  । ଖୁବ୍ କମ୍ ଦିନରେ ଓଡ଼ିଶାର ପ୍ରତି ଗାଁରେ କଂଗ୍ରେସର ପୋଷ୍ଟର ବ୍ୟାନର ଲଗାଇବା ପାଇଁ ନିରଞ୍ଜନ ରଣନୀତି କରିଛନ୍ତି  । ପୁଣି ସୁପ୍ତ ସିଂହ ଜାଗ୍ରତ ହେବା ଭଳି କଂଗ୍ରେସ ଉଠୁଛି ବୋଲି ନିରଞ୍ଜନ ବାର୍ତ୍ତା ଦେବାକୁ ଯାଉଛନ୍ତି  । ଖାଲି ସେତିକିନୁହେଁ ନିଜ ଦଳର ଯେଉଁ ଟାଣୁଆ ନେତାମାନେ ବିଜେଡ଼ି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି ସେମାନଙ୍କୁ ପୁଣି ଦଳକୁ ଆଣିବା ପାଇଁ ନିରଞ୍ଜନ ‘ଘରବାହୁଡ଼ା’ ମିଶନ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି  । କଂଗ୍ରେସ ତା’ର କାଡର଼୍ ଖୋଲି ସାରିଥିବାବେଳେ ଏବେ ବିଜେଡ଼ି ଓ ବିଜେପି ପାଳି  । କଂଗ୍ରେସକୁ ମାତ୍ ଦେବା ପାଇଁ ଦୁଇ ଦଳ କିଭଳି ଢ଼ଙ୍ଗରେ ରଣନୀତି କରୁଛନ୍ତି ତାହା ଉପରେ ସମସ୍ତଙ୍କ ନିଘା ରହିଛି  । ବିଶେଷକରି ଗଣମାଧ୍ୟମଗୁଡ଼ିକ ଉପରେ ବି ସମସ୍ତଙ୍କର ଫୋକସ ରହିବା ସ୍ୱାଭାବିକ  । କାହିଁକିନା ବିଗତ କିଛି ବର୍ଷ ଧରି ଗଣମାଧ୍ୟମ ବିଜେଡ଼ି ଓ ବିଜେପି ଉପରେ ଗୁରୁତ୍ୱାରୋପ କରିଆସୁଥିଲା  । କିନ୍ତୁ ନିରଞ୍ଜନ ସଭାପତି ହେବା ପରେ ଏବେ ଗଣମାଧ୍ୟମ କଂଗ୍ରେସକୁ ହିଁ ଗୁରୁତ୍ୱ ଦେବାକୁ ବାଧ୍ୟ ହେବ  । ଫଳରେ କଂଗ୍ରେସ ପୁଣି ଉଠୁଛି ବୋଲି ବାର୍ତ୍ତା ଦେବାରେ ଗଣମାଧ୍ୟମଗୁଡ଼ିକ ସହାୟକ ହୋଇପାରିବେ । ତଥାପି ବି କଂଗ୍ରେସ ନେତାଙ୍କ ମନରେ ଆଶଙ୍କା ରହିଛି । ଅତୀତରେ ସମ୍ବଦ୍ଧ୍ୱର୍ନା ପର୍ବ ବେଳେ ସମସ୍ତେ ଏକାଠି ହୋଇ କାମ କରିବାକୁ କହୁଥିଲେ ମଧ୍ୟ ତା’ର କିଛିଦିନ ପରେ ନେତା ଗୋଷ୍ଠୀକନ୍ଦଳରେ ବ୍ୟସ୍ତ ରହିବାର ଅନେକ ନଜିର ରହିଛି  । ତେଣୁ ନିରଂଜନ ସମସ୍ତଙ୍କୁ ସାଙ୍ଗରେ ଧରି କେତେବାଟ ଚାଲିପାରୁଛନ୍ତି ତାହା ଉପରେ ହିଁ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରିବ  । 

    Maximum 500 characters

    ଅଧିକ ମତାମତ

    Wel come sir...and congratulations .....jadi odisha re Congress ku kehi banchei paribe ta ame jani6u se hele apana sir ame abe judha pain pura ready au amara hni jay heba..... Jay Congress... Jay odisha...... Jay niranjan pattnayak.......

    Balaram Sahu

    Apr 23, 2018

    Congress will rise under the dynamic leadership of Mr NIranjan Pattanaik

    Patra sanjaya

    Apr 23, 2018

    ରାଜନୀତି ତଡ଼କା View all

    Find Us on Facebook