ମୁଖ୍ୟ ଖବର
ଭୁବନେଶ୍ୱର : ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ନବୀନବାବୁ କହୁଛନ୍ତି ଓଡ଼ିଶାରେ ବିଜେପି ୧୨୦ ସିଟ୍ ପାଇବ ନାହିଁ । ହେଲେ ଆଜିର ସମାବେଶ ଦେଖିଲେ ଜଣାପଡ଼ୁଛି ଆମେ ୧୨୦ ସିଟ୍ଠୁ ଅଧିକ ନେବୁ । ଉତରପ୍ରଦେଶ, ଉତରାଖଣ୍ଡ, ତ୍ରିପୁରା ନିର୍ବାଚନ ଦେଖିସାରିଛୁ । ତ୍ରିପୁରାଠୁ ମଧ୍ୟ ଓଡ଼ିଶାରେ ବଡ଼ ଜନାଦେଶ ବିଜେପିକୁ ମିଳିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ।
ବଲାଙ୍ଗୀରରେ ଆୟୋଜିତ ଯୁବ ସମାବେଶ ଅବସରରେ ଅମିତ୍ ଶାହା କହିଲେଯେ, ମୋଦିଙ୍କ ନୂଆ ଭାରତ ଗଠନ ପାଇଁ ଓଡ଼ିଶାରୁ ଯୁବ ଶକ୍ତି ସହାୟକ ହୋଇପାରିବ । ଆଜି ନବୀନ ବାବୁ ମୋତେ ଦେଖି ନୁହେଁ, ଆପଣଙ୍କୁ ଦେଖି ଘାବରାଇ ଯିବେ । ଓଡ଼ିଶାରେ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଉଛି । ହେଲେ ଦୋଷୀଙ୍କୁ ଧରାଯାଉନାହିଁ । ନବୀନ ବାବୁ କେତେଦିନ ଅପରାଧୀଙ୍କୁ ବଂଚାଇବେ ? ଯେଉଁଦିନ ରାଜ୍ୟରେ ବିଜେପି ସରକାର ଆସିବ ସେଦିନ ସେମାନେ ପାତାଳରେ ଥିଲେ ବି ଖୋଜିଖୋଜି ବାନ୍ଧିବୁ ବୋଲି ଅମିତ୍ ଶାହା କହିଛନ୍ତି । ସେ କହିଲେଯେ, ବିଜେପି ହିଂସାରେ ବିଶ୍ୱାସ କରେ ନାହିଁ । ଘରଘର ଯାଇ ରାଜ୍ୟର ପଛୁଆ ଅଂଚଳର ସ୍ଥିତି, ଶିକ୍ଷା, ସ୍ୱାସ୍ଥ୍ୟର ଅବସ୍ଥା କଥା ଲୋକଙ୍କୁ ଜଣାଇବାକୁ ଶାହା ଆହ୍ୱାନ ଦେଇଥିଲେ ।
ଶାାହା କହିଥିଲେଯେ, ସେ ଏବେ ଏକ ଗାଁକୁ ଯାଇଥିଲେ । ନଦୀଠୁ ୩ କିଲୋମିଟର ଦୂରରେ ସେହି ଗାଁ ଥିଲେ ମଧ୍ୟ ଫ୍ଲୋରାଇଡ଼ର ମାତ୍ରା ବହୁତ ଅଧିକ ରହିଛି । ଲୋକେ ପାଣି ପିଇ ରୋଗରେ ପଡ଼ୁଛନ୍ତି । ହେଲେ ନବୀନ ବାବୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ଛୋଟିଆ ଚେକ୍ ଡ୍ୟାମ୍ କରିଦେଇଥିଲେ ଯୁବକମାନଙ୍କୁ ଫ୍ଲୋରାଇଡ଼୍ ପାଣି ପିଇବାକୁ ପଡ଼ିନଥାନ୍ତା । ଭାରତ ସରକାର ଉକ୍ତ ଗାଁରେ ତୁରନ୍ତ ଚେକଡ଼୍ୟାମ୍ ନିର୍ମାଣ କରିବେ ବୋଲି ସେ କହିଥିଲେ । ସେହିପରି ସେ କେବିକେ କ୍ଷେତ୍ରକୁ ଯାଇଛନ୍ତି । ଯେଉଁ ତିନି ଚାରି ଗାଁକୁ ଯାଇଥିଲେ ସେଠି ସବୁ ଲୋକ କହୁଛନ୍ତି ଆମ ଯୁବକମାନେ ରାଜ୍ୟ ଛାଡ଼ି ବାହାର ରାଜ୍ୟକୁ ଯାଇଛନ୍ତି । ଓଡ଼ିଶାର ଯୁବକମାନେ ବାହାର ରାଜ୍ୟରେ ଝାଳ ବୁହାଉଛନ୍ତି । ବାହାର ରାଜ୍ୟର ବିକାଶରେ ଓଡ଼ିଶା ଯୁବକଙ୍କ ଝାଳର ମହକ ଆସୁଛି । ନିକମ୍ମା ସରକାର ପାଇଁ ଯୁବକମାନେ ସୁଯୋଗ ପାଉନାହାନ୍ତି । ପଶ୍ଚିମ ଓଡ଼ିଶା ପ୍ରତି ଅନ୍ୟାୟ ହେଉଛି ବୋଲି ଶାହା କହିଥିଲେ ।
Comments ସମସ୍ତ ମତାମତ 0