ମୁଖ୍ୟ ଖବର
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଧର୍ମେନ୍ଦ୍ରଙ୍କ ପତିଆରା ଉପରେ ପ୍ରଶ୍ନବାଚୀ ଲଗାଇଥିବାବେଳେ ବିଜେପି ରାଜନୀତିରେ ବି ତାତି ବଢ଼ିବାରେ ଲାଗିଛି । ବିଶେଷକରି ନୂଆଦିଲ୍ଲୀରେ ଦଳର ଦୁଇ ନେତା ବିଜୟ ମହାପାତ୍ର ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବରିଷ୍ଠ ନେତାଙ୍କୁ ଭେଟିବା ଘଟଣା ଓଡ଼ିଶା ବିଜେପିରେ ଚର୍ଚ୍ଚା ସୃଷ୍ଟିକରିଛି ।
ନିକଟରେ ନୂଆଦିଲ୍ଲୀ ଯାଇ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟିଛନ୍ତି ବିଜୟ ମହାପାତ୍ର । ତେବେ ତାଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା ନା ସେ ନିଜଆଡୁ ଭେଟିବାକୁ ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କେତେକଙ୍କ ମତରେ ବିଜୟ ବାବୁ ଭାରି ସ୍ୱାଭିମାନୀ । ଦିଲ୍ଲୀରୁ ଡକରା ଆସିନଥିଲେ ସେ ଯିବାର ଚାନ୍ସ ହିଁ ନାହିଁ । ତେଣୁ ଦିଲ୍ଲୀରୁ ହିଁ ତାଙ୍କୁ ଡାକରା ଆସିଛି ବୋଲି ସେମାନେ ମତବ୍ୟକ୍ତ କରୁଛନ୍ତି । ତେବେ ଦିଲ୍ଲୀରେ ବିଜୟ ଅମିତ ଶାହାଙ୍କୁ ସାକ୍ଷାତ କରିପାରିନଥିବା ଜାଣିବାକୁ ମିଳିଛି । ପୂର୍ବତନ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ବିଜୟ ମହାପାତ୍ର ଭେଟିଛନ୍ତି । ଯଦି ଦିଲ୍ଲୀରୁ ଡକରା ଆସିଥା’ନ୍ତା ତେବେ ଅମିତ୍ ଶାହାଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହୋଇପାରିଥା’ନ୍ତା । କାହିଁକିନା ଏବେ ଅମିତ ଶାହାଙ୍କ ବ୍ୟତୀତ ଆଉ କୌଣସି ନେତା ସଂଗଠନ ସଂକ୍ରାନ୍ତରେ ନିଷ୍ପତି ନେଉନାହାନ୍ତି କି ଆଲୋଚନା କରୁନାହାନ୍ତି । ଅନ୍ୟ ଏକ ସୂତ୍ର ଅନୁଯାୟୀ ନିକଟରେ ବିଜୟଙ୍କ ଅନୁଗତ ତଥା ପାଟକୁରାରୁ ବିଜେପି ଟିକେଟରେ ଲଢ଼ିଥିବା ମାନସ ମହାନ୍ତି ନୂଆଦିଲ୍ଲୀ ଯାଇଥିଲେ । ସେଠାରେ ସେ ଧର୍ମେନ୍ଦ୍ରଙ୍କୁ ଭେଟିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେ ବିଜୟ ମହାପାତ୍ରଙ୍କ ସମର୍ଥକ ହୋଇଥିବାରୁ ତାଙ୍କୁ କୁଆଡେ଼ ସୁଯୋଗ ମିଳିନଥିଲା । ବାରବାର ବିଫଳ ହେବା ପରେ ମାନସ ବିଜୟଙ୍କ ସହ ଏନେଇ ଆଲୋଚନା କରିଥିଲେ । ମାନସଙ୍କ ସହ କ୍ଷୀତିଶ ନାମକ ଅନ୍ୟ ଜଣେ ବିଜୟ ସମର୍ଥକ ମଧ୍ୟ ଆଲୋଚନା ବେଳେ ଉପସ୍ଥିତ ଥିଲେ । ବିଜୟ ବାବୁଙ୍କ ପରବର୍ତୀ ରଣନୀତି କ’ଣ ତାହା ସେମାନଙ୍କୁ ଜାଣିବାକୁ ଚାହିଁଥିଲେ । ଯଦି ବିଜେଡ଼ି ଯିବା କଥା ଚାଲନ୍ତୁ ଯିବା, ଯଦି ବିଜେପିରେ ରହିବା ତେବେ ସଂଗଠନ କରିବା । ନହେଲେ ଆମ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । କାହିଁକିନା ବିଜୟ କେନ୍ଦ୍ରାପଡ଼ା ରାଜନୀତି ଅବା ନିଜ ମହାକାଳପଡ଼ା ଓ ପାଟକୁରାରେ ବିଜେପି ସଂଗଠନ ବିସ୍ତାର ପାଇଁ ଆଦୌ ମନୋନିବେଶ କରୁନାହାନ୍ତି । ଏହି ସୁଯୋଗରେ ପାଟକୁରା ଆସନରୁ ବିଜେପି ଟିକେଟ ପାଇଁ ଆଶାୟୀ ତଥା ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ ବାଇକ ଶୋଭାଯାତ୍ରା କରିବା ସହ ‘ମୋ ବୁଥ୍, ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେବେ ବିଜୟ ସବୁଜ ସଂକେତ ଦେଉନଥିବାରୁ ମାନସ ପାଟକୁରାରେ ଏହି କାର୍ଯ୍ୟକ୍ରମ କରିପାରୁନାହାନ୍ତି । ସେପଟେ ବିଜେଡ଼ିରେ ବିଜୟଙ୍କ ମିଶିବା ନେଇ ହେଉଥିବା ଚର୍ଚ୍ଚା ଥମିଯାଇଛି । ଏଭଳି କ୍ଷେତ୍ରରେ ବିଜୟ ନିଜର ପରବର୍ତୀ ରାଜନୀତିକ ଲକ୍ଷ୍ୟ ଓ ଭବିଷ୍ୟତ ସମ୍ପର୍କରେ ସ୍ଥିର କରିବା ନିମନ୍ତେ ଦିଲ୍ଲୀ ଯାଇଥିଲେ । ରାଜନାଥ ଓ ଜେଟଲୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାବେଳେ ରାଜ୍ୟ ରାଜନୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜନାଥ ଓ ଜେଟଲୀ ତାଙ୍କ ସହ ଆଲୋଚନା କରିଥିବାବେଳେ ବିଜୟଙ୍କୁ ବିଜେପିର କେତେକ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ବିଜେପିର ଅନ୍ୟତମ ଟାଣୁଆ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୂଆଦିଲ୍ଲୀରେ ବରିଷ୍ଠ ନେତାମାନଙ୍କୁ ଭେଟିଛନ୍ତି । କିନ୍ତୁ ବାସ୍ତବରେ ପ୍ରତାପ ନୂଆଦିଲ୍ଲୀ ସେହି ଉଦେ୍ଧଶ୍ୟ ନେଇ ଯାଇନଥିଲେ । ବାବା ବଳିଆଙ୍କ ଏକ କାର୍ଯ୍ୟକ୍ରମ ସହ ଅଖଣ୍ଡ ଭାରତର କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରତାପ ନୂଆଦିଲ୍ଲୀ ଯାଇଥିଲେ । ନୂଆଦିଲ୍ଲୀରେ ରହିବା ସମୟରେ ସେ ଜାତୀୟ ନେତାଙ୍କ ସହ ସାକ୍ଷାତ କରିବାକୁ ଉଦ୍ୟମ କରିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓ ରାଜନାଥ ସିଂହଙ୍କ ସହ ପ୍ରତାପ ଭେଟିଛନ୍ତି । ତେବେ ବରିଷ୍ଠ ନେତାଙ୍କ ସହ ପ୍ରତାପ କି ଆଲୋଚନା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ୨୦୧୬ ଜାନୁଆରୀ ୧୬ରେ ବସନ୍ତ ପଣ୍ଡା ସଭାପତି ରାଜ୍ୟ ବିଜେପିର ଦାୟିତ୍ୱ ନେଇଥିଲେ । ଅର୍ଥାତ୍ ଏହି କାର୍ଯ୍ୟକାଳ ସରିବାକୁ ଆଉ ୧୦ ମାସ ସମୟ ବାକି ରହିଛି । ତେବେ ଜାନୁଆରୀରେ ନୂଆ ସଭାପତିଙ୍କୁ ନିର୍ବାଚିତ କରିବା ପୂର୍ବରୁ ଦଳ ନଭେମ୍ବର ବେଳୁ ମାନସମନ୍ଥନ ଆରମ୍ଭ କରିବ । ନୂଆଦିଲ୍ଲୀର ସୂତ୍ର ଅନୁଯାୟୀ ଏବେ ରାଜ୍ୟ ସଭାପତି ଦୌଡ଼ରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସର୍ବାଗ୍ରେ ରହିଛନ୍ତି । ସୁରେଶ ପୂଜାରୀ, ଜୁଏଲ ଓରାମ୍, କନକବର୍ଦ୍ଧନ ସିଂହଦେଓ ଓ ବସନ୍ତ ପଣ୍ଡା ଲଗାତର ଭାବେ ସଭାପତି ରହି ଆସିଥିବାବେଳେ ଦୀର୍ଘଦିନ ଧରି ଉପକୂଳ ଓଡ଼ିଶାର ନେତା ରାଜ୍ୟ ସଭାପତି ହୋଇପାରିନାହାନ୍ତି । ତେଣୁ ପ୍ରତାପ ସଂଘ ପୃଷ୍ଠଭୂମିରୁ ଆସିଥିବା ଜଣେ ଟାଣୁଆ ନେତା ହୋଇଥିବାବେଳେ ଉପକୂଳ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି । ବସନ୍ତ ପଣ୍ଡାଙ୍କୁ ମଧ୍ୟ ଦଳ ଆଉ ରିପିଟ୍ କରିବାକୁ ଚାହୁଁନାହିଁ । କାହିଁକିନା ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ସେ ପରାଜୟର ସାମ୍ନା କରିଛନ୍ତି । ପ୍ରତାପଙ୍କ ପାଇଁ ଧର୍ମେନ୍ଦ୍ର କେଁ ପୂରାଇବେ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା । ତେବେ ବିଜେପିର ମିଶନ ଘୁଂଚିବାର ଆଶଙ୍କା ବଢ଼ି ଯାଇଥିବାରୁ ଧର୍ମେନ୍ଦ୍ର ଏଥିରେ ବାଧକ ସାଜିବେ ନାହିଁ ବୋଲି ଆଶା କରାଯାଉଛି । କାହିଁକିନା ଧର୍ମେନ୍ଦ୍ର ଭଲଭାବେ ଜାଣନ୍ତି ବିଜେପିର ସମର୍ଥକ ହାୱାରେ ବଢ଼ିନାହିଁ । ଏଥିପାଇଁ ବିଭିନ୍ନ ପ୍ରକାର ବଳ ବି ଖର୍ଚ୍ଚ ହୋଇଛି । ମିଡ଼ିଆ ବଳରୁ ନେଇ ଅର୍ଥ ବଳ ପର୍ଯ୍ୟନ୍ତ ସବୁ ଖଟାଯାଇଛି । ଯଦି ପ୍ରତାପ ତାଙ୍କୁ ଗୁରୁତ୍ୱ ନଦିଅନ୍ତି ତେବେ ଭବିଷ୍ୟତରେ ସେ ଦିଲ୍ଲୀ ନେତୃତ୍ୱଙ୍କୁ ପ୍ରଭାବିତ କରି ଚେକ୍ ଦେବାରେ ସମର୍ଥ ହେବେ । ଆଗାମୀ ଦିନରେ ରାଜ୍ୟ ବିଜେପି ରାଜନୀତି କେଉଁ ମୋଡ଼ ନେବ ତାହା ଉପରେ ନଜର ରହିବା ସ୍ୱାଭାବିକ ।
Only for BJP government mission 120 +odisha 2019 successful Only Bijoya mohapatra. Without Bijoya mohapatra kendrapara Bjp less 50. 000 votes
Pratap sadhanginku next sabhapati daitwya diantu abang Bijay mohapatranku Nashua kichhi mukhya karyara rakhantu,Dharmendra pradhannkara pilaliami chhadini, jadi amanku pacharanajaye tebe dalaku kanhiki neithile.
Comments ସମସ୍ତ ମତାମତ 4