ମୁଖ୍ୟ ଖବର
କୋଟିଆରେ ହାଇ ଆଲର୍ଟ, ଗାଁ ଗାଁରେ ପ୍ରଶାସନର ପ୍ରସ୍ତୁତି। କୋଟିଆ ସୀମାନ୍ତରେ ଉତ୍ତେଜନା ପରେ ସମ୍ବେଦନଶୀଳ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ। ୨୧ ଗ୍ରାମରେ ଲାଗିଛି ୧୬୩ ଧାରା। ୩ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଆସନ୍ତାକାଲି ଆନ୍ଧ୍ରର ଏମ୍ ପିଟିସି ଓ ଜେଡ୍ ପିଟିସି ନିର୍ବାଚନ ପୂର୍ବରୁ ସୀମାନ୍ତରେ ଦେଖାଦେଇଛି ଉତ୍ତେଜନା। କାଲି ଆନ୍ଧ୍ର-ଓଡ଼ିଶା ପୋଲିସ ପ୍ରଶାସନ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ।
ନେରେଡ଼ିବାଲସାରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୁଲିସ କରିଥିବା ବ୍ୟାରିକେଡ୍ କୁ ଆନ୍ଧ୍ର ପୁଲିସ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଗତକାଲି ଚାଉଳ ବୋଝେଇ ଟ୍ରକ୍ କୁ ଅଟକାଇବା ପରେ ଏଭଳି ଉତ୍ତେଜନା ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟପଟେ ଉପରସେମ୍ବି ଗାଁରେ ସୋଲାର ଉପକରଣ ବାଣ୍ଟିବାକୁ ଆସିଥିବା ଆନ୍ଧ୍ର ପ୍ରତିନିଧିଙ୍କ ଉଦ୍ୟମକୁ ମଧ୍ୟ ଓଡ଼ିଶା ପ୍ରଶାସନ ଓ ପୁଲିସ ପଣ୍ଡ କରିଛି।
ସୀମାନ୍ତରେ ଶାନ୍ତି ଓ ଆଇନଶୃଙ୍ଖଳା ପାଇଁ ୩ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସହ ଆବଶ୍ୟକ ପଡ଼ିଲେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ହେବ। ନିର୍ବାଚନ ପୂର୍ବରୁ ସୀମାନ୍ତରେ ବଢ଼ୁଥିବା ଏହି ଉତ୍ତେଜନା ଆଗକୁ କେଉଁ ମୋଡ଼ ନେବ, ତାହା ଏବେ ବଡ଼ ପ୍ରଶ୍ନ।
Comments ସମସ୍ତ ମତାମତ 0