Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ

    Share on :
    ajab-Image
    Date: Nov 4, 2026    Views: 3475

    ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି । ଚାନ୍ଦିପୁରସ୍ଥିତ ଡିଆର୍‌ଡିଓରୁ ମଙ୍ଗଳବାର ପୂର୍ବାହ୍ଣରେ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣର ବିଶେଷତ୍ୱ ଏହି କି ଗୋଟିଏ ଲଞ୍ଚର୍‌ରୁ ଦୁଇଟି ମିସାଇଲ୍ ଲଗାତାର ଛଡ଼ାଯାଇ ପାରିବ । ଏହି ପରୀକ୍ଷଣ ସହ ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜର ସ୍ଥିତିକୁ ମଜଭୁତ କରିଛି । ଆଇଟିଆର୍‌ର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ପୂର୍ବାହ୍ଣ ୧୧ଟା ୧୯ରେ ଉକ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଉତ୍କ୍ଷେପଣ ସମୟରେ ଏହି କ୍ଷେପଣାସ୍ତ୍ରଟି ନିଜର ସମସ୍ତ ଲକ୍ଷ୍ୟ ହାସଲ କରିଥିଲା । ଉତ୍କ୍ଷେପଣ ପରେ ଏହି ଅର୍ଦ୍ଧ ବାଲାଷ୍ଟିକ କ୍ଷେପଣାସ୍ତ୍ରଟି ଆକାଶ ମାର୍ଗରେ ଗତି କରି ୫୦୦ କିମି ଦୂରରେ ଥିବା ଦୁଇଟି କୃତ୍ରିମ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଧ୍ୱଂସ କରିଥିଲା ।

    ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୫୦୦ କିମି ରହିଛି । ପରୀକ୍ଷଣ ସମୟରେ ଏହାର ଗତିପଥ ତଥା କାର୍ଯ୍ୟଦକ୍ଷତାକୁ ରାଡାର୍, ଇଲେକ୍ଟ୍ରା-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ, ଟେଲିମେଟ୍ରି ଷ୍ଟେସନ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା । ଏହି ପରୀକ୍ଷଣର ସମସ୍ତ ମାନଦଣ୍ଡ ଶତପ୍ରତିଶତ ସଫଳ ହୋଇଥିବା ଡିଆର୍‌ଡିଓ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ସ୍ୱଦେଶୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଉଭୟ ଦିନ ଓ ରାତିରେ ସମାନ ଦକ୍ଷତାର ସହ କାର୍ଯ୍ୟ କରିପାରିବ । ଏହା ଶତ୍ରୁର ପୃଥକ୍ ପୃଥକ୍ ଠିକଣାକୁ ଟାର୍ଗେଟ କରିପାରିବ । ଏହା ଉଡ଼ାଣ ସମୟରେ ନିଜର ଦିଗ ବଦଳାଇପାରିବ । ଫଳରେ ଶତ୍ରୁର ଏୟାର ଡିଫେନ୍ସ ଏହାକୁ ଇଣ୍ଟରସେପ୍ଟ କରିପାରିବ ନାହିଁ । ଏହାର ଉନ୍ନତ ନାଭିଗେସନ୍ ସିଷ୍ଟମ୍, ଶକ୍ତିଶାଳୀ ୱାରହେଡ୍ ଶତ୍ରୁପକ୍ଷର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିଛି । ଏହା ଶବ୍ଦର ଗତି ତୁଳନାରେ ୫ ଗୁଣ ଅଧିକ (ପ୍ରାୟ ୬୧୭୪ କିଲାମିଟର ପ୍ରତି ଘଣ୍ଟା) ବେଗରେ ଗତି କରିପାରିବ । ‘ପ୍ରଳୟ' କ୍ଷେପଣାସ୍ତ୍ର କଠିନ ଇନ୍ଧନ ବିଶିଷ୍ଟ ରକେଟ୍ ମୋଟର ଦ୍ୱାରା ପରିଚାଳିତ ହୁଏ । ପୂର୍ବରୁ ରୁଷ ଓ ଆମେରିକା ଏଭଳି ମଲ୍ଟି-ମିସାଇଲ ପ୍ରୟୋଗ ବ୍ୟବସ୍ଥା ବିକଶିତ କରିସାରିଛନ୍ତି । ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି କ୍ଷମତା ବିକଶିତ କରିଛି । ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ମଧ୍ୟ ଏହି କ୍ଷେପଣାସ୍ତ୍ରର ୨ଟି ପରୀକ୍ଷଣ କରାଯାଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook