ମୁଖ୍ୟ ଖବର
ଆଇପିଏସ ସ୍ତରରେ ହୋଇଛି ଅଦଳ ବଦଳ। ଜେଲ୍ ଡିଜି ପଦରୁ ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଓଏସ୍ଡି ଭାବେ ଗୃହ ବିଭାଗକୁ ବଦଳି କରାଯାଇଛି। ରବିବାର ଏନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।୧୯୯୫ ବ୍ୟାଚ୍ର ଆଇପିଏସ୍ ଅଫିସର ତଥା ଏସ୍ଏଫଏସଏଲ (State Forensic Science Laboratory) ନିର୍ଦ୍ଦେଶକ ଥିବା ସନ୍ତୋଷ ବାଲାଙ୍କୁ ଜେଲ୍ ବିଭିଗର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଫିସର ଅମିତାଭ ଠାକୁର ପରିବହନ କମିଶନର ଭାବେ କଟକରେ ଅବସ୍ଥାପିତ ହୋଇଥିବା ବେଳେ ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ତାଙ୍କୁ ଜେଲ ବିଭାଗର ଅତିରିକ୍ତ ଡିଜି ଦାୟିତ୍ୱରୁ ମୁକ୍ତ କରାଯାଇଛି। ସେ କେବଳ ପରିବହନ କମିଶନର ଭାବେ ତାଙ୍କ ଦାୟିତ୍ୱ ତୁଲାଇବେ।ରାଜ୍ୟ ସଶସ୍ତ୍ର ପୁଲିସ (SAP)ର ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିବା ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଫିସର ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ ବ୍ୟାଚ୍ର ଆଇପିଏସ୍ ଅଫିସର ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଝାରସୁଗୁଡ଼ା ଏସ୍ପି ଶ୍ରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କଟକ ସ୍ଥିତ ପୁଲିସ ମୁଖ୍ୟାଳୟକୁ ଏଆଇଜି ଭାବେ ବଦଳି କରାଯାଇଛି। ସେହିପରି ନୂଆପଡ଼ା ଏସ୍ପି ଅମୃତପାଲ ସିଂହଙ୍କୁ କଟକ ସ୍ଥିତ ରାଜ୍ୟ ପୁଲିସ ପୁଲିସ ମୁଖ୍ୟାଳୟକୁ ଏସ୍ପି ଭାବେ ବଦଳି କରାଯାଇଛି। ଖୋର୍ଦ୍ଧାରେ ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ କରୁଥିବା ୨୦୨୨ ବ୍ୟାଚ୍ର ଆଇପିଏସ୍ ଅଫିସର ସୋନାଲି ସିଂହ ପାରମରଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ବଦଳି କରାଯାଇଛି। କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟ କରୁଥିବା ଓପିଏସ୍ ଅଫିସର ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ପି ଭାବେ ବଦଳି କରାଯାଇଛି।
ଗୋଟିଏ ପଟେ ରାଜ୍ୟରେ ସ୍ଥାୟୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ବିବାଦକୁ ନେଇ ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ତାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାସ। ତାଙ୍କ ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୁଶାନ୍ତ ନାଥଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଗତକାଲି ଗୃହ ବିଭାଗକୁ ଲିଖିତ ଭାବେ ଅବଗତ କରିଥିଲା କମିଶନରେଟ ପୁଲିସ। ଆଉ ଆଜି ତାଙ୍କୁ ଜେଲ୍ ବିଭାଗ ଡିଜି ପଦରୁ ହଟାଇ ଗୃହ ବିଭାଗକୁ ଓଏସ୍ଡି ଭାବେ ବଦଳି କରାଯାଇଛି।
Comments ସମସ୍ତ ମତାମତ 0