Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାମଲୀଳା ମଇଦାନରେ ଆଜି ଇଣ୍ଡିଆ ବ୍ଲକର ବିକ୍ଷୋଭ

    Share on :
    ajab-Image
    Date: Nov 1, 2026    Views: 2373

    ନୂଆଦିଲ୍ଲୀ: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) ପ୍ରକ୍ରିୟାରେ ଅନିୟମତିତା ଏବଂ ଏଥିପାଇଁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ବ୍ଲକ ତରଫରୁ ଦିଲ୍ଲୀର ରାମଲୀଳା ମଇଦାନରେ ରବିବାର ‘ଭୋଟ ବଞ୍ଚାଓ, ଦେଶ ବଞ୍ଚାଓ’ ନାମରେ ବିକ୍ଷୋଭ ସମାବେଶ ଅାୟୋଜିତ ହେବାକୁ ଯାଉଛି। ଏହି ସମାବେଶରେ ଇଣ୍ଡିଆ ବ୍ଲକର ଏକାଧିକ ବରିଷ୍ଠ ନେତାଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଲୋକ ଯୋଗ ଦେଇପାରନ୍ତି। ସମାବେଶରେ ମୁଖ୍ୟତଃ ଭୋଟ୍ ଚୋରି ଅଭିଯୋଗ, ନିର୍ବାଚନ କମିସନଙ୍କ ଭୂମିକା ଏବଂ ସମ୍ବିଧାନର ସୁରକ୍ଷା ପ୍ରସଙ୍ଗ ଉଠାଯିବ। ରାହୁଲ ଗାନ୍ଧୀ ଦେଶବାସୀ ଓ ଛାତ୍ରଛାତ୍ରୀଙ୍କୁ ଏହି ରାଲିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହା କୌଣସି ଗୋଟିଏ ରାଜନୈତିକ ଦଳର ରାଲି ନୁହେଁ, ବରଂ ଗଣତନ୍ତ୍ର ଓ ଦେଶର ସମ୍ବିଧାନର ସୁରକ୍ଷା ପାଇଁ ଏକ ମିଳିତ ପ୍ରତିବାଦ। ବିଶେଷ କରି ଭୋଟର ତାଲିକାରେ ଅନିୟମିତତା ଏବଂ ଭୋଟରଙ୍କ ନାମ କାଟିବା ନେଇ ବିରୋଧୀ ଦଳ ନେତାମାନେ ସରକାରଙ୍କ ଉପରେ ବର୍ଷିବେ।ଅନ୍ୟପକ୍ଷରେ ଏହି ବିକ୍ଷୋଭ ସମାବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାମଲୀଳା ମଇଦାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଖାପାଖି ୨୫୦ ଉଚ୍ଚଶକ୍ତି ସମ୍ପନ୍ନ ସିସିଟିଭି କ୍ୟାମେରା ଲଗା ଯାଇଛି। ସିସିଟିଭି ଭିଡିଓ ଆଧାରରେ ରାମଲୀଳା ମଇଦାନ ଉପରେ ନଜର ରଖିବା ପାଇଁ କଣ୍ଟ୍ରୋଲ ରୁମ୍‌, ରାମଲୀଳା ମଇଦାନରୁ କିଭଳି ସୁରକ୍ଷିତ ଭାବେ ଲୋକଙ୍କୁ ବାହାରକୁ ଅଣାଯାଇ ପାରିବ ସେ ନେଇ ସ୍ବତନ୍ତ୍ର ଯୋଜନା, ଭିଡ଼ ନିୟନ୍ତ୍ରଣ ଆଦି ନେଇ ପୁଲିସ ତରଫରୁ ପ୍ରସ୍ତୁତି ଶେଷ ହୋଇଛି। ରାମଲୀଳା ମଇଦାନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ୩ ହଜାରରୁ ଊର୍ଦ୍ଧ୍ବ ପୁଲିସ କର୍ମୀ ମୁତୟନ ହେବେ। ଏହି ପୁଲିସ କର୍ମଚାରୀମାନଙ୍କ ପୋଷାକରେ କ୍ୟାମେରା ଖଞ୍ଜାଯିବ। ମଇଦାନର ବିଭିନ୍ନ ସ୍ଥାନରେ କୃତ୍ରିମ ବୁଦ୍ଧିମତ୍ତାଯୁକ୍ତ କ୍ୟାମେରା ଲଗାଯାଇଛି। ରାମଲୀଳା ମଇଦାନ ନିକଟରେ ଏକ ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ରାମଲୀଳା ମଇଦାନକୁ ୧୪ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରତି ଭାଗର ଦାୟିତ୍ବରେ ଜଣେ ଆସିଷ୍ଟାଣ୍ଟ କମିସନର ୠାଙ୍କର ପୁଲିସ ଅଧିକାରୀ ରହିଛନ୍ତି।ରାମଲୀଳା ମଇଦାନରେ ମୋଟ୍‌ ୮ଟି ଫାଟକ ରହିଥିବା ବେଳେ ସେଥିମଧ୍ୟରୁ କେବଳ ୩ଟି ଫାଟକ ଦେଇ ଜନସାଧାରଣ ମଇଦାନ ମଧ୍ୟକୁ ପ୍ରବେଶ କରିପାରିବେ। ଭିଆଇପିଙ୍କ ପ୍ରବେଶ ନିମନ୍ତେ ଗୋଟିଏ ସ୍ବତନ୍ତ୍ର ଫାଟକର ବ୍ୟବସ୍ଥା କରାଯାଇଛି। ସେହିପରି ଅନ୍ୟ ଏକ ଫାଟକ ଦେଇ ବରିଷ୍ଠ ପୁଲିସ ଅଧିକାରୀ ମଇଦାନ ମଧ୍ୟକୁ ପ୍ରବେଶ କରିପାରିବେ। ଯଦି ମଇଦାନରେ ଭିଡ଼ ଅନିୟନ୍ତ୍ରିତ ହୋଇଯାଏ ତେବେ ଲୋକଙ୍କୁ ସ୍ବତନ୍ତ୍ର ଫାଟକ ଦେଇ ସେଠାରୁ ବାହାରକୁ ଅଣାଯିବାକୁ ଯୋଜନା ରହିଛି। ଏଥିସହ ଆୟୋଜକ ଇଣ୍ଡିଆ ବ୍ଲକ୍‌କୁ ନିଜ ତରଫରୁ ସ୍ବେଚ୍ଛାସେବୀ ମୁତୟନ କରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ସେହିପରି ପାନୀୟ ଜଳ, ମହିଳାଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବାକୁ କୁହଯାଇଛି। ଏହି ବିକ୍ଷୋଭ ସମାବେଶ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ଯାଏ ଚାଲିବ। ନିର୍ଦ୍ଧାରିତ ସମୟ ପରେ ସମାବେଶରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷ ରାମଲୀଳା ମଇଦାନ ଛାଡ଼ି ଚାଲି ଯିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook