ମୁଖ୍ୟ ଖବର
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY) ଅଧୀନରେ ହେଉଥିବା ରାସ୍ତାର ଶିଳାନ୍ୟାସ ଓ ଉଦ୍ଘାଟନ ସମାରୋହରେ ସମ୍ପୃକ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବା ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଅତି କମ୍ରେ ୧୫ ଦିନ ପୂର୍ବରୁ ନିମନ୍ତ୍ରଣ ଦେବାକୁ କୁହାଯାଇଛି । ଲୋକସଭା ସାଂସଦଙ୍କ ଦ୍ୱାରା ହିଁ ରାସ୍ତା ଶିଳାନ୍ୟାସ ଓ ଉଦ୍ଘାଟନ କରିବା ଉଦ୍ଦେଶ୍ୟରେ ନିଶ୍ଚିତ ଭାବେ ନିମନ୍ତ୍ରଣ କରିବାକୁ ଚିଠିରେ ସ୍ପଷ୍ଟ କରାଯାଇଛି।
ସମ୍ପୃକ୍ତ ଜନପ୍ରତିନିଧିଙ୍କୁ ଇ-ମେଲ୍, ଚିଠି ଓ SMS ଭଳି ମାଧ୍ୟମରେ ନିମନ୍ତ୍ରଣ ପଠାଇବାକୁ ମଧ୍ୟ କୁହାଯାଇଛି। ତେବେ ରାଜ୍ୟ ପ୍ରୋଟୋକଲ୍ ଅନୁଯାୟୀ ସ୍ଥାନୀୟ ମନ୍ତ୍ରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିପାରିବେ। ଏଭଳି ସମାରୋହକୁ ସରକାରୀ କାର୍ଯ୍ୟକ୍ରମର ମର୍ଯ୍ୟାଦା ଓ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ଆୟୋଜନ କରିବାକୁ ମଧ୍ୟ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ବିଶେଷକରି କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀଙ୍କ ଉପସ୍ଥିତି ସମୟରେ ପ୍ରୋଟୋକଲ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।
ଶିଳାନ୍ୟାସ ଓ ଉଦ୍ଘାଟନ ସମାରୋହର ଫଟୋ ଓ ସମ୍ପୃକ୍ତ ଦସ୍ତାବିଜ ସଂରକ୍ଷଣ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହାସହ PMGSY ଅଧୀନରେ ନୂଆ ପ୍ରକଳ୍ପ ପ୍ରସ୍ତାବ ପଠାଇବା ସମୟରେ ସମ୍ପୃକ୍ତ ସାଂସଦଙ୍କ ଦ୍ୱାରା ହୋଇଥିବା ଶିଳାନ୍ୟାସ କିମ୍ବା ଉଦ୍ଘାଟନର ଫଟୋ ଦାଖଲ କରିବାକୁ କୁହାଯାଇଛି। ସାଂସଦ ଉପସ୍ଥିତ ହୋଇନଥିଲେ ତାଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରର ନକଲ ଦାଖଲ କରିବାକୁ ହେବ।
ଏନେଇ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ‘‘ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅନେକ ଅଧିକାରୀ ଅଛନ୍ତି। ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ କିଭଳି ସମ୍ମାନ ଦିଆଯିବ ଏବଂ ପ୍ରୋଟୋକଲ କିଭଳି ପାଳନ କରାଯିବ ସେନେଇ ବୁକ୍ ସର୍କୁଲାର-୪୭ରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଯୋଜନା। କେନ୍ଦ୍ର ସରକାରଙ୍କ ଯୋଜନା ହେଉ କିମ୍ବା ରାଜ୍ୟ ସରକାରଙ୍କ ଯୋଜନା, ନିର୍ବାଚିତ ଜନପ୍ରତିନିଧିଙ୍କ ପଦମର୍ଯ୍ୟାଦା ଅନୁସାରେ ପ୍ରୋଟୋକଲ ପାଳନ କରିବା ଅଧିକାରୀ ମାନଙ୍କ ଦାୟିତ୍ୱ। କିନ୍ତୁ ବିଭିନ୍ନ ସ୍ଥାନରେ ଅଧିକାରୀମାନେ ଏହି ନିୟମ ଠିକ୍ ଭାବରେ ପାଳନ କରୁନଥିବା ଅଭିଯୋଗ ଆସିଛି। କେଉଁଠି ସାଂସଦଙ୍କ ନାଁ ଶିଳାନ୍ୟାସ କିମ୍ବା ଉଦ୍ଘାଟନ ଫଳକରେ ରହୁନାହିଁ ତ କେଉଁଠି ତାଙ୍କ ସହ ପରାମର୍ଶ ନକରି କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଅନେକ ସାଂସଦ ମଧ୍ୟ ଅଭିଯୋଗ କରିଛନ୍ତି। ସେଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପୁଣିଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଁ ଆଶା କରୁଛି, ଏହା ପରେ ଅଧିକାରୀମାନେ ବୁକ୍ ସର୍କୁଲାର-୪୭କୁ ଠିକ୍ ଭାବରେ ଅନୁସରଣ କରିବେ ଏବଂ ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କ ପଦମର୍ଯ୍ୟାଦାକୁ ସମ୍ମାନ ଦେବେ’’।
ସେ ଆହୁରି କହିଛନ୍ତି ଯେ ‘‘ବିଜେଡି ଯେଉଁଭଳି ଭାବେ ଏହାକୁ ବିଜେପିର ସାଂସଦ ଓ ବିଧାୟକମାନଙ୍କ ମଧ୍ୟରେ ବିବାଦ ସହ ଯୋଡ଼ୁଛି ତାହା ଠିକ୍ ନୁହେଁ। ବିଜେପିର ସାଂସଦ ଓ ବିଧାୟକମାନଙ୍କ ମଧ୍ୟରେ ସମନ୍ୱୟ ରହିଛି। କୌଣସି ପ୍ରସଙ୍ଗରେ ମତଭେଦ ଥାଇପାରେ ସବୁ ଦଳରେ ଏହା ସ୍ୱାଭାବିକ। କିନ୍ତୁ ତାହାକୁ ଏକ ବଡ଼ ବିବାଦର ରୂପ ଦେବା ଠିକ୍ ନୁହେଁ’’।
Comments ସମସ୍ତ ମତାମତ 0